B

b

ନଭେମ୍ବର ୨୦ ରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପୂର୍ବରୁ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ୧୯ରେ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି।

author-image

Nitish Kumar

Nitish Kumar Photograph: (OTV)

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିପୁଳ ବିଜୟ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇସ୍ତଫା ଦେବେ। ଇସ୍ତଫା ଦେବା ପୂର୍ବରୁ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ବିଧାନସଭା ଭଙ୍ଗ ମରିବାକୁ ସୁପାରିଶ କରିଛନ୍ତି ନୀତିଶ। ନୀତିଶ ଶେଷ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଆସନ୍ତା ୧୯ରେ ବିଧାନସଭା ଭଙ୍ଗ ହେବ। ସେହିଦିନ ହିଁ ଇସ୍ତଫା ଦେବେ ନିତିଶ। ନଭେମ୍ବର ୨୦ ତାରିଖରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅଛି। ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ବିହାରର ରାଜଧାନୀ ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେବେ। ଏଥିସହିତ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକର କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସମେତ ଏନଡିଏର ଅନେକ ଶୀର୍ଷ ନେତା ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ବିହାରର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେଇ ପାରନ୍ତି ନୀତିଶ।

ବିହାର କ୍ୟାବିନେଟ ବୈଠକ ପରେ, ଜେଡି(ୟୁ) ନେତା ବିଜୟ ଚୌଧୁରୀ କହିଛନ୍ତି, “ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ନଭେମ୍ବର ୧୯ ସୁଦ୍ଧା ବିଧାନସଭା ଭଙ୍ଗ କରାଯିବ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଐତିହାସିକ ବହୁମତ ହାସଲ କରିଛି ଏବଂ ଏଥିପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପର୍ଯ୍ୟନ୍ତ କେବଳ ଏହି ପଦକ୍ଷେପ ନିଆଯାଇଛି।”

ସୂଚନାଯୋଗ୍ୟ, ୨୪୩ ଟି ବିଧାନସଭା ଆସନରୁ ୨୦୨ଟି ଆସନ ଜିତି ଏକ ବିରାଟ ବହୁମତ ହାସଲ କରିଥିଲା ଏନଡିଏ।

Scroll to Top