ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି(BLA) ଓ ଦି ମଜିଦ୍ ବିଗ୍ରେଡ୍ ଆତଙ୍କୀ ସଂଗଠନ ଭାବେ ଘୋଷିତ କଲା ଆମେରିକା। ପାକିସ୍ତାନରେ ଦୀର୍ଘଦିନ ଧରି ବିଚ୍ଛିନ୍ନବାଦୀ ଆନ୍ଦୋଳନ ଚଳାଇଛି BLA।
ସୋମବାର ଦିନ ଆମେରିକା ଆନୁଷ୍ଠାନିକ ଭାବରେ ବଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ଦି ମଜିଦ୍ ବିଗ୍ରେଡ୍ କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବରେ ଘୋଷଣା କରିଛି। BLA ଓ ମାଜିଦ ବ୍ରିଗେଡକୁ ପୂର୍ବରୁ ସ୍ୱତନ୍ତ୍ର ଭାବରେ ଘୋଷିତ ବିଶ୍ୱ ଆତଙ୍କବାଦୀ (SDGT) ସଂଗଠନ ଭାବରେ ଘୋଷିତ କରାଯାଇଥିଲା।
ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, “୨୦୧୯ ପରଠାରୁ, BLA ଏବଂ ମାଜିଦ୍ ବ୍ରିଗେଡ୍ ଅନେମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିଏଲଏ ବର୍ଷ ବର୍ଷ ଧରି ଆମେରିକାର ନଜରରେ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ହେବା ପରେ ଏହାକୁ ପ୍ରଥମେ ୨୦୧୯ରେ SDGT ଭାବରେ ଘୋଷିତ କରାଯାଇଥିଲା। ସେବେଠାରୁ ଏହି ଗୋଷ୍ଠୀ ଆତ୍ମଘାତୀ ବୋମା ବିସ୍ଫୋରଣ ଏବଂ ଅନେକ ହାଇ-ପ୍ରୋଫାଇଲ୍ ଆକ୍ରମଣ ପାଇଁ ଦାୟୀ ହୋଇଛି।
୨୦୨୪ରେ କରାଚି ବିମାନବନ୍ଦର ଏବଂ ଗ୍ୱାଦର ବନ୍ଦର କର୍ତ୍ତୃପକ୍ଷ କମ୍ପ୍ଲେକ୍ସ ନିକଟରେ ବିଏଲଏ ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ ଥିଲା। ମାର୍ଚ୍ଚ ୨୦୨୫ରେ, ଏହି ଗୋଷ୍ଠୀ କ୍ୱେଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିଥିବା ସ୍ୱୀକାର କରିଥିଲା। ଏଥିରେ ୩୧ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ସମୟରେ ୩୦୦ ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା। ଏହି ହିଂସାତ୍ମକ କାର୍ଯ୍ୟଗୁଡ଼ିକ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଛି।” ବିବୃତ୍ତିରେ ଉଲ୍ଲେଖ କରାଯାଇଛି।
Also Read
ଆମେରିକା ଏବଂ ପାକିସ୍ତାନ ଦ୍ୱାରା ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷିତ BLA, ଖଣିଜ ସମୃଦ୍ଧ ବଲୁଚିସ୍ତାନକୁ ସ୍ବତନ୍ତ୍ର ପ୍ରଦେଶ ଭାବେ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ଏହା ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ଦଶନ୍ଧି ଧରି ବିଦ୍ରୋହ ଚଳାଇ ଆସିଛି।




