ନେତନ୍ୟାହୁଙ୍କ ବିରୋଧରେ ବାହାରିଲେ ହଜାର ହଜାର ଇସ୍ରାଏଲବାସୀ , ହମାସ ସହ ଡିଲ୍‌ କରିବାକୁ କଲେ ଦାବି

ନେତନ୍ୟାହୁଙ୍କ-ବିରୋଧରେ-ବାହାରିଲେ-ହଜାର-ହଜାର-ଇସ୍ରାଏଲବାସୀ-,-ହମାସ-ସହ-ଡିଲ୍‌-କରିବାକୁ-କଲେ-ଦାବି

ନୂଆଦିଲ୍ଲୀ – ଇସ୍ରାଏଲ ଓ ହମାସ ମଧ୍ୟରେ ଗାଜାରେ ଲାଗି ରହିଛି ଯୁଦ୍ଧ। ଏହା ଥମିବାର ନାଁ ହିଁ ନେଉ ନାହିଁ। ଅକାରଣରେ ନୀରିହ ଜନତାଙ୍କ ଜୀବନ ଯାଉଛି। ଏହି ଯୁଦ୍ଧକୁ ନେଇ ଏବେ ଇସ୍ରାଏଲବାସୀ ଖୁବ୍‌ ବିରୋଧ ଆରମ୍ଭ କରି ଦେଇଛନ୍ତି। ପୂରା ଇସ୍ରାଏଲରେ ଅନେକ ରାଲି ବାହାରୁଛି, ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ହମାସ ସହ ବନ୍ଧକଙ୍କ ଫେରିବାକୁ ନେଇ ଡିଲ୍‌ କରିବାକୁ ଦାବି କରୁଛନ୍ତି। ଏଥିରେ ଗୋଟିଏ ରାଲି ଶନିବାର ତେଲ ଅଭିଭ୍‌ର ହୋଷ୍ଟେଜ୍‌ ସ୍କ୍ୱାୟରରେ ହୋଇଛି। ଏଥିରେ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଓ ବନ୍ଧକଙ୍କ ଘର ଫେରିବାକୁ ନେଇ ସରକାର ଡିଲ୍‌ କରିବାକୁ ଦାବି କରିଛନ୍ତି।

ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ମୁତାବିକ , ଏହି ସ୍ଥାନ ବ୍ୟତୀତ ରାଜଧାନୀରେ ହିଁ କିଛି ଲୋକ ଅନ୍ୟ ସ୍ଥାନରେ ଏକତ୍ର ହୋଇଛନ୍ତି, ଯେଉଁଠି ସେମାନେ ଇହୁଦୀ-ଆରବ ଯୁଦ୍ଧ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଗାଜାରେ ବନ୍ଧକ ଥିବା ତାଙ୍କର ଦୁଇ ଭାଇ ଗଲି ଓ ଜିଭ୍‌ଙ୍କର ଫେରିବା ବାଟକୁ ଚାହିଁ ରହିଥିବା ଲିରାନ ବର୍ମନ କହିଛନ୍ତି , ଶାନ୍ତି ପାଇଁ ଏକ ଚୁକ୍ତି ଉପରେ ଆଲୋଚନା ଚାଲିଛି। କିନ୍ତୁ ଏମିତି ଡିଲ୍ସ ଆମେ ଗତ କିଛି ମାସ ହେବ ଦେଖୁଛୁ। ଏହା ଅଧିକ ଦିନ ରହୁନାହିଁ। ତାଙ୍କ ତରଫରୁ ଦ୍ୱାର ଶୀଘ୍ର ବନ୍ଦ ହୋଇ ଯାଉଛି। ବୋଧହୁଏ ସେଠାରେ ଫସି ଥିବା ବନ୍ଧକଙ୍କୁ ବଞ୍ଚାଇବାର ଏହା ଶେଷ ସୁଯୋଗ। ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆଲୋଚନା ଓ ଚୁକ୍ତିର କଥା ତ କହୁଛନ୍ତି , ହେଲେ ତାଙ୍କର ବ୍ୟବହାରରୁ ଲାଗୁଛି ଯେ , ସେ ବନ୍ଧକଙ୍କୁ ବଳି ଚଢାଇବାକୁ ଚାହାନ୍ତି।

ଉଲ୍ଲେଖନୀୟ ଯେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଗୁରୁବାର କହିଥିଲେ ଯେ, ସେ ସମସ୍ତ ୫୦ ଜଣ ବନ୍ଧକଙ୍କ ଫେରିବା ପାଇଁ ଆଲୋଚନାର ନିର୍ଦ୍ଦେଶ ଜାରି କରି ଦେଇଛନ୍ତି।ହେଲେ ଏହି ମଧ୍ୟରେ ନେତନ୍ୟାହୁ ଗାଜାରେ ପୃଥକ ଭାବେ ଆକ୍ରମଣର ମଧ୍ୟ ଆରମ୍ଭ କରି ଦେଇଛନ୍ତି। ନେତନ୍ୟାହୁଙ୍କ ଏହି ନୀତିକୁ ଦେଖି ବିରୋଧ ପ୍ରଦର୍ଶନକାରୀଙ୍କ ବିଶ୍ୱାସ ଯେ, ସେ (ନେତନ୍ୟାହୁ) କୌଣସି ବି ଡିଲ୍‌କୁ ନେଇ ଗୁରୁତର ନୁହନ୍ତି ଏବଂ ବନ୍ଧକଙ୍କୁ ବଳି ଦେଉଛନ୍ତି।

Scroll to Top