ସାର ଯନ୍ତ୍ରଣାରେ ଛଟପଟ ଚାଷୀଙ୍କର ଭାଙ୍ଗିଲାଣି ଧୈର୍ଯ୍ୟବନ୍ଧ। ଆଗେ ସୋସାଇଟି ଆଗରେ ଲାଇନ୍ ଲଗାଉଥିଲେ ଏବେ ସିଧା ଆନ୍ଦୋଳନକୁ ଓହ୍ଲାଇଲେଣି। ସାରା ଦକ୍ଷିଣ ଓଡ଼ିଶାରୁ ଆସିବାରେ ଲାଗିଛି ସାର ଟେନସନର ପୁଳା ପୁଳା ଚିତ୍ର। ରାଜନୀତି ବି ସଂଗୀନ ହେଲାଣି, ବିଜେଡି ଆଜି ଏ ପ୍ରସଙ୍ଗରେ ରାଜଧାନୀରେ ଗର୍ଜନ କରିବା ସହ ରାଜ୍ୟପାଳଙ୍କୁ ଭେଟିଛି। କଂଗ୍ରେସ କହିଛି ଏହାକୁ ବିଧାନସଭାରେ ଉଠାଇବୁ। ତେଣେ ବିରୋଧୀଙ୍କୁ ଜବାବ ରଖି ସମବାୟ ମନ୍ତ୍ରୀ କହିଛନ୍ତି ଗତବର୍ଷ ତୁଳନାରେ ଏବର୍ଷ ୨ଲକ୍ଷ ଟନ୍ ରୁ ଅଧିକ ସାର ବଣ୍ଟା ସରିଥିବାବେଳେ ଦରକାର ପଡ଼ିଲେ ଆହୁରି ମଗାଇବୁ।…
ଅନ୍ନଦାତାଙ୍କୁ ଅସହ୍ୟ କଲାଣି ସାର ଯନ୍ତ୍ରଣା । କ୍ଷେତରେ ଧାନ ସିନା ହସୁଛି, ହେଲେ ସାର ନପାଇ ଚାଷୀ କାନ୍ଦୁଛି ।
ଆଉ ଦିନ କେଇଟା ଭିତରେ ଜମିରେ ସାର ନପଡ଼ିଲେ ଅମଳକୁ ମାଡ଼ ହେବ। ସେଥିପାଇଁ ସୋସାଇଟି ଆଗରେ ରାତିଅଧରୁ ଲାଇନ୍ ଦେବାକୁ ପଡୁଛି। ତାସତ୍ତ୍ବେ ଦରକାର ମୁତାବକ ସାର ମିଳୁନଥିବାରୁ ଭାଙ୍ଗୁଛି ଧୈର୍ଯ୍ୟବନ୍ଧ, ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେଣି। ସାରା ଦକ୍ଷିଣ ଓଡ଼ିଶାରେ ଏବେ ଏଭଳି ସ୍ଥିତି। ଇଏ ଗଞ୍ଜାମ ଦିଗପହଣ୍ଡିର ଚିତ୍ର। ସିଦ୍ଧେଶ୍ୱର ସମବାୟ ସମିତିରେ ସାର ମିଳୁନଥିବା ଅଭିଯୋଗରେ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ଗଣିଆନାଳ ଛକରେ ଅବରୋଧ କରିଥିଲେ ଚାଷୀ। ଫଳରେ ୧୭ ନମ୍ବର ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।
Also Read
ଆସ୍କାରେ ସାର ବସ୍ତାଏ ପାଇଁ ମଝି ରାତିରୁ ଲାଗିଛି ଲାଇନ୍। ମଙ୍ଗଳପୁର ସୋସାଇଟି ଆଗରେ ଲମ୍ବା ଲାଇନରେ ଶହ ଶହ ଚାଷୀ। ଦୁଇ ଦିନ ତଳେ ଯୋଗାଣ ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲେ, ହେଲେ ବି ସ୍ଥିତି ଯଥା ପୂର୍ବଂ-ତଥା ପରଂ। କୋରାପୁଟ ଜିଲ୍ଲା ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ବି ଚାଷୀଙ୍କ ଅସମ୍ଭାଳ ଭିଡ଼। ବସ୍ତାଏ ୟୁରିଆ ସାର ବଢ଼ି ଭୋର୍ ଲାଇନ୍। ଦୁଇ ଦିନ ତଳେ ଏଠି ଚାଷୀ ରାତିରେ ଧାରଣା ବି ଦେଇଥିଲେ। ହେଲେ ଫଳ ଶୂନ୍।…
ଏଣେ ରାଜ୍ୟରେ ଘୋର ସାର ସଙ୍କଟକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ରାଜଧାନୀରେ ଗର୍ଜିଛି ବିଜେଡି। ସର୍କିଟ ହାଉସ ଆଗରେ ସରକାରଙ୍କ ଅପରାଗତାକୁ ନେଇ ପ୍ରଥମେ ସଭା କରିବା ପରେ ରାଜଭବନ ଅଭିମୁଖେ ରାଲିରେ ଯାଇ ରାଜ୍ୟପାଳଙ୍କୁ ଦଳ ଦେଇଛି ସ୍ମାରକପତ୍ର। ତେଣେ କଂଗ୍ରେସର ଆକ୍ଷେପ- ସାର କଳାବଜାରୀରେ ଖୋଦ୍ ସରକାରଙ୍କ ସମ୍ପୃକ୍ତି ରହିଛି । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ତେଣେ ବିରୋଧୀଙ୍କୁ କାଉଣ୍ଟର କରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ସରକାରଙ୍କ ପାଖରେ ଏବେ ୧ ଲକ୍ଷ ୮୦ ହଜାର ଟନ୍ ସାର ମହଜୁଦ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ହୋଇଥିବାବେଳେ ଏ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ଚାଷୀଙ୍କୁ ବଣ୍ଟା ସରିଲାଣି। ଦରକାର ପଡ଼ିଲେ ଆହୁରି ସାର ମଗାଯିବ।
ସାର ଅଭାବକୁ ନେଇ ବଢୁଥିବା ଚାଷୀ ଯନ୍ତ୍ରଣା ଓ ପଲିଟିକ୍ସରେ କେତେଶୀଘ୍ର ପୂର୍ଣ୍ଣଚ୍ଛେଦ ପଡୁଛି, ଏବେ ତାହା ଦେଖିବାର କଥା।




