ବୌଦ୍ଧ ୨୨/୦୮: ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନାମରେ ଫେକ୍ whatsapp ଆକାଉଣ୍ଟ । ଆକାଉଣ୍ଡ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsAppର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ ।
ଜିଲ୍ଲାପାଳଙ୍କ ଫଟୋକୁ ପ୍ରୋଫାଇଲ୍ ଫଟୋରେ ବ୍ୟବହାର କରି ଗୋଟିଏ ନମ୍ବରରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ କରାଯାଇଛି । ତେବେ ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି ।
ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଦୁର୍ବୃତ୍ତଙ୍କୁ ଧରି ପାରିନି ପୋଲିସ ।
ଗତ ମାର୍ଚ୍ଚ ମାସରେ ପୂର୍ବତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଫଟୋ ବ୍ୟବହାର କରି ଠିକ୍ ଏହିପରି ଟଙ୍କା ମାଗୁଥିଲେ ଦୁର୍ବୃତ୍ତ । ତିନି ବର୍ଷ ପୂର୍ବେ ୨୦୨୨ ମସିହାରେ ମଧ୍ୟ ଦୁଇ ଥର ଠିକ୍ ଏହି ପରି ପୂର୍ବତନ ଜିଲ୍ଲାପାଳଙ୍କ ଫଟୋ ଲଗାଇ ବିଭିନ୍ନ ଅଧିକାରୀଙ୍କୁ ଟଙ୍କା ମଗାଯାଇଥିଲା । ସେତେବେଳେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇବର ସେଲ୍ ରେ ଏତଲା ମଧ୍ୟ ଦେଇଥିଲେ । ହେଲେ ପୁଣି ଥରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି ।




