ମୌସୁମୀ ଅଧିବେଶନର ପ୍ରଡକ୍ଟିଭିଟି ୧୦୦%: କିରେନ ରିଜିଜୁ

ମୌସୁମୀ-ଅଧିବେଶନର-ପ୍ରଡକ୍ଟିଭିଟି-୧୦୦%:-କିରେନ-ରିଜିଜୁ

ନୂଆଦିଲ୍ଲୀ ୨୧।୮: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଅନିଶ୍ଚିତ କାଳ ପାଇଁ ସ୍ଥଗିତ ହୋଇଯାଇଛି। ଏହା ପରେ ସଂସଦ ପରିସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ସାମ୍ବାଦିକ ସମ୍ମିଳନୀ କରି ମୌସୁମୀ ଅଧିବେଶନ ସଂସଦୀୟ କାର୍ଯ୍ୟ ୧୦୦ ପ୍ରତିଶତ ସଫଳ ହୋଇଥିବା କହିଛନ୍ତି। ଅଧିବେଶନ କାଳରେ ସଂସଦର ଉଭୟ ସଦନରେ ମୋଟ ୧୫ଟି ବିଧେୟକ ଗୃହୀତ ହୋଇଥିବା ସେ କହିଛନ୍ତି। 

ଏହି ଅବସରରେ ରିଜିଜୁ କହିଛନ୍ତି ଯେ ଗଣତନ୍ତ୍ରରେ ବିରୋଧୀ ରହିବା ଆବଶ୍ୟକ। ବିରୋଧ କରିବା, ଅସହମତି ପ୍ରକାଶ କରିବା ଅଥବା ନିଜର କଥା କହିବା ଗଣତାନ୍ତ୍ରିକ ଅଧିକାର। ହେଲେ ସଂସଦରେ ସରକାରଙ୍କ କାମରେ ବାଧା ଦେବା ଓ ଏହାକୁ ରୋକିବା ଅଗଣତାନ୍ତ୍ରିକ। ରିଜିଜୁ ବୁଧବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ୩ ବିଧେୟକକୁ ବିପକ୍ଷଙ୍କ ବିରୋଧକୁ ଉଲ୍ଲେଖ କରିଛନ୍ତି। 

ରିଜିଜୁ କହିଛନ୍ତି ଯେ ଏହି ବିଧେୟକ ମଧ୍ୟରୁ ଗୋଟିକରେ ଗୁରୁତର ଅଭିଯୋଗରେ ୩୦ ଦିନ ପର୍ଯ୍ୟନ୍ତ ଗିରଫ ହୋଇ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପଦରୁ ହଟାଇବାର ପ୍ରାବଧାନ ରହିଛି। ଏହା ଏକ କ୍ରାନ୍ତିକାରୀ ପ୍ରସ୍ତାବ ବୋଲି ରିଜିଜୁ କହିଛନ୍ତି। ସେ କହିଛନ୍ତି ଯେ କିଛି ଦଳ ନିଜକୁ ବଞ୍ଚାଇବା ପାଇଁ ଆଇନ କରିଥାନ୍ତି ହେଲେ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟକୁ ଏହି ପ୍ରସ୍ତାବିତ ଆଇନ ପରିସରକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଏହା ଏକ ବଡ଼ ନିଷ୍ପତ୍ତି।

ହେଲେ କଂଗ୍ରେସ ପାର୍ଟି ଏହାକୁ ବିରୋଧ କରି ଗୃହକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ରିଜିଜୁ କହିଛନ୍ତି। ଏହି ଶରଳ ବିଧେୟକକୁ ବିପକ୍ଷ ବୁଝିବାକୁ ଚେଷ୍ଟା କରୁ ନାହିଁ। ଏବେ ଏହି ବିଧେୟକ ଉପରେ ଏକ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ ହେବ। ଏହା ଉପରେ ଚର୍ଚ୍ଚା ହେବ, ହେଲେ ବିରୋଧୀ ଆଇନ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ନୁହନ୍ତି। ସେମାନେ ସଂସଦରେ କେବଳ ପ୍ଲାକାର୍ଡ ଧରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ଏହା ବାସ୍ତବିକ ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଜେପି ଅନେକ ବର୍ଷଧରି ବିରୋଧୀ ଦଳରେ ଥିଲା। ହେଲେ ଏପରି ବ୍ୟବହାର କେବେ କରି ନାହିଁ। 

Scroll to Top