ଦୀପାବଳିରେ ଅଧିକାଂଶ କଂପାନୀ ତାର କର୍ମଚାରୀଙ୍କୁ ଉପହାର ଦେଇଥାଏ। କିଏ ଡ୍ରାଏଫ୍ରୁଟ୍ସ ସହ ସୁନପାମ୍ପୁଡ଼ି ଦେଇଥାଏ ତ କିଏ ବାସନକୁସନ ସହ ଟୋଷ୍ଟର କି ଗ୍ରାଇଣ୍ଡର। କିନ୍ତୁ ଚଣ୍ଡିଗଡ଼ର ଜଣେ ବ୍ୟବସାୟୀ ନିଜ ଅଫିସ କର୍ମଚାରୀଙ୍କୁ ଲଗଜୁରୀ କାର ଉପହାରରେ ଦେଇଛନ୍ତି।
/odishatv-khabar/media/media_files/2025/10/22/diwali-car-gift-2025-10-22-15-25-52.jpg)
Diwali-Car-Gift Photograph: (OTV)
ଦୀପାବଳିରେ ଅଧିକାଂଶ କଂପାନୀ ତାର କର୍ମଚାରୀଙ୍କୁ ଉପହାର ଦେଇଥାଏ। କିଏ ଡ୍ରାଏଫ୍ରୁଟ୍ସ ସହ ସୁନପାମ୍ପୁଡ଼ି ଦେଇଥାଏ ତ କିଏ ବାସନକୁସନ ସହ ଟୋଷ୍ଟର କି ଗ୍ରାଇଣ୍ଡର। କିନ୍ତୁ ଚଣ୍ଡିଗଡ଼ର ଜଣେ ବ୍ୟବସାୟୀ ନିଜ ଅଫିସ କର୍ମଚାରୀଙ୍କୁ ଲଗଜୁରୀ କାର ଉପହାରରେ ଦେଇଛନ୍ତି। ସେପୁଣି ଗୋଟିଏ କି ୨ଟି ନୁହେଁ ସେ ୫୧ଟି ଦାମୀ କାର ଗିଫ୍ଟ କରିଛନ୍ତି। ଚଣ୍ଡୀଗଡ଼ର MITS Healthcareର ଫାଉଣ୍ଡର ଏମ.କେ. ଭାଟିଆ ନିଜ କର୍ମଚାରୀଙ୍କୁ ଏପରି ଗିଫ୍ଟ ଦେଇ ଏବେ ସୋସିଆଲ ମିଡିଆରେ ଛାଇଯାଇଛନ୍ତି।
ଲୋକେ କହୁଛନ୍ତି ମାଲିକ ହେବ ତ ଏମିତି। କର୍ମଚାରୀଙ୍କୁ କାର ଉପହାର ଦେବା ରିଲ୍ସ୍ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି। ତେବେ ଏହା ପ୍ରଥମଥର ନୁହେଁ ଲଗାତାର ତୃତୀୟ ବର୍ଷ ଧରି ସେ ଏପରି କରିଛନ୍ତି ।
ଏଥର ଏମ.କେ. ଭାଟିଆ ମୋଟ ୫୧ଟି କାର ବଣ୍ଟନ ଦେଇ ହାଫ ସେଞ୍ଚୁରୀ ପୂରଣ କରିଛନ୍ତି। ନୂଆ ଚକାଚକ ଲଗଜୁରୀ କାର ମିଳିବା ମାତ୍ରେ କର୍ମଚାରୀଙ୍କ ମୁହଁରେ ହସ ଖେଳିଯାଇଥିଲା। କାରର ଚାବି ମିଳିବା ପରେ କର୍ମଚାରୀମାନେ ଶୋ’ରୁମରୁ ମିଟ୍ସ୍ ହାଉସ ପର୍ଯ୍ୟନ୍ତ ଏକ କାର ରାଲି ବାହାର କରିଥିଲେ, ଯାହା ସହରବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପ୍ରତିବର୍ଷ ଏତେ ମହଙ୍ଗା ଉପହାର କାହିଁକି ଦିଅନ୍ତି ପଚରାଯିବାରୁ ଭାଟିଆ କହିଛନ୍ତି ମୋ କର୍ମଚାରୀ ମୋର ଔଷଧ କମ୍ପାନୀର ମେରୁଦଣ୍ଡ। ସେମାନଙ୍କର କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ସମର୍ପଣ ଆମର ସଫଳତାର ମୂଳଦୁଆ। ସେମାନଙ୍କର ପ୍ରୟାସକୁ ଚିହ୍ନିବା ଏବଂ ସେମାନଙ୍କୁ ପ୍ରେରଣା ଦେବା ମୋର ଏକମାତ୍ର ଲକ୍ଷ୍ୟ ।
ଗତ ବର୍ଷ ଭାଟିଆ ଦୀପାବଳିର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କର ଶ୍ରେଷ୍ଠ କର୍ମଚାରୀମାନଙ୍କୁ ୧୫ ଟି କାର ପ୍ରଦାନ କରିଥିଲେ। ତାର ପୂର୍ବ ବର୍ଷ ସେ ତାଙ୍କ କର୍ମଚାରୀମାନଙ୍କୁ ୧୨ ଟି କାର ଉପହାର ଦେଇ ପ୍ରଥମେ ଚର୍ଚ୍ଚାରେ ରହିଥିଲେ ।




