B

b

କଟକରେ କୋଠା ଭୁଶୁଡ଼ି ୩ ମୃତ। ମଣି ସାହୁ ଛକରେ ଭୁଶୁଡ଼ିଲା କୋଠା ବାଲକୋନି। ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡ଼ିଗଲା। ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

author-image

Cuttack

Cuttack Photograph: (OTV)

ଆଜବେଷ୍ଟସ୍ ଘର ଉପରେ ପଡ଼ିଲା ବାଲକୋନି ନା ଜେଜେ ବାପା ଜାଣିଥିଲେ, ନା ବାପା। ନା ପରିବାରର ଅନ୍ୟ କେହି ଭାବିଥିଲେ ନା ଜାଣିପାରିଥିଲା ୩ ବର୍ଷର ଶିଶୁଟି। ମରଣ ଯେ ଏମିତି ବି ଆସିପାରେ କେହି କେବେ କଳ୍ପନା ହିଁ କରିନଥିଲେ। କଟକ ସହର ସ୍ଥିତ ମଣି ସାହୁ ଛକ ଟ୍ରାଜେଡି କଥା ଯିଏ ଦେଖୁଛି, ତା’ ଆଖିରୁ ଲୁହ ଆସୁଛି। କାରଣ କୋଠା ବାଲକୋନୀ ଭୁଶୁଡ଼ି ୩ ଜଣଙ୍କ ଜୀବନ ଯାଇଛି। ଆଉ ମୃତକ ମାନେ ହେଲେ ୩ ବର୍ଷିୟ ଶିଶୁପୁତ୍ର ସହ ତା’ ବାପା ଏବଂ ଜେଜେବାପା। 
ଏକ ପୁରୁଣା କୋଠାର ବାଲକୋନି ଭୁଶୁଡ଼ିବାରୁ ଏହି ଦୁଃଖଦ ଅଘଟଣ ଘଟିଛି। କୋଠାର ବାଲକୋନୀ, ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଲା। ଫଳରେ ଗୁରୁତର ହୋଇଥିଲେ ୩ ଜଣ। ତାଙ୍କୁ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଶିଶୁପୁତ୍ରଟି ୩ ବର୍ଷର ଅବଦୁଲ୍ ମୁଜାହିଦ, ତାଙ୍କ ବାପା ଅବଦୁଲ୍ ଜାହିଦ୍ ଓ ଜେଜେବାପା ୬୦ ବର୍ଷୀୟ ଅବଦୁଲ୍ ଜଲିଲ। 


ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର। ଏହି ଘଟଣା ପରେ ଆପାର୍ଟମେଣ୍ଟ ମାଲିକଙ୍କ ବେପରୁଆକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ। 
ମରାମତି ପାଇଁ କହି ଆସୁଥିଲେ ବି କରି ନଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ ଆପାର୍ଟମେଣ୍ଟ ମାଲିକଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ସହରରେ ପୁରୁଣା କୋଠାକୁ ଭାଙ୍ଗିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିବା ସିଏମସି କର୍ତ୍ତୃପକ୍ଷ କହିଛି।

Scroll to Top