Food କମ୍ପାନୀଙ୍କ ଉପରେ ସରକାରୀ ଲଗାମ, ୮୫୦ ଗ୍ରାମ ଖାଦ୍ୟ ତୈଳ ପ୍ୟାକେଟ୍ ହେଲା ବନ୍ଦ

food-କମ୍ପାନୀଙ୍କ-ଉପରେ-ସରକାରୀ-ଲଗାମ,-୮୫୦-ଗ୍ରାମ-ଖାଦ୍ୟ-ତୈଳ-ପ୍ୟାକେଟ୍-ହେଲା-ବନ୍ଦ

ନୂଆଦିଲ୍ଲୀ:  ସରକାର ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ରୋକ ଲଗାଇଛନ୍ତି। ଏଣିକି କମ୍ପାନୀମାନଙ୍କୁ  ୨୦୦ଗ୍ରାମରୁ ଆରମ୍ଭ କରି ୨୦ କେଜି ପ୍ୟାକ୍ ରେ ଖାଦ୍ୟ ତୈଳ ବିକ୍ରୟ କରିବାକୁ ପଡିବ। ଏଥିରେ କମ୍ପାନୀମାନଙ୍କୁ ୨୦୦ ଗ୍ରାମ, ୫୦୦ଗ୍ରାମ, ୧ କେଜି, ୨କେଜି,୩କେଜି, ୪ କେଜି, ୫ କେଜି,୧୫ କେଜି ଓ ୨୦ କେଜି ପ୍ୟାକିଂରେ ତୈଳ ବିକ୍ରୟ କରିବାକୁ ହେବ। ସରକାରଙ୍କ ଏହି ନିୟମ ପରେ କମ୍ପାନୀମାନେ ନିଜ ଇଛାରେ ପ୍ୟାକେଟର ଆକାର ଆଉ ଛୋଟବଡ଼ କରି ବିକ୍ରି କରିପାରିବେନି। କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟଙ୍କ ଖାଉଟି ବ୍ୟାପାର ବିଭାଗ ଦେଶରେ ଖାଦ୍ୟ ତୈଳ ବିକ୍ରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ଦ୍ୱାରା ଜାରି ଅଧିକାରୀକ ଅଧିସୂଚନା ଅନୁସାରେ ଏବେ କମ୍ପାନୀମାନଙ୍କୁ ୨୦୦ ଗ୍ରାମରୁ ଆରମ୍ଭ କରି ୨୦ କେଜି ପର୍ଯ୍ୟନ୍ତ ଧାର୍ଯ୍ୟ ପ୍ୟାକେଟରେ ଖାଦ୍ୟ ତୈଳ ବିକ୍ରି କରିବାକୁ ହେବ। ସରକାରଙ୍କ ଲିଗାଲ ମେଟ୍ରୋଲଜି ଫ୍ରେମୱାର୍କ ଅନୁସାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର (ଏସଓପି)ରେ କରାଯାଇଥିବା ସଂଶୋଧନରେ ଏହି ନିୟମ ପାମ ଅୟେଲ, ସୋୟାବିନ ଅୟେଲ, ସୂର୍ଯ୍ୟମୁଖୀ ତୈଳ, ସୋରିଷ ତେଲ, ବାଦାମ ତେଲ, ରାଶି ତେଲ, ରାଇସ ବ୍ରାନ ଅୟେଲ, କଟନସିଡ ଅୟେଲ, କର୍ଣ୍ଣ ଅୟେଲ ଓ ଏହାର ମିଶ୍ରଣ ଉପରେ ଲାଗୁ ହେବ।

ଅଧିସୂଚନା ଅନୁସାରେ ୨୦୦ ଗ୍ରାମ ବା ୨୦୦ ମିଲିଲିଟରରୁ କମ ପ୍ୟାକେଟ ଉପରେ କୌଣସି କଟକଣା ରହିବ ନାହିଁ। ଏହାଛଡା ଯଦି ତୈଳର ମାତ୍ରା ବା ଭଲ୍ୟୁମ (ମିଲି ଲିଟର ବା ଲିଟର)ରେ ଘୋଷିତ ହୋଇଥାଏ ତେବେ କମ୍ପାନୀଙ୍କୁ ପ୍ୟାକେଟରେ ଏହାର ସମାନ ଓଜନ (ଗ୍ରାମ ଅଥବା କିଲୋଗ୍ରାମ) ଅକ୍ଷର ଅଥବା ସଂଖ୍ୟାରେ ଲେଖିବା ବାଧ୍ୟତାମୂଳକ ହେବ। କମ୍ପାନୀ, ପ୍ୟାକର୍ସ ଓ ଆମଦାନୀକାରୀଙ୍କୁ ଏହି ନିୟମ ପାଳନ କରିବା ଲାଗି ୩ ମାସ ସମୟ ଦିଆଯାଇଛି।

କାହିଁକି ଆବଶ୍ୟକ ପଡିଲା ଏହି ନିୟମ?
ଗତ କିଛି ସମୟ ହେଲା ଖାଦ୍ୟ ତୈଳ କମ୍ପାନୀମାନେ ବଜାରରେ ଏକ ଅନନ୍ୟ ଟ୍ରେଣ୍ଡ ପ୍ରଚଳନ କରିଆସୁଥିଲେ। ପ୍ୟାକେଟର ମୂଲ୍ୟ ସିଧାସଳଖ ବଢାଇବା ବଦଳେ ଚାଲାକି କରି ପ୍ୟାକେଜର ଆକାର ବଦଳାଇ ଦେଉଥିଲେ। ଏଥିରେ ସେମାନେ ପ୍ୟାକେଜିଂ ସାଇଜ କମାଇ ଦେଉଥିଲେ। ବଜାରରେ ୧ କେଜି ବା ୧ ଲିଟର ବଦଳେ ୮୫୦, ୯୦୦ ଅଥବା ୯୧୦ ଗ୍ରାମର ଅଜବ ଆକୃତିର ପ୍ୟାକେଟ ଚଳି ଆସୁଥିଲା। ଏଥିରେ ସାଧାରଣ ଗ୍ରାହକ ପ୍ୟାକେଟକୁ ୧ ଲିଟର ଅଥବା ୧ କେଜି ଭାବି କିଣି ନେଉଥିଲେ। ଏହା ଦ୍ୱାରା ସେମାନେ ଓଜନ ଠକେଇର ଶିକାର ହେଉଥିଲେ ଓ ସେମାନଙ୍କ ପକେଟ ଉପରେ ପ୍ରଭାବ ପଡୁଥିଲା।

ଅଲଗା ଅଲଗା କମ୍ପାନୀଙ୍କ ଅଜବ ଅଜବ ପ୍ୟାକେଟରୁ ଗ୍ରାହକ ମୂଲ୍ୟର ସଠିକ ତୁଳନା କରିପାରୁନଥିଲେ। ହେଲେ ଏବେ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ତୈଳ ବଜାରରେ ପାରଦର୍ଶିତା ଆସିବ ଓ ଏପରି ପ୍ରେଡେଟରୀ ପ୍ୟାକେଜିଂ ଉପରେ ଲଗାମ ଲାଗିବ। ଇଣ୍ଡିଆ ଭେଜିଟେବଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଭିପିଏ) ଓ ଅନ୍ୟ ଉଦ୍ୟୋଗ ସଂଘ ସରକାରଙ୍କ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଖାସ ପରିବର୍ତ୍ତନ ପରେ ଖାଉଟି ବିନା କୌଣସି ଭ୍ରମରେ ଉଚିତ ଦାମରେ ଉଚିତ ମାତ୍ରାର ଖାଦ୍ୟ ତୈଳ କ୍ରୟ କରିପାରିବେ ଓ ଠକେଇରୁ ବର୍ତ୍ତିପାରିବେ।     

Scroll to Top