ପାକିସ୍ତାନ ସହ ଦ୍ଵିପାକ୍ଷିକ ସିରିଜ୍ ହେବ ନାହିଁ, ହେଲେ ଏସିଆ କପ୍‌ରେ ଟିମ୍ ଇଣ୍ଡିଆକୁ…: ମନ୍ତ୍ରଣାଳୟ

ପାକିସ୍ତାନ-ସହ-ଦ୍ଵିପାକ୍ଷିକ-ସିରିଜ୍-ହେବ-ନାହିଁ,-ହେଲେ-ଏସିଆ-କପ୍‌ରେ-ଟିମ୍-ଇଣ୍ଡିଆକୁ…:-ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଯେବେଠୁ ଏସିଆ କପ୍ ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା ହୋଇଛି ତେବେଠୁ ଏହି ଚର୍ଚ୍ଚା ଜୋର ଧରିଛି ଯେ, କଣ ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ଉଚିତ୍। ଅନେକଙ୍କ ମତ ଭାରତକୁ ଉକ୍ତ ମ୍ୟାଚ୍‌କୁ ବୟକଟ୍ କରି ଦେବା ଉଚିତ୍। ଅନେକ ଭାରତୀୟ ଚାହାନ୍ତି ଯେ ପର୍ଯ୍ୟନ୍ତ ଆତଙ୍କବାଦ ପ୍ରସଙ୍ଗର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଭାରତକୁ ପାକିସ୍ତାନ ସହ କୌଣସି ପ୍ରକାରର କ୍ରୀଡ଼ା ଖେଳିବା ଉଚିତ୍ ନୁହେଁ। ଏହା ମଧ୍ୟରେ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆସିଛି ବଡ଼ ବୟାନ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ଵିପାକ୍ଷିକ ମ୍ୟାଚ୍ ଖେଳାଯିବ ନାହିଁ। କିନ୍ତୁ ଭାରତୀୟ ଦଳକୁ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଖେଳିବା ପାଇଁ ମନା କରାଯାଇ ପାରିବ ନାହିଁ। 

Also read: ଫିଟନେସ୍ ଟେଷ୍ଟରେ ପରିବର୍ତ୍ତନ ଆଣିଲା BCCI, ବ୍ରୋଙ୍କୋ ଟେଷ୍ଟରେ ବୋଲର ପାସ୍ କଲେ ଟିମ୍‌ରେ ଚାନ୍ସ

ଗୁରୁବାର କ୍ରୀଡ଼ା ମନ୍ତ୍ରଣାଳୟ ଭାରତର ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ବନ୍ଧରେ ନୂଆ ନୀତି ଜାରି କରିଛି, ଯେଉଁଥିରେ ପାକିସ୍ତାନ ସହ ସମ୍ବନ୍ଧ ଉପରେ ଗୁରୁତ୍ଵାରୋପ କରାଯାଇଛି। ପିଟିଆଇ ଅନୁଯାୟୀ, କ୍ରୀଡ଼ା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ସହ ଦେଶର କୂଟନୈତିକ ଏବଂ ରାଜନୈତିକ ନୀତି ଯେଉଁଭଳି ରହିଛି ତାହା କ୍ରୀଡ଼ାରେ ମଧ୍ୟ ଲାଗୁ ହେଉଛି।  ଦୁଇ ଦେଶ ମଧ୍ୟରେ କଦାପି ଦ୍ଵିପାକ୍ଷିକ ମ୍ୟାଚ୍ ଖେଳାଯିବ ନାହିଁ। ଭାରତୀୟ ଦଳ ପାକିସ୍ତାନରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ। ପାକିସ୍ତାନକୁ ମଧ୍ୟ ଦ୍ଵିପାକ୍ଷିକ ସିରିଜ୍ ପାଇଁ ଭାରତରେ ଅନୁମତି ମିଳିବ ନାହିଁ।

ହେଲେ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଏହି ନୀତିର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ହିସାବରେ ଏସିଆ କପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳକୁ ରୋକା ଯାଇପାରିବ ନାହିଁ। ବହୁପକ୍ଷୀ୍ୟ  ଆୟୋଜନରେ କୌଣସି ରୋକ୍ ଲଗାଯାଇ ପାରିବ ନାହିଁ। କାରଣ ଆମକୁ ଅଲିମ୍ପିକ ଚାର୍ଟରର ପାଳନ କରିବାକୁ ପଡ଼ିବ। ଏହା ଭାରତର ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗିଦାରୀର ନୀତିକୁ ଦର୍ଶାଉଛି। 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ରୁ ଏସିଆ କପ୍ ୟୁଏଇର ଦୁଇଟି ସହର ଦୁବାଇ ଏବଂ ଆବୁଧାବିରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁପ୍ରତୀକ୍ଷି ମ୍ୟାଚ୍ ସେପ୍ଟେମ୍ବର ୧୪ରେ ଖେଳାଯିବ। ପୁଣି ଦୁଇ ଦଳ ପରସ୍ପରକୁ ସୁପର ୪ରେ ଭେଟି ପାରନ୍ତି। ଯଦି ଦୁଇ ଦଳ ସେମି ଜିତନ୍ତି ତେବେ ଫାଇନାଲ୍‌ରେ ମୁହାଁମୁହିଁ ହୋଇ ପାରନ୍ତି। ଏହିପରି ଭାବେ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ପରସ୍ପର ତିନି ଥର ମୁହାଁମୁହିଁ ହୋଇ ପାରନ୍ତି। 

Scroll to Top