ଲୁଇସ୍ଭିଲ୍ରେ ଏକ କାର୍ଗୋ ବିମାନ ଟେକ୍ ଅଫ୍ କରିବାର କିଛି ସମୟ ପରେ କ୍ରାସ୍ ହୋଇଯାଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି ।
![]()
/odishatv-khabar/media/media_files/2025/11/06/us-plane-crash-2025-11-06-14-09-45.jpg)
US-Plane-Crash Photograph: (OTV)
ଉଡାଣ ଭରୁ ଭରୁ କ୍ରାସ୍ ହୋଇଗଲା ବିମାନ । ଛାତି ଥରାଇବା ଭଳି ଦୁର୍ଘଟଣା । ମଙ୍ଗଳବାର ସନ୍ଧ୍ୟାରେ ଆମେରିକାର ଲୁଇସ୍ଭିଲ୍ରେ ଏକ କାର୍ଗୋ ବିମାନ ଟେକ୍ ଅଫ୍ କରିବାର କିଛି ସମୟ ପରେ କ୍ରାସ୍ ହୋଇଯାଇଛି । ଦୁର୍ଘଟଣା ବେଳର ଲୋମଟାଙ୍କୁରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଦୁର୍ଘଟଣା ପରେ ଭୟଙ୍କର ବିସ୍ଫୋରଣ ସହ ବିମାନରେ ଲାଗି ଯାଇଥିଲା ନିଆଁ । ଆଉ ଏହି ନିଆଁ ଆଖପାଖ ଏରିଆକୁ ବ୍ୟାପି ସବୁ କିଛି ଛାରଖାର୍ କରି ଦେଇଥିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।
ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଆମେରିକା ୟୁପିଏସ୍ କାର୍ଗୋ ଏୟାରଲାଇନର। ସନ୍ଧ୍ୟା ୫ଟା ୧୫ରେ ଲୁଇସ୍ଭିଲ୍ ଏୟାରପୋର୍ଟରୁ ଟେକ୍ ଅଫ୍ କରିଥିଲା ବିମାନ । କିନ୍ତୁ ଉଡାଣର ମାତ୍ର କେଇ ମିନିଟ୍ରେ ଦୁର୍ଘଟଣା ଘଟିଥିଲା । ବିମାନ ଖସିପଡିବା ସହ ହଠାତ୍ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ଘଟିଥିଲା । ଆଉ ଏ ନିଆଁ ଆଖପାଖର ଏରିଆକୁ ମାଡିଯାଇ ସବୁକିଛି ଭସ୍ମ କରିଦେଇଥିଲା । ଅନେକଗୁଡିଏ ଘର ଜଳିପୋଡି ପାଉଁଶ ହୋଇଯାଇଛି ।
ଯାହା ଜଣାପଡିଛି, କୋର୍ଗୋ ବିମାନଟି ଲୁଇସଭିଲରୁ ହୋନୋଲୁଲୁକୁ ଯାଉଥିଲା । ବିମାନରେ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଭର୍ତ୍ତି ହୋଇଥିଲା । ଯେଉଁଥିପାଇଁ ଏହା କ୍ରାସ୍ ହେବା ପରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ସ୍ଥାନୀୟ ମେୟର । ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁର୍ଘଟଣା ସମୟର ଭିଜୁଆଲ । ଯେଉଁଥିରେ ନିଆଁ ଜଳୁଥିବାର ଓ ବହଳ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳୁଛି ।




