Sooryavanshi in India Squad: ବୈଭବଙ୍କ ଚୟନ ପରେ ବର୍ତ୍ତମାନ ବିସିସିଆଇ ସାମ୍ନାରେ ଏକ ସମସ୍ୟା ଦେଖାଦେଇଛି। ବୈଭବ ବର୍ତ୍ତମାନ ଶ୍ରୀଲଙ୍କାରେ ‘ଇଣ୍ଡିଆ ଏ’ (India A) ଦଳ ସହ ଏକ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିବେ । ଏହି ସିରିଜ୍ ଜୁନ୍ ୯ ରୁ ଜୁନ୍ ୨୧ ପର୍ଯ୍ୟନ୍ତ ଚାଲିବ।
Published By: Tapas – Prameya-News7 Bureau | June 06, 2026 05:46 PM
NEWS7
ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ନିଜର ଅସାଧାରଣ ପ୍ରଦର୍ଶନ ବଳରେ ସେ ବିସିସିଆଇ (BCCI) ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଦଳରେ ସ୍ଥାନ ଦେବା ପାଇଁ ବାଧ୍ୟ କରିଛନ୍ତି। ଆଗାମୀ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ତାଙ୍କୁ ଭାରତୀୟ ସିନିୟର ଦଳରେ ସାମିଲ କରାଯାଇଛି।
ଦଳ ଘୋଷଣାର ମାତ୍ର ଗୋଟିଏ ଘଣ୍ଟା ପୂର୍ବରୁ ନିଷ୍ପତ୍ତି
ଭାରତୀୟ ଦଳ ଘୋଷଣା ହେବାର ମାତ୍ର ଏକ ଘଣ୍ଟା ପୂର୍ବରୁ ବୈଭବଙ୍କୁ ଦଳରେ ସାମିଲ କରିବା ପାଇଁ ଚୟନକର୍ତ୍ତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ପୂର୍ବତନ କ୍ରିକେଟର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କୁ ଦଳରେ ନେବା ପାଇଁ ପ୍ରବଳ ଦାବି ହେଉଥିଲା। ବୈଭବ ନିଜ ବ୍ୟାଟରେ ରନ୍ର ପାହାଡ଼ ଛିଡ଼ା କରି ଚୟନକର୍ତ୍ତାଙ୍କ ପାଇଁ ତାଙ୍କୁ ଅଣଦେଖା କରିବା ଅସମ୍ଭବ କରିଦେଇଥିଲେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ପ୍ରେସ କନଫରେନ୍ସରେ ବୈଭବଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବୈଭବ ନିଜର ବିସ୍ଫୋରକ ପ୍ରଦର୍ଶନ ଦ୍ୱାରା ଆମକୁ ବାଧ୍ୟ କରିଛନ୍ତି ତାଙ୍କୁ ଦଳରେ ସାମିଲ କରିବାକୁ।
ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସେ ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ ବ୍ୟାଟର ଭାବରେ ଶତକ କରିଛନ୍ତି । ଗତ ସିଜନର ପ୍ଲେ-ଅଫ୍ ମ୍ୟାଚଗୁଡ଼ିକରେ ସେ ଏକାକୀ ଦଳକୁ ଆଗକୁ ନେଇଥିଲେ। ଆଇପିଏଲ୍ ଭଳି ଚାପପୂର୍ଣ୍ଣ ମାହୋଲରେ ଲଗାତାର ଦୁଇଟି ସିଜନରେ ଏଭଳି ପ୍ରଦର୍ଶନ କରିବା ସାଧାରଣ କଥା ନୁହେଁ। ସେ ବହୁତ କମ୍ ବୟସର ହୋଇଥିଲେ ମଧ୍ୟ ତାଙ୍କର ଧୈର୍ଯ୍ୟ (Temperament) ଅଦ୍ଭୁତ। ଆମର ଆଶା ଅଛି ଯେ, ଅନ୍ତର୍ଜାତୀୟ ସ୍ତରରେ କଠିନ ଆହ୍ୱାନ ସତ୍ତ୍ୱେ ସେ ଦେଶ ପାଇଁ ଏଭଳି ଚମତ୍କାର ପ୍ରଦର୍ଶନ ଜାରି ରଖିବେ।
ସିଲେକ୍ଟରଙ୍କ ଆଗରେ ନୂଆ ସମସ୍ୟା
ବୈଭବଙ୍କ ଚୟନ ପରେ ବର୍ତ୍ତମାନ ବିସିସିଆଇ ସାମ୍ନାରେ ଏକ ସମସ୍ୟା ଦେଖାଦେଇଛି। ବୈଭବ ବର୍ତ୍ତମାନ ଶ୍ରୀଲଙ୍କାରେ ‘ଇଣ୍ଡିଆ ଏ’ (India A) ଦଳ ସହ ଏକ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିବେ । ଏହି ସିରିଜ୍ ଜୁନ୍ ୯ ରୁ ଜୁନ୍ ୨୧ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ଭାରତ-ଆୟରଲ୍ୟା ସିରିଜ୍ ଜୁନ୍ ୨୬ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟ ସୀମାକୁ ଦୃଷ୍ଟିରେ ରଖି ବିସିସିଆଇ ସମ୍ପାଦକ ଦେବାଜିତ ସାଇକିଆ ସୂଚନା ଦେଇଛନ୍ତି ଯେ, ବୈଭବଙ୍କୁ ଶ୍ରୀଲଙ୍କା ଗସ୍ତରୁ ଆଗୁଆ ରିଲିଜ୍ କରାଯାଇପାରେ । ଫଳରେ ସେ ସମୟ ସୂଚୀ ଅନୁଯାୟୀ ୟୁକେ (UK) ଗସ୍ତ କରିବେ ଏବଂ ଭାରତୀୟ ସିନିୟର ଦଳ ସହ ସାମିଲ ହୋଇପାରିବେ।




