Asha Bhosle passed away: ରବିବାର ଆଶା ଭୋସ୍ଲେଙ୍କ ପରଲୋକ ହେବା ସହିତ ଭାରତୀୟ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି। ପ୍ରଥମେ ବଡ଼ ଭଉଣୀ ଲତା ଆଉ ଏବେ ସାନ ଭଉଣୀ ଆଶାଙ୍କ ବିୟୋଗ ସଂଗୀତ ଉଦ୍ୟନକୁ ମରୁଭୂମିରେ ପରିଣତ କରି ଦେଇଛି। ରବିବାର (୧୨ ଏପ୍ରିଲ ୨୦୨୬) ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଆଶାଙ୍କ ପରଲୋକ ହୋଇଛି। ଛାତିରେ ସଂକ୍ରମଣ ଏବଂ ଶ୍ୱାସକ୍ରିୟା ସମସ୍ୟା ଯୋଗୁ ଶନିବାର ଦିନ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
ଆଶାଙ୍କ ଶେଷ କୃତ୍ୟ ସମ୍ପର୍କରେ ତାଙ୍କ ପୁଅ ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି। ହସ୍ପିଟାଲ୍ ବାହାରେ ମିଡିଆକୁ ପ୍ରତିକ୍ରିୟା ଦେଇ ଆନନ୍ଦ କହିଛନ୍ତି “ମୋ ମାଆ ଶ୍ରୀମତୀ ଆଶା ଭୋସ୍ଲେଙ୍କର ଆଜି ନିଧନ ହୋଇଛି। ସେ ଯେଉଁଠି ରହୁଥିଲେ, କାସା ଗ୍ରାଣ୍ଡ ଲୋୟର ପାରେଲରେ ଦିନ ୧୧ଟାରେ ତାଙ୍କର ଶେଷ ଦର୍ଶନ ହେବ। ଆପଣମାନେ ସେଠାକୁ ଆସନ୍ତୁ। କାଲି ଆପରାହ୍ନ ୪ ଟା ରେ ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ହେବ।”
ଇଂରାଜୀ ଓ ଋଷ ଭାଷାରେ ବି ଗାଇଛନ୍ତି ଗୀତ
ବଲିଉଡ୍ ମେଲୋଡୀ କ୍ୱିନ ଆଶା ଭୋସ୍ଲେ ମାତ୍ର ୧୦ ବର୍ଷ ବୟସରେ ୧୯୪୩ ମସିହାରେ ସଂଗୀତ ଯ।ତ୍ରା ଆରମ୍ଭ କରିଥିଲେ। ତାଙ୍କର ଦୀର୍ଘ ୮୦ ବର୍ଷର ମ୍ୟୁଜିକ କ୍ୟରିୟରରେ ୨୦ରୁ ଅଧିକ ଭାଷାରେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଭାରତୀୟ ଭାଷା ସମେତ ଇଂରାଜୀ ଓ ଋଷୀୟ ଭାଷାରେ ବି ଗୀତ ଗାଇଛନ୍ତି ଆଶା। ଆଶା ହିନ୍ଦୀ, ମରାଠୀ, ବଙ୍ଗାଳୀ, ଓଡ଼ିଆ, ଗୁଜରାଟୀ, ପଞ୍ଜାବୀ, ତାମିଲ, ତେଲୁଗୁରେ ବି ଗୀତ ଗାଇଛନ୍ତି। ୨୦୧୭ ମସିହାରେ ଆଶା ଶେଷ ଥର ପାଇଁ ତାଙ୍କ ନାତୁଣୀ ଜାନାଇଙ୍କ ସହ ଓଡ଼ିଆ ଗୀତ ଗାଇଥିଲେ।
ଆଶାଙ୍କ ସୁପର ହିଟ୍ ଓଡ଼ିଆ ଗୀତ
ଆଶା ଭୋସ୍ଲେ ଏକାଧିକ ଓଡ଼ିଆ ଗୀତ ଗାଇଛନ୍ତି। ୧୯୮୧ ମସିହାରେ ଆରତୀ ସିନେମାର ସେ ଗାଇଥିବା‘ଜହ୍ନ ଗୋ ତୁମେ ଝୁରନା’ଆଜି ବି ପ୍ରତି ଓଡ଼ିଆଙ୍କ ହୃଦୟରେ ଘର କରି ରହିଛି। ସେହିପରି ‘ଝିମି ଝିମି ତା ମଜା ଡାକିଲେ ନ ଛାଡ଼ିବୁ’ (ସମୟ-୧୯୭୬), ‘ମୁ ହଜିଛି ତୁମ ଆଖିର’ (ସନ୍ଧ୍ୟାତାରା ୧୯୭୭) ଏବଂ‘ତୋ ନାଁରେ ପିନ୍ଧିଲି ଶାଢ଼ି’ (ମାଆ,୧୯୫୯) ଭଲି ଓଡ଼ିଆ ଗୀତ ଗାଇଛନ୍ତି ଆଶା। ବନ୍ଦେ ଉତ୍କଳ ଜନନୀ ମଧ୍ୟ ଆଶାଙ୍କ ସ୍ୱରରେ ବେସ୍ ଲୋକପ୍ରିୟ ହୋଇଛି।
ସେ ଓଡ଼ିଶାର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର,ଶାନ୍ତନୁ ମହାପାତ୍ର ଏବଂ ଭୁବନ-ହରିଙ୍କ ନିର୍ଦ୍ଦେଶନାରେ ଅଧିକାଂଶ ଗୀତ ଗାଇଛନ୍ତି। ଆଶା ଭୋସ୍ଲେ ପାଖାପାଖି ୧୦-୧୫ଟିରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି। ତେବେ ୨୦୧୭ରେ ପ୍ରଥମ ଓଡ଼ିଆ ଜଗନ୍ନାଥ ଭଜନ ମଣିମାରେ କଣ୍ଠଦାନ କରିଥିଲେ ଆଶା। ଦେବୀତୋଷ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଯୋଜିତ ଓ ଦେବୀତୋଷ ଆଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଗୀତର କ୍ରିଏଟିଭ ଡାଇରେକ୍ଟର ଥିଲେ ଅଭିନାଶ ନନ୍ଦ। ସେହିପରି ସମ୍ବଲପୁରୀ ସିନେମା ଚିନିରେ ମଧ୍ୟ କଣ୍ଠଦାନ କରିଛନ୍ତି ଆଶା।
#WATCH | Mumbai: Legendary singer Asha Bhosle’s son, Anand Bhosle says, “My mother passed away today. People can pay their last respects to her at 11 am tomorrow at Casa Grande, Lower Parel, where she lived. Her last rites will be performed at 4 pm tomorrow at Shivaji Park.” https://t.co/enJlEizboY pic.twitter.com/4WqTd9HYxg
— ANI (@ANI) April 12, 2026




