ଜଗତସିଂହପୁର ୨୨/୦୮: ଘରେ ବସି ଟଙ୍କା ରୋଜଗାର କରିବା । ରାତାରାତି କୋଟିପତି ହେବା । ଏହା ଏବେ ସ୍ୱପ୍ନ । ଆଉ ମିଳିବନି ଟଙ୍କା, ଆଉ ହେବେନି କୋଟିପତି । ଏମିତି ଲୋଭରେ ପଡି ବୁଡିଛି ନିବେଶକଙ୍କ ଟଙ୍କା । ଜଗତସିଂହପୁର ନହରଣା ଅଞ୍ଚଳର ଶତାଧିକ ମହିଳା ଓ ଯୁବକ ଏବେ ଫସିଯାଇଛନ୍ତି । ଅନ ଲାଇନ ମନି ଗେମ ଆପ ୨୦ ତାରିଖରେ ବ୍ୟାନ୍ ହେବା ପରେ ଏଥିରେ ଟଙ୍କା ଲଗାଇଥିବା ସ୍ଥାନୀୟ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ବୁଡି ଯାଇଛି ।
ଅନଲାଇନ ମନି ଗେମ୍ ଆପରେ ଚାଲିଥିବା ଟଙ୍କା ଲଗାଣ ଖେଳକୁ ବ୍ୟାନ କରିଛନ୍ତି ସରକାର । କେନ୍ଦ୍ର ସରକାର ଘୋଷଣା କରିବା ମାତ୍ରେ ଲୋକଙ୍କୁ ଚୁନ ଲଗାଇ ଛୁ ମାରିଛନ୍ତି ଅନେକ ଅନ ଲାଇନ ଆପ ସଂସ୍ଥା । ଜଗତସିଂହପୁର ଜିଲାର ବାଲିକୁଦା ଅଞ୍ଚଳରେ ୨୦୨୪ ନଭେମ୍ବର ମାସରେ ହିୟୁଜ ଆପ ନାମକ ଏକ ଅନ ଲାଇନ ଆପ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଗୁଡିଏ ଲୋଭନୀୟ ଅଫର ଦିଆଯାଇଥିଲା ।
୫୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ ୨୦୦ ଟଙ୍କା ଆୟ, ୧୬୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ କିଛି କମ୍ପାନୀର ଵିଜ୍ଞାପନକୁ ଫାଇଲ ଷ୍ଟାର ରେଟିଙ୍ଗ ଦେଇ ୬୧୫ ଟଙ୍କା ଆୟ ଭଳି ଅଫର ଦିଆଯାଇଥିଲା । ସଂସ୍ଥାରେ କିଛି ଯୁବକ ଓ ଗ୍ରାମୀଣ ମହିଳା ନିବେଶ କରିବା ପରେ ନିବେଶକଙ୍କୁ ଆକୃଷ୍ଟ କରିବା ଅଫର ଦେଇଥିଲେ ।
ନିଜ ଅଧୀନରେ ୧୨ ଜଣଙ୍କୁ ଏହି ଆପରେ ସାମିଲ କରାଇଲେ ମାସିକ ୧୦ ହଜାର ଟଙ୍କା ଓ ୨୦ ଜଣଙ୍କୁ ସାମିଲ କରାଇଲେ ୧୫ ହଜାର ଟଙ୍କା ଦରମା ଦେବା ପାଇଁ ମଧ୍ୟ ଲୋଭ ଦେଖାଯାଇଥିଲା । ଏହିପରି ଅନେକ ଲୋଭନୀୟ ଅଫର ଦେଖାଇଥିଲା ଏହି ଅନ ଲାଇନ ସଂସ୍ଥା ।
ଲୋକଙ୍କୁ ଆକର୍ଷିତ କରିବା ପାଇଁ କିଛି ଲୋକଙ୍କୁ କୁଲର ଓ ଫ୍ରିଜ ଆଦି ଆକର୍ଷଣୀୟ ଉପହାର ମଧ୍ୟ ଦେଇଥିଲା ।
ଲୋଭରେ ପଡି ଲୋକେ ଧାର କରଜ କରି ଟଙ୍କା ଆଣି ଏଥିରେ ଲଗାଇ ଥିବା ସହିତ କିଛି ମହିଳା ମଧ୍ୟ ଅଧିକ ଲାଭ ଆଶାରେ ସୁଭଦ୍ରା ଟଙ୍କା ମଧ୍ୟ ଏଥିରେ ବିନିଯୋଗ କରିଥିଲେ । ଏବେ ହଟାତ ଆପ ବନ୍ଦ ହୋଇଯିବା ପରେ ବିନୋଯୋଗକାରୀଙ୍କ ମୁଣ୍ଡରେ ଚଡକ ପଡି ଯାଇଛି ।




