ଅଧା ବାଟରେ ଅଚଳ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ !
Published By : Prameya-News7 Bureau | August 24, 2025 IST

ଆସ୍କା: ରୋଗୀ ନେଇ ବୁଗୁଡ଼ାରୁ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲକୁ ଯାଉଥିଲା ଆମ୍ବୁଲାନ୍ସ l ଅଧାବାଟରେ ଆମ୍ବୁଲାନ୍ସ ଅଚଳ ହୋଇଯିବାରୁ ଚାଲିଗଲା ଜଣେ ରୋଗୀର ଜୀବନ l ମୃତକ ହେଲେ ବୁଗୁଡ଼ା ଭ୍ୟାମଶାଳୀ ଗ୍ରାମର ଜୟନ୍ତୀ ସାମଲ ।
ସୂଚନା ଅନୁସାରେ, ଶନିବାର ଭ୍ୟାମଶାଳୀ ଗ୍ରାମର ଜୟନ୍ତୀ ସାମଲ କ୍ଷେତକୁ କାମ କରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ତାଙ୍କୁ ବିଷାକ୍ତ ସାପ କାମୁଡ଼ିଥିଲା । ପରିବାରଲୋକେ ତାଙ୍କୁ ବୁଗୁଡ଼ା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରୁ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l
ତେବେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଜୟନ୍ତୀକୁ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲକୁ ନେବା ସମୟରେ ହିଞ୍ଜିଳିକାଟୁଠାରେ ଆମ୍ବୁଲାନ୍ସର ବ୍ରେକ ଡାଉନ୍ ହେଇ ଅଚଳ ହୋଇପଡ଼ିଥିଲା । ପରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡାକି ରୋଗୀ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ନେବାରେ ପ୍ରାୟ ୪୫ ମିନଟ ବିଳମ୍ବ ହୋଇଥିଲା। ଆଉ ଏହି ବିଳମ୍ବ ପାଇଁ ରୋଗୀ ଜଣଙ୍କ ମୃତ୍ୟୁ ବରଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ବ୍ରହ୍ମପୁର ମେଡିକାଲ ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି ।





