BRICS Summit: ବ୍ରିକ୍ସ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ପ୍ରକ୍ରିୟା ନେଇ ପ୍ରତିନିଧିଙ୍କ ସହ ଆଲୋଚନା

brics-summit:-ବ୍ରିକ୍ସ-ସମ୍ମିଳନୀକୁ-ଉଦଘାଟନ-କଲେ-ମୁଖ୍ୟମନ୍ତ୍ରୀ,-ବିପର୍ଯ୍ୟୟ-ପରିଚାଳନା-ପ୍ରକ୍ରିୟା-ନେଇ-ପ୍ରତିନିଧିଙ୍କ-ସହ-ଆଲୋଚନା

ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଉଦଘାଟିତ । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ- ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ ।

Published By: Ruby – Prameya-News7 Bureau | June 04, 2026 03:51 PM

NEWS7

BRICS summit

ପୁରୀ ୪।୬: ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବ୍ରିକ୍ସ ରାଷ୍ଟ୍ର ସମୂହର ୧୧ଟି ଦେଶକୁ ନେଇ ପୁରୀ ତାଜ୍ ହୋଟେଲରେ ତିନିଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଏକ ଚାଲେଞ୍ଜ ଭାବରେ ଉଭା ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଧନଜୀବନ କ୍ଷତି ଘଟୁଛି। ଏଣୁ ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି କୁ କିଭଳି ହ୍ରାସ କରାଯାଇପାରିବ,  ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ସହିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଉପରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି। ତେବେ ଓଡ଼ିଶା ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ସ୍ବତନ୍ତ୍ର ମଡେଲ ଭାବେ ପରିଚୟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରକ୍ରିୟା ନେଇ ବ୍ରିକ୍ସ ସମ୍ମିଳନୀର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିପର୍ଯ୍ୟୟ ବୃଦ୍ଧି ପାଉଥିବା ବେଳେ ବ୍ରିକ୍ସ ରାଷ୍ଟ୍ର ସମୂହର ଦେଶ ମାନେ ପରସ୍ପର ସହଯୋଗ ନେଇ ବିପର୍ଯ୍ୟୟ ବିପତ୍ତି ହ୍ରାସ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବ୍ରିକ୍ସ ଦେଶର ପ୍ରତିନିଧି ମାନେ ଯେଉଁ ଜ୍ଞାନକୌଶଳ ଏହି ବୈଠକରେ ଉପସ୍ଥାପନା କରିବେ ତାର ତର୍ଜମା କରାଯାଇ ଯେଉଁ ନିଷ୍କର୍ଷ ବାହାରିବ ତାହା ଆଗାମୀ ଦିନରେ ଓଡ଼ିଶା କାର୍ଯ୍ୟକାରୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read:- ବଢ଼ିଲା ଅବକାରୀ SI ଛାୟାକାନ୍ତ ନାୟକଙ୍କ ଅଡୁଆ, ନାଁରେ ରୁଜୁ ହେଲା ମାମଲା

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଓ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ରାମେଶ୍ବର ଠାରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକି ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ବେଶ୍ ସହାୟକ ହେବ। ସେହିପରି ଭୁବନେଶ୍ବରରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ରିଙ୍ଗ ରୋଡ ନିର୍ମାଣ ସହିତ ଭୁବନେଶ୍ବର, କଟକ, ପୁରୀ ଓ ପାରାଦୀପକୁ ନେଇ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ତିଆରି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକି ଆଗାମୀ ଦିନରେ ଓଡ଼ିଶାରେ ଅର୍ଥନୀତି ଅଭିବୃଦ୍ଧି ଏବଂ ବିକାଶ ହେବା ସହ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିରେ ମଧ୍ୟ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବିକଶିତ ଭାରତ ଏଜେଣ୍ଡାରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରସଙ୍ଗ କୁ ଗୁରୁତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଗାମୀ ଦିନରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହିତ ସୁଦୃଢ଼ ଭିତ୍ତିଭୂମି ମଧ୍ୟ ନିର୍ମାଣ ହେବ। ଯାହାଦ୍ବାରା ଓଡ଼ିଶା ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ।

Also Read:- ଥାଇଲାଣ୍ଡରେ କାନ୍ଦୁଛନ୍ତି ଓଡ଼ିଆ ଶ୍ରମିକ, ମୁକୁଳାଇବାକୁ ଓଡ଼ିଶା ସରକାରଙ୍କୁ ନିବେଦନ

ଜୁନ୍ ୩ ରୁ ୫ ତାରିଖ ଯାଏଁ ତିନିଦିନ ଧରି ପୁରୀ ତାଜ୍ ରିସର୍ଟରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ଅବସରରେ ବ୍ରିକ୍ସ ଦେଶର ପ୍ରତିନିଧି ମଣ୍ଡଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ରାମଚଣ୍ଡୀ ଠାରେ ଓଡ୍ରାଫ ପକ୍ଷରୁ ପ୍ରଦର୍ଶିତ ହେବାକୁ ଥିବା ଉଦ୍ଧାର କାର୍ଯ୍ୟ ପ୍ରଦର୍ଶନୀ ଦେଖିବେ। ଏଥିସହିତ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାରଙ୍କ ତୃଣମୂଳ ସ୍ତରରେ ପ୍ରସ୍ତୁତିକୁ ମଧ୍ୟ ଦେଖିବେ ବ୍ରିକ୍ସ ପ୍ରତିନିଧି ମଣ୍ଡଳୀ।

Scroll to Top