Attack On UKraine: ୟୁକ୍ରେନ ଉପରେ ରୁଷିଆର ୫୭୪ ଡ୍ରୋନ୍ ଓ ୪୦ ମିସାଇଲ ମାଡ଼, ଆମେରିକୀ ଫ୍ୟାକ୍ଟ୍ରୀ ଧ୍ୱଂସ

attack-on-ukraine:-ୟୁକ୍ରେନ-ଉପରେ-ରୁଷିଆର-୫୭୪-ଡ୍ରୋନ୍-ଓ-୪୦-ମିସାଇଲ-ମାଡ଼,-ଆମେରିକୀ-ଫ୍ୟାକ୍ଟ୍ରୀ-ଧ୍ୱଂସ

ଏପଟେ ଯୁଦ୍ଧ ବିରତି ପାଇଁ ଆଲୋଚନା ଚାଲିଛି । ସେପଟେ ୟୁକ୍ରେନ ଉପରେ ରୁଷିଆ ଘନ ଘନ ଡ୍ରୋନ ଓ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣରେ ପଶ୍ଚିମ ୟୁକ୍ରେନର ଲ୍ୱିଭ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଟ୍ରାନ୍ସକାରପାଥିଆ ଅଞ୍ଚଳରେ ୧୫ ଜଣ ଆହତ ହୋଇଛନ୍ତି।

ୟୁକ୍ରେନର କହିବା ଅନୁଯାୟୀ, ଏହି ଅଞ୍ଚଳରେ ଥିବା ଆମେରିକୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀର ଏକ ଫ୍ୟାକ୍ଟ୍ରୀରେ ମଧ୍ୟ ବହୁତ କ୍ଷତି ହୋଇଛି । ୟୁକ୍ରେନ ଦାବି କରିଛି ଯେ ରୁଷିଆ ଗତ ୨୪ ଘଣ୍ଟାରେ ୫୭୪ ଡ୍ରୋନ୍ ଓ ୪୦ ମିସାଇଲ ମାଡ଼ କରିଛି। ଦାବି ଅନୁଯାୟୀ, ଏଗୁଡ଼ିକ ମଧ୍ୟରୁ ଅଧିକାଂଶଙ୍କୁ ଧ୍ୱଂସ କରାଯାଇଛି। ଏହା ଜୁଲାଇ ପରେ ଆକାଶମାର୍ଗରୁ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ।

ଆମେରିକୀୟ ଇଲେକ୍ଟ୍ରୋନିକ୍ସ କମ୍ପାନୀର ଏହି ଫ୍ୟାକ୍ଟ୍ରୀରେ କଫି ମେସିନ ଏବଂ ଘରୋଇ ଉପକରଣ ତିଆରି ହେଉଥିଲା। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରିୟୀ ସିବିହା କହିଛନ୍ତି ଯେ ଏହି ସାମ୍ପ୍ରତିକ ଆକ୍ରମଣଗୁଡ଼ିକ ଯୁଦ୍ଧ ବନ୍ଦ କରିବା ପାଇଁ ଚେଷ୍ଟା କେତେ ଜରୁରୀ ତାହାକୁ ଦର୍ଶାଉଛି।

Also Read

ରିପୋର୍ଟ ଅନୁସାରେ, ରୁଷିଆ ପକ୍ଷରୁ ମାଡ଼ ହୋଇଥିବା ଅଧିକାଂଶ ଡ୍ରୋନ୍ ଓ ମିସାଇଲ ପଶ୍ଚିମ ରୁଷିଆ ଏବଂ କଳା ସାଗର ଅଞ୍ଚଳରୁ ଉତ୍‌କ୍ଷେପଣ କରାଯାଇଥିଲା। ଲ୍ୱିଭ୍‌ରେ ୨୦ରୁ ଅଧିକ କୋଠାଘର କ୍ଷତିଗ୍ରସ୍ତ ହୋଇଛି । ଏହା ସହିତ ଏକ ନର୍ସରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରୁଷୀୟ ସେନା ଜାପୋରିଜ୍‌ଝିଆ ମୋର୍ଚ୍ଚାରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରୁଛି। ୟୁକ୍ରେନ ପ୍ରତିଆକ୍ରମଣ କରି ରୁଷିଆର ରୋସ୍ତୋଭ ଅଞ୍ଚଳରେ ଥିବା ଏକ ତୈଳ ଶୋଧନାଗାର ଏବଂ ଦୋନେତ୍ସ୍କରେ ଥିବା ଏକ ଡ୍ରୋନ ଡିପୋକୁ ଲକ୍ଷ୍ୟ କରିଥିବା ଦାବି କରିଛି।

ଏହି ଆକ୍ରମଣଗୁଡ଼ିକ ସେତେବେଳେ ହୋଇଛି ଯେତେବେଳେ ସମ୍ପ୍ରତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍ସ୍କୀଙ୍କୁ ଭେଟିଥିଲେ। ସେ ପ୍ରଥମେ ଭ୍ଲାଦିମୀର ପୁଟିନଙ୍କୁ ଆଲାସ୍କାରେ ଭେଟିଥିଲେ ଏବଂ ପରେ ଜେଲେନ୍ସ୍କୀଙ୍କ ସମେତ ୟୁରୋପୀୟ ନେତାମାନଙ୍କୁ ଓ୍ଵାଶିଂଟନକୁ ଡକାଇଥିଲେ। ଟ୍ରମ୍ପ ପ୍ରାରମ୍ଭରେ ତ୍ରିପାକ୍ଷିକ ବାର୍ତ୍ତାର ପ୍ରସ୍ତାବ ଦେଇଥିଲେ, କିନ୍ତୁ ପରେ କହିଥିଲେ, “ଦୁହେଁ ଏକାକୀ ଭେଟିଲେ ଭଲ, ଯଦି ଆବଶ୍ୟକ ହୁଏ ତେବେ ମୁଁ ଯିବି।”

ଅନ୍ୟପକ୍ଷରେ, ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍ସ୍କୀ କହିଛନ୍ତି ଯେ ସେ ପୁଟିନଙ୍କୁ “ନିଉଟ୍ରାଲ ୟୁରୋପ”ରେ ଭେଟିବାକୁ ପ୍ରସ୍ତୁତ, ଯେପରି ସ୍ୱିଟ୍ଜରଲ୍ୟାଣ୍ଡ କିମ୍ବା ଅଷ୍ଟ୍ରିଆ ଭଳି ଦେଶମାନଙ୍କରେ। ସେ ଇସ୍ତାନବୁଲକୁ ମଧ୍ୟ ଗ୍ରହଣୀୟ ବୋଲି କହିଛନ୍ତି, କିନ୍ତୁ ବୁଡାପେଷ୍ଟକୁ ନେଇ ଆପତ୍ତି ଉଠାଇଛନ୍ତି। ତାଙ୍କର କହିବା ଥିଲା ଯେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ୟୁକ୍ରେନକୁ କେବେ ସମର୍ଥନ କରନ୍ତି ନାହିଁ ।

ଅଧିକ ପଢ଼ନ୍ତୁ: ‘ଚୀନକୁ ଅଟକାଅ, ଭାରତ ସହ ସମ୍ପର୍କ ସୁଧାର’,  ନିକ୍କୀ ହେଲୀ ଟ୍ରମ୍ପ ପ୍ରଶାସନକୁ ଦେଲେ ଚେତାବନୀ 

Scroll to Top