ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରିବା, ଭାରତ ଓ ଭାରତୀୟ ବୈଜ୍ଞାନିକଙ୍କ ଅଭ୍ୟାସରେ ପରିଣତ ହୋଇଛି । ଆଜି ମହାକାଶ ପ୍ରଯୁକ୍ତି ଭାରତୀୟ ପ୍ରଶାସନର ଅଂଶ ହୋଇଛି । ଜାତୀୟ ମହାକାଶ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମୋଡରେ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଗଗନଯାନ ମିଶନରେ ଯିବାକୁ ଥିବା ଅନ୍ୟ ମହାକାଶଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ କେନ୍ଦ୍ରୀୟ ପୃଥ୍ୱୀ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ମଧ୍ୟ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଚଳିତ ବର୍ଷ ମହାକାଶ ଦିବସର ଥିମ୍ ଆର୍ଯ୍ୟଭଟ୍ଟରୁ ଗଗନଯାନ ଯାଏ ରହିଛି । ଏଥିରେ ଅତୀତର ଆତ୍ମବିଶ୍ୱାସ ବି ଅଛି ଓ ଭବିଷ୍ୟତର କଳ୍ପନା ମଧ୍ୟ । କମ ସମୟ ଭିତରେ ହିଁ ଜାତୀୟ ମହାକାଶ ଦିବସ ଆମ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଓ ଆକର୍ଷଣର ବିଷୟ ହୋଇଛି । ଏହା ଦେଶ ପାଇଁ ଗୌରବର ବିଷୟ । ପ୍ରଧାନମନ୍ତ୍ରୀ କହିଥିଲେ, ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରିବା, ଭାରତ ଓ ଭାରତୀୟ ବୈଜ୍ଞାନିକଙ୍କ ସ୍ୱଭାବ ହୋଇଛି । ଦୁଇ ବର୍ଷ ପୂର୍ବେ ଭାରତ ଏପରି ଦେଶ ପାଲଟିଥିଲା, ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଇତିହାସ ରଚିଥିଲା । ଆମେ ସେହି ଦେଶ ମଧ୍ୟରେ ସାମିଲ ହୋଇଛୁ, ଯେଉଁମାନେ ମହାକାଶରେ ଡକିଂ ଓ ଅନଡକିଂର କ୍ଷମତା ହାସଲ କରିଛନ୍ତି ।
#WATCH | Delhi: On the National Space Day, Prime Minister Narendra Modi says, “Today on the occasion of Space Day, I would like to ask the country’s space start-ups whether we can create five unicorns in the space sector in the next 5 years. Now we see five big launches from… pic.twitter.com/TEUixtNShc
— ANI (@ANI) August 23, 2025
ପିଏମ୍ କହିଥିଲେ, ଶୁଭାଂଶୁ ଶୁକ୍ଲା ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନରେ ତ୍ରିରଙ୍ଗା ପହଞ୍ଚାଇ ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିଲେ । ମୋତେ ଯେତେବେଳେ ସେ ତ୍ରିରଙ୍ଗା ଦେଇଥିଲେ, ସେହି ମୁହୂର୍ତ୍ତ ଓ ଅନୁଭୂତିର ଶବ୍ଦରେ ବର୍ଣ୍ଣନା ନାହିଁ । ଆଜି ଭାରତ ସେମି କ୍ରାୟୋଜେନିକ ଇଞ୍ଜିନ ଓ ଇଲେକ୍ଟ୍ରିକ୍ ପ୍ରୋପଲ୍ସନ ପରି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଦିଗରେ ଆଗକୁ ବଢୁଛି । ଆଗାମୀ ଦିନରେ ଭାରତର ନିଜର ସ୍ପେସ୍ ଷ୍ଟେସନ ନିର୍ମାଣ କରିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମୁଁ ଲାଲକିଲ୍ଲାରୁ କହିଥିଲି ଯେ ଆମର ରାସ୍ତା ରିଫର୍ମ, ପରଫର୍ମ ଓ ଟ୍ରାନ୍ସ,ଫର୍ମର ରାସ୍ତା ଅଟେ । ଏଥିପାଇଁ ଗତ ୧୧ ବର୍ଷରେ ଦେଶ ସ୍ପେସ୍ ସେକ୍ଟରରେ ଗୋଟିଏ ପରେ ଗୋଟିଏ ବଡ଼ ସଂସ୍କାର କରିଛି । ଆଜି ମହାକାଶ ପ୍ରଯୁକ୍ତି ଭାରତୀୟ ପ୍ରଶାସନର ଅଂଶ ହୋଇଛି । ଫସଲ ବୀମା ଯୋଜନାରେ ସାଟେଲାଇଟ୍ ସାହାଯ୍ୟରେ ଆକଳନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ସାଟେଲାଇଟ୍ ସାହାଯ୍ୟରେ ସୂଚନା ଓ ସୁରକ୍ଷା ଦିଆଯାଉଛି । ବିପର୍ଯ୍ୟୟ ପରିଚାଳନା ହେଉ ଅବା ପିଏମ୍ ଗତି ଶକ୍ତିରେ ସବୁ ମହାକାଶ ପ୍ରଯୁକ୍ତିକୁ ବ୍ୟବହାର କରାଯାଉଛି । ଆଜି ମହାକାଶ କ୍ଷେତ୍ରରେ ଭାରତର ପ୍ରଗତି ନାଗରିକଙ୍କ ଜୀବନରେ ସୁବିଧା ଆଣିଛି ।




