Bihar CM: କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଜାମୁଇରୁ ଏଭଳି ଇସାରା ଦେଲେ ନୀତୀଶ କୁମାର

bihar-cm:-କିଏ-ହେବେ-ବିହାରର-ପରବର୍ତ୍ତୀ-ମୁଖ୍ୟମନ୍ତ୍ରୀ-?-ଜାମୁଇରୁ-ଏଭଳି-ଇସାରା-ଦେଲେ-ନୀତୀଶ-କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଜାମୁଇରେ ଆୟୋଜିତ ‘ସମୃଦ୍ଧି ଯାତ୍ରା’ରେ ସାମିଲ ହୋଇଥିଲେ । ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ଏବେ ବିହାରରେ ଗୋଟିଏ ଚର୍ଚ୍ଚା, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ଆଜି ମଞ୍ଚରୁ ବଡ଼ ବାର୍ତ୍ତା ଦେଇଛନ୍ତି ନୀତୀଶ କୁମାର । ସମ୍ରାଟ ଚୌଧୁରୀଙ୍କ କାନ୍ଧରେ ହାତ ରଖି, ଲୋକଙ୍କ ସମର୍ଥନ ଲୋଡ଼ିଥିଲେ ନୀତୀଶ । ଏପରିକି ସମ୍ରାଟଙ୍କ ହାତକୁ ଧରି ଲୋକଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠାଇଥିଲେ । ସତେ ଯେମିତି ନୀତୀଶ କୁମାର ତାଙ୍କ ପରେ ବିହାରର ମଙ୍ଗ ସମ୍ରାଟ ଚୌଧୁରୀଙ୍କୁ ଧରାଇବାକୁ ଚାହୁଁଛନ୍ତି । ଏହି ସମୟରେ ନୀତୀଶ କହିଥିଲେ ଯେ, ଏବେ ସେ (ସମ୍ରାଟ) ସବୁ କାମର ପରିଚାଳନା କରିବେ ।

ମଞ୍ଚରେ ନୀତୀଶ କୁମାରଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ରାଟ ଚୌଧୁରୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ? କଣ ନୀତୀଶଙ୍କ ପ୍ରଥମ ପସନ୍ଦ ସମ୍ରାଟ ? ନୀତୀଶ କଣ ଏହା ଜଣାଇବାକୁ ଚେଷ୍ଟା କରୁଛନ୍ତି କି ? ନୀତୀଶ କୁମାରଙ୍କ ଇସାରାକୁ ଡିକୋଡ୍ କରିବାକୁ ଲୋକଙ୍କ ପାଖରୁ ରାଜନୈତିକ ସମୀକ୍ଷକଙ୍କ ପର୍ଯ୍ୟନ୍ତ, ସମସ୍ତେ ଚେଷ୍ଟା କରୁଛନ୍ତି ।

ରାଜ୍ୟସଭା ଯାଉଛନ୍ତି ନୀତୀଶ

ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେଉଛି। ସେ ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି। ତା’ପରେ ବିହାରରେ ନୂତନ ସରକାର ଗଠନ ହେବ। ଏଥର ବିଜେପି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବାର ସମ୍ଭାବନା ବହୁତ ଅଧିକ। ଏହି ପରିପ୍ରେକ୍ଷୀରେ, ସମ୍ରାଟ ଚୌଧୁରୀଙ୍କ ସମ୍ପର୍କରେ ନୀତୀଶ କୁମାରଙ୍କ ମନ୍ତବ୍ୟ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

ସମ୍ରାଟ ଚୌଧୁରୀଙ୍କ ବିଷୟରେ ଏଭଳି ପ୍ରଥମ ଥର ପାଇଁ କହିନାହାନ୍ତି ନୀତୀଶ କୁମାର । କିଛି ଦିନ ପୂର୍ବରୁ, କଟିହାରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପିଠି ଥାପୁଡ଼ାଇଥିଲେ । ଆଜିର କାର୍ଯ୍ୟକ୍ରମରେ ସମ୍ରାଟଙ୍କ କାନ୍ଧରେ ହାତ ରଖି, ତାଙ୍କୁ ସେ ବିଶ୍ବାସ କରୁଥିବା ନେଇ ଇସାରା କରିଛନ୍ତି ନୀତୀଶ । ତେଣୁ ଆଗାମୀ ଦିନରେ ବିହାରର ମୁଖ୍ୟମନ୍ତ୍ରୀ ରୂପରେ ସମ୍ରାଟ ଚୌଧୁରୀଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଲାଗିରହିଛି ।

କୁଣ୍ଡାଘାଟ ଜଳଭଣ୍ଡାର ପ୍ରକଳ୍ପ ଉଦଘାଟିତ

ସମୃଦ୍ଧି ଯାତ୍ରାର ଅଂଶ ଭାବରେ ଜାମୁଇରେ ପହଞ୍ଚିଥିବା ନୀତୀଶ କୁମାର କୁଣ୍ଡଘାଟ ଜଳଭଣ୍ଡାର ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଭିନ୍ନ ଷ୍ଟଲ ପରିଦର୍ଶନ କରିଛନ୍ତି । ଆଜି (ବୁଧବାର) ଚତୁର୍ଥ ପର୍ଯ୍ୟାୟ ସମୃଦ୍ଧି ଯାତ୍ରାର ପର୍ଯ୍ୟାୟର ଦ୍ୱିତୀୟ ଦିନ। ଆଜି ନୱାଡାରେ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ମଧ୍ୟ ଅଛି। ନୀତୀଶ କୁମାରଙ୍କ ଦିଲ୍ଲୀ (ରାଜ୍ୟସଭା) ଯିବା ପୂର୍ବରୁ ଏହି ଗସ୍ତଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Scroll to Top