ନୋଏଡ଼ା ଯୌତୁକ ପାଇଁ ବଧୂ ପୋଡ଼ି ମାମଲାରେ ଶାଶୂ ବି ଗିରଫ: ସ୍ୱାମୀ ବିପିନକୁ ୧୪ ଦିନ କଷ୍ଟୁଡିରେ ନେଲା ପୁଲିସ

ନୋଏଡ଼ା-ଯୌତୁକ-ପାଇଁ-ବଧୂ-ପୋଡ଼ି-ମାମଲାରେ-ଶାଶୂ-ବି-ଗିରଫ:-ସ୍ୱାମୀ-ବିପିନକୁ-୧୪-ଦିନ-କଷ୍ଟୁଡିରେ-ନେଲା-ପୁଲିସ

ନୂଆଦିଲ୍ଲୀ: ନୋଏଡ଼ା ଯୌତୁକ ପାଇଁ ବଧୂ ପୋଡ଼ି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ପରେ ଏବେ ଶାଶୂକୁ ବି ଗିରଫ କରିଛି। ଏନେଇ ଗ୍ରେଟର ନୋଏଡ଼ା ଡିସିପି ସୂଚନା ଦେଇଛନ୍ତି। ପୁଲିସ ଏନ୍‌କାଉଣ୍ଟରେ ଅଭିଯୁକ୍ତ ପୁଅ ବିପିନ ଭଟ୍ଟି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିବା ଖବର ଶୁଣି ମହିଳାଙ୍କ ଶାଶୂ ଡାକ୍ତରଖାନା ଯାଇଥିଲେ। ଖବର ପାଇ ପୁଲିସ ସେଠାରୁ ତାଙ୍କ ଗିରଫ କରିଥିଲା।  

ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅଭିଯୁକ୍ତ ବିପିନ ଜେଆଇଏମଏସ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବାକୁ ମାଆ ସାନ୍ସ ଦୟାବତୀ ହସପିଟାଲ୍‌ରେ ପହଞ୍ଚିବା ପରେ ପୁଲିସ ଗିରଫ କରିଥିଲା। 

ଏହା ପୂର୍ବରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ବିପିନ ଭଟ୍ଟିକୁ ଗିରଫ କରିଥିଲା। ଡାକ୍ତରଖାନାରୁ ତାକୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ମାମଲାରେ ପୁଲିସ ବିପିନ ପାଖରେ ପହଞ୍ଚିବା ବେଳେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୁଲିସ ତାକୁ ଧରିବାକୁ ଗୁଳି ମାରିଥିଲା। ବିପିନ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ବିପିନ କହିଛି ଯେ ସେ ତା ସ୍ରୀଗୋକୁ ମାରି ନାହିଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୁଏ। ଆଉ ୟାଠାରୁ ଅଧିକ କିଛି ମୁଁ ଜାଣି ନାହିଁ ବୋଲି ବିପିନ କହିଛି। ହେଲେ ଗଣମାଧ୍ୟମ ହାତରେ ପଡ଼ିଥିବା ଫୁଟେଜରେ ବିପିନ ପତ୍ନୀ ନିକିଙ୍କୁ ନୃଶଂସ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ନିକିଙ୍କ ନାବାଳକ ପୁଅର କହିବା ଅନୁସାରେ ବାପା ବିପିନ ହିଁ ମାଆକୁ ଜାଳି ଦେଇଛି। 

୨୦୨୫ର ଆଧୁନିକ ଦୁନିଆରେ ସମସ୍ତେ ସ୍ୱବଲମ୍ବି ହେବାକୁ ଦୌଡ଼ୁଥିବା ବେଳେ ମାଗଣାରେ ଯୌତୁକ ପାଇବାର ଲୋଭ ଏଯାଏ ଯେ ଲୋକଙ୍କ ମନରେ ରହିଛି, ଆଉ ଲୋକେ ଏଇ ନିର୍ଜୀବ ଗାଡ଼ି ଘୋଡ଼ା ପାଇଁ ନିଜ ଜୀବନ ସାଥୀକୁ ହତ୍ୟା କରୁଛନ୍ତି, ଏହି ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି

Scroll to Top