ଭାରତ ସାଉଥ ଏସିୟାନ ଫୁଟବଲ ଫେଡେରେସନ (ଏସଏଏଫଏଫ) ୱିମେନସ୍ ଚାମ୍ପିୟନସିପ୍ ଟାଇଟଲ ବିଜୟୀ ହୋଇଛି। ଏହାକୁ ମିସାଇ ଭାରତ ଏ ପର୍ଯ୍ୟନ୍ତ ଷଷ୍ଠ ଥର ଏହି ଟ୍ରଫି ଜିତିଛି। ଏହା ପୂର୍ବରୁ ଭାରତ ୨୦୧୦ରୁ ଲଗାତାର ୨୦୧୯ ପର୍ଯ୍ୟନ୍ତ ୫ ଥର ଚାମ୍ପିୟନ ହୋଇଥିଲା।
Published By: Biswanath – Prameya-News7 Bureau | June 06, 2026 10:10 PM
NEWS7
ନୂଆଦିଲ୍ଲୀ: ଭାରତ ଫାଇନାଲରେ ବାଂଲାଦେଶକୁ ହରାଇ ସାଉଥ ଏସିୟାନ ଫୁଟବଲ ଫେଡେରେସନ (ଏସଏଏଫଏଫ) ୱିମେନସ୍ ଚାମ୍ପିୟନସିପ୍ ଟାଇଟଲ ବିଜୟୀ ହୋଇଛି। ଏହାକୁ ମିସାଇ ଭାରତ ଏ ପର୍ଯ୍ୟନ୍ତ ଷଷ୍ଠ ଥର ଏହି ଟ୍ରଫି ଜିତିଛି। ଫାଇନାଲ ମ୍ୟାଚ୍ ଗୋଆସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ଭାରତ ୨୦୧୦ରୁ ଲଗାତାର ୨୦୧୯ ପର୍ଯ୍ୟନ୍ତ ୫ ଥର ଚାମ୍ପିୟନ ହୋଇଥିଲା। ଫାଇନାଲ ମ୍ୟାଚ୍ ର ପ୍ରଥମ ଗୋଲ ଭାରତ ପକ୍ଷରୁ ହୋଇଥିଲା।
ମ୍ୟାଚ୍ ର ୪୨ତମ ମିନିଟ୍ ରେ ପ୍ୟାରୀ ଖାଖା ଟିମ୍ ଇଣ୍ଡିଆକୁ ୧-୦ରେ ଅଗ୍ରଣୀ କରିଥିଲେ। ଫାଷ୍ଟ ହାଫର ଏକ୍ସଷ୍ଟ୍ରା ଟାଇମରେ ଋତୁ ଚକମା ଗୋଲ କରି ବାଂଲାଦେଶ କୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଟୁର୍ଣ୍ଣାମେଣ୍ଟର ସେକେଣ୍ଡ ହାଫ ଆରମ୍ଭ ହେବାମାତ୍ରେ ସନଫିଦା ନୋଙ୍ଗ୍ରମ ଭାରତକୁ ୨-୧ରେ ଅଗ୍ରଣୀ କରିଥିଲେ। ମ୍ୟାଚ୍ ର ଶେଷ ଗୋଲ ଭାରତ ପକ୍ଷରୁ ହୋଇଥିଲା। ୮୨ତମ ମିନିଟ୍ ରେ ଲିଣ୍ଡା କୋମ ଭାରତକୁ ୩-୧ରେ ଅଗ୍ରଣୀ କରିଥିଲେ, ଯାହା ଶେଷ ପର୍ଯ୍ୟନ୍ତ କାୟମ ରହିଥିଲା।
ଏହା ପୂର୍ବରୁ ଭାରତ ସେମି ଫାଇନାଲରେ ଭୁଟ୍ଟାନକୁ ୧-୦ର ନିକଟତମ ଅନ୍ତରରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲା। ଭାରତୀୟ ମହିଳା ଫୁଟବଲ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛି। ଗ୍ରୁପ ଷ୍ଟେଜରେ ନିଜର ଦୁଇଟି ମ୍ୟାଚ୍ ଜିତି ଟପରେ ଥିଲା। ସେମିରେ ଭୁଟ୍ଟାନ ଓ ଫାଇନାଲରେ ବାଂଲଦେଶକୁ ହରାଇ ଚାମ୍ପିୟନ ହୋଇଛି। ଏସଏଏଫଏଫ ୱିମେନ୍ସ ଟ୍ରଫିର ପ୍ରାରମ୍ଭ ୨୦୧୦ ମସିହାରେ ହୋଇଥିଲା। ଏହା ପରେ ୨୦୧୬ ମସିହା ପର୍ଯ୍ୟନ୍ତ ଏହି ଚାମ୍ପିୟନସିପ୍ ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇ ଆସୁଛି। ପ୍ରତି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଟ୍ରଫି ଜିତୁଛି। ତେବେ ୨୦୨୨ ଓ ୨୦୨୪ରେ ଭାରତୀୟ ଟିମ୍ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ତେବେ ପ୍ରାୟ ୭ ବର୍ଷ ପରେ ୨୦୨୬ରେ ଟିମ୍ ଇଣ୍ଡିଆ ପୁଣି ଥରେ ଟ୍ରଫି ଉଠାଇଛି।




