ଜର୍ଜଟାଉନ ୨୨।୮: ଅଷ୍ଟ୍ରେଲିଆରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଅଗଷ୍ଟ ୨ ତାରିଖ ଦିନ ଏକ ଛୋଟ ବିମାନ ଅଚାନକ ନିଖୋଜ ହୋଇଯାଇଛି ଓ ସେବେଠାରୁ ଏପର୍ଯ୍ୟନ୍ତ ବିମାନ ସମ୍ପର୍କରେ କୌଣସି ସୂଚନା ମିଳୁ ନାହିଁ। ଏହି ବିମାନକୁ ଖୋଜିବା ଲାଗି ଅପରେସନ ଆରମ୍ଭ ହୋଇଛି, ହେଲେ ୨୦ ଦିନ ପରେ ବି ବିମାନର କୌଣସି ଖୋଜ ଖବର ମିଳୁ ନାହିଁ। ‘ଡେଲି ଷ୍ଟାର’ ରିପୋର୍ଟ ଅନୁସାରେ ଅସୁବିଧା ସମୟରେ ବିମାନ କୌଣସି ସଂକେତ ମଧ୍ୟ ଦେଇ ନଥିଲା କି ସମ୍ପର୍କ କରିନଥିଲା।
ଏବେ ବିମାନକୁ ଖୋଜିବା ଲାଗି ଅନେକ ଏଜେନ୍ସୀ ଉଦ୍ୟମ ଚଳାଇଛନ୍ତି। ଏହି ଜାହାଜ୨ ଜଣ ଯାତ୍ରୀଙ୍କୁ ନେଇ ଉଡାଣ କରିଥିଲା। ଏହି ଯାତ୍ରୀ ଦୁଇ ଜଣଙ୍କ ସହ ସେମାନଙ୍କ ପୋଷା କୁକୁର ମଧ୍ୟ ଥିଲା। ବିମାନଟି ଅଗଷ୍ଟ ୨ ତାରିଖ ଦିନ ତାସମେନିଆରୁ ନ୍ୟୁ ସାଉଥୱେଲସ୍ (ଏନଏସଡବ୍ଲୁ) ଅଭିମୁଖେ ଉଡାଣ କରିଥିଲା ଓ ବାସ୍ ଷ୍ଟ୍ରେଟ୍ ଉପରେ ଉଡୁଥିଲା। ବିମାନରେ ୭୨ ବର୍ଷ ବୟଷ୍କ ଗ୍ରେଗରୀ ଭନ ଓ ତାଙ୍କ ସହିତ ୬୬ ବର୍ଷ ବୟଷ୍କ କିମ୍ ୱାର୍ଣ୍ଣର ଓ ତାଙ୍କର କୁକୁର ମୌଲୀ ମଧ୍ୟ ଥିଲା। ବିମାନଟି ମଧ୍ୟାହ୍ନ ୧୨ଟା ୪୫ ମିନିଟରେ ଜର୍ଜ ଟାଉନ ଏୟାରପୋର୍ଟରୁ ଟେକଅଫ କରିବା ପରେ ଭିକ୍ଟୋରିଆରେ ଅଟକିବାର ଥିଲା।
ଅଷ୍ଟ୍ରେଲିୟାନ ମେରିଟାଇମ ସେଫ୍ଟି ଅଥରିଟି (ଏଏମଏସଏ) ନର୍ଥସ୍ମାନିୟା, ବାସ୍ ଷ୍ଟ୍ରେଟ୍ ଓ ସାଉଥ ଭିକ୍ଟୋରିଆରେ ସେମାନଙ୍କ ସନ୍ଧାନ ନିମନ୍ତେ ପୋଲିସ ବୋଟ ଓ ଏକ ହେଲିକପ୍ଟର ସହିତ ଅଭିଯାନ ଆରମ୍ଭ କରିଛି। ଜର୍ଜ ଟାଉନ ଫ୍ଲାଇଟ୍ ଇନଷ୍ଟ୍ରକ୍ଟର ୟୁଜିନ ରିଡ କହିଛନ୍ତି ଯେ ଛୋଟ ବିମାନଙ୍କ ଲାଗି ଉପକୂଳରେ ଉଡାଣ ନିମନ୍ତେ ଏୟାର ସର୍ଭିସକୁ ସୂଚିତ କରିବାର ପ୍ରୋଟକଲ ରହିଛି। ଯାହା ଦ୍ୱାରା କିଛି ଗଡ଼ବଡ଼ ହେଲେ ରୋକା ଯାଇ ପାରିବ। ଯଦି ବିମାନ କୌଣସି ଦୁର୍ଘଟଣାର ଶିକାର ହୁଏ ତେବେ ଏମାର୍ଜେନ୍ସୀ ସାଟେଲାଇଟ୍ ବିକନ ଚାଲୁ ହୋଇଯିବା କଥା। ହେଲେ ଏପରି କିଛି ବି ହୋଇନି।
ତାସ୍ମାନିଆ ପୋଲିସ ଇନିସପେକ୍ଟର ନିକ୍ କ୍ଲାର୍କ କହିଛନ୍ତି ଯେ ପାଇଲଟ ସ୍ଥାନୀୟ ଫ୍ଲାଇଂ କ୍ଲବର ଜଣେ ଅଭିଜ୍ଞ ତଥା ପ୍ରମୁଖ ସଦସ୍ୟ ଥିଲେ ଓ ସେ ଯେଉଁ ବିମାନକୁ ଉଡାଉଥିଲେ ତାହାକୁ ସେ ୪ ମାସ ପୂର୍ବରୁ କିଣିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ମାଲେସିଆ ଏୟାର ଲାଇନ୍ସ ବିମାନ ଏମଏଚ୍ ୩୭୦ ସହିତ ମେଳ ଖାଉଛି, ଯାହା ୨୦୧୪ ମସିହାରେ ଅଚାନକ ନିଖୋଜ ହୋଇଯାଇଥିଲା। ବିମାନ କୁଆଲାଲଂପୁରରୁ ୨୩୯ ଯାତ୍ରୀଙ୍କୁ ନେଇ ଉଡିଥିଲା ଓ ଦକ୍ଷିଣ ଚୀନ ସାଗର ଉପରେ ଉଢୁଥିବା ବେଳେ ନିଖୋଜ ହୋଇଯାଇଥିଲା। ଏହି ବିମାନ ନିଖୋଜ ହେବା ବେଳେ ମଧ୍ୟ କୌଣସି ମେ ଡେ ସୂଚନା ଦେଇ ନଥିଲା।




