Regional Party: ଓଡ଼ିଶା ରାଜନୀତିରେ ଜନ୍ମ ନେବକି ନୂଆ ଦଳ ? ଦିଲ୍ଲୀରୁ ବରିଷ୍ଠ ନେତା ଫେରିବା ପରେ ବଢିଲା ଚର୍ଚ୍ଚା

regional-party:-ଓଡ଼ିଶା-ରାଜନୀତିରେ-ଜନ୍ମ-ନେବକି-ନୂଆ-ଦଳ-?-ଦିଲ୍ଲୀରୁ-ବରିଷ୍ଠ-ନେତା-ଫେରିବା-ପରେ-ବଢିଲା-ଚର୍ଚ୍ଚା

ରାଜ୍ୟରେ ଗଠନ ହେବ କି ଆଉ ଏକ ଫ୍ରଣ୍ଟ । ତିନି ପ୍ରମୁଖ ଦଳକୁ ଛାଡି ଗଢି ଉଠିବ କି ନୂଆ ଦଳ । ବିଗତ କିଛି ଦିନ ହେବ ଏକ୍ସ ବିଜେଡି ଭେଟେରାନଙ୍କ କାର୍ଯ୍ୟକଳାପ ଦେଖିବା ପରେ ରାଜ୍ୟରେ ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏପରିକି ଏହି ପୁରୁଖା ନେତାମାନେ ମେଳି କରି ଏକାଠି ହେବା ଓ ପରେ ଦିଲ୍ଲୀ ଯିବା ଏହି ଚର୍ଚ୍ଚାକୁ ଖୋରାକ୍ ବି ଯୋଗାଉଛି । ବରିଷ୍ଠ ନେତା ଅମର ଶତପଥୀ ଦିଲ୍ଲୀ ଗସ୍ତ ବିଷୟକୁ ସ୍ବୀକାର କରିଥିଲେ ହେଁ ନୂଆ ଦଳ ଗଠନ ସମ୍ଭାବନାକୁ ଏଡାଉ ବି ନାହାନ୍ତି । ତେଣେ ଏହି ସମୀକରଣକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।…

ରାଜ୍ୟ ରାଜନୀତିରେ ଜନ୍ମ ନେବକି ନୂଆ ଦଳ ? ବିଜେପି, ବିଜେଡି ଓ କଂଗ୍ରେସ ବାଦ ଗଠନ ହେବ କି ନୂଆ ସାମ୍ମୁଖ୍ୟ ?
ପ୍ରମୁଖ ବରିଷ୍ଠ ନେତାଙ୍କ ମେଳି ଓ ଦିଲ୍ଲୀ ଗସ୍ତ ପରେ ବଢିଲା ଚର୍ଚ୍ଚା। ପୂର୍ବତନ ପୁରୁଖା ବିଜେଡି ନେତା ଅମର ଶତପଥୀ, ପ୍ରଭାତ ତ୍ରିପାଠୀଙ୍କ ସମେତ କିଛି ନେତା ଦିଲ୍ଲୀ ଯାଇ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ଭେଟ୍ ଘାଟ୍ କରିଛନ୍ତି। ଏକଥାକୁ ଖୋଦ ଅମର ଶତପଥୀ ସ୍ବୀକାର ବି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ରାଜନୈତିକ ଆଲୋଚନା ହୋଇଛି। ବିଭିନ୍ନ ଦଳ ଆମ ସହ ସମ୍ପର୍କରେ ଥିବା ବେଳେ ଆଉ କିଛି ଅସନ୍ତୁଷ୍ଟ ନେତା ମଧ୍ୟ ଯୋଗାଯୋଗରେ ଅଛନ୍ତି । ତେବେ ନୂଆ ଦଳ ପାଇଁ ବର୍ତ୍ତମାନ ସମୟ ଆସି ନଥିବା ଅମର କହିଥିବା ବେଳେ ପ୍ରକାରାନ୍ତରେ କିନ୍ତୁ ସମ୍ଭାବନାକୁ ଏଡାଇ ନାହାନ୍ତି । ଏଠି ପ୍ରଶ୍ନ, କିଛି ଦିନ ତଳେ ଓଳାସୁଣୀରେ ବନ୍ଧୁମିଳନ ନାଁରେ ମେଳି କରିଥିବା ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ ପଛର ଅସଲ ଉଦ୍ଦେଶ୍ୟ କଣ ?

Also Read

ଅପରପକ୍ଷେ ଏଭଳି ସମୀକରଣକୁ ନେଇ ତେଜିଛି ରାଜନୈତିକ ବୟାନ ବାଜି। ବିଜେଡି ପୁରୁଖା ନେତାଙ୍କୁ କଟାକ୍ଷ କରି କହିଛି ସବୁ ଶୂନ ମିଶିଲେ ବି ଏକ ହୋଇପାରିବେନି। କଂଗ୍ରେସ ନିଜକୁ ଏକମାତ୍ର ବିକଳ୍ପ ବୋଲି କହିଛି। ବିଜେପିର ଯୁକ୍ତି ନୂଆ ସାମୁଖ୍ୟ ଓଡିଶାରେ କାମ ଦେବନି।…

ବିଜେଡିର ୨୦୨୪ ବିପର୍ଯ୍ୟୟ ପରେ ରାଜ୍ୟରେ ନୂଆ ସମୀକରଣର ସମ୍ଭାବନା ଦେଖାଦେଇଛି। ଅସନ୍ତୁଷ୍ଟ ବିଜେଡି ନେତା ଏବେ ଆଶ୍ରା ଖୋଜୁଛନ୍ତି। ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଥିବାରୁ ଏବେ ଦଳର ସଂଗଠନ ତୃଣମୂଳ ସ୍ତରରୁ ଭୁଶୁଡିବା ଆରମ୍ଭ ହୋଇଛି। ପ୍ରତିଦିନ କର୍ମୀ ଅସନ୍ତୋଷ ପ୍ରକାଶ କରି ଦଳ ଛାଡୁଛନ୍ତି। ସେହିପରି କଂଗ୍ରେସ ସଂଗଠିତ ହୋଇ ପାରିନଥିବାରୁ ବରିଷ୍ଠ ନେତା ଭରସା ଜୁଟାଇ ପାରୁନାହାଁନ୍ତି ଏହି ଦଳ ଆଡକୁ ଯିବା ଲାଗି। ଯେଉଁଥିପାଇଁ ନୂଆ ଅଙ୍କ କଷୁଛନ୍ତି ବରିଷ୍ଠ ରାଜନେତା।…

କିଛି ଦିନ ତଳେ ବିଜେଡ଼ିରୁ ବିତାଡିତ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓଡିଶାରେ ନୂଆ ସାମ୍ମୁଖ୍ୟର ସମ୍ଭାବନା ଥିବା କଥା କହିଥିଲେ। ମେଳି ନେତାଙ୍କ ଭିତରେ ସେ ମଧ୍ୟ ଥିବାରୁ ଚର୍ଚ୍ଚା ବଢୁଛି। ଏବେ ଦେଖିବାର କଥା ନୂଆ ଦଳ ସମୀକରଣ ଦାନା କେବେ ବାନ୍ଧୁଛି।…
 

Scroll to Top