ଭାରତର ପ୍ରଧାନ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତ ଶୁକ୍ରବାର ଦିନ (ଜୁନ୍ ୫) ଲଣ୍ଡନ ୟୁନିଭର୍ସିଟିର ବିର୍କବେକ୍ କଲେଜ (Birkbeck College) ରେ ଭାଷଣ ଦେଉଥିବା ବେଳେ କିଛି ଛାତ୍ରଛାତ୍ରୀ ଏହାକୁ ଅଟକାଇବାକୁ ଚେଷ୍ଟା କରିବା ସହ ଜୋରଦାର ବିରୋଧ କରିଛନ୍ତି। ବିଶେଷ କରି ସିଜେଆଇ ନିକଟରେ ଦେଇଥିବା ବିବାଦିୟ ମନ୍ତବ୍ୟକୁ ନେଇ ସେମାନେ ପ୍ରଶ୍ନ କରିଥିଲେ, ଯାହାକୁ ମଡେରେଟର୍ ଅଧାରୁ ଅଟକାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
#watch CJI Justice Surya Kant Faces Heated Q&A in #London Lecture
Chief Justice of India Justice Surya Kant delivered a public lecture on “Artificial Intelligence and International Law” at Birkbeck University of London on June 4, 2026. During the Q&A, an audience member… pic.twitter.com/Z8y9qpYHdB
— Thepagetoday (@thepagetody) June 5, 2026
୧. କାର୍ଯ୍ୟକ୍ରମରେ କ‘ଣ ହେଲା ଏବଂ ଛାତ୍ରୀ ଜଣକ କ‘ଣ ପ୍ରଶ୍ନ ପଚାରିଲେ?
ସିଜେଆଇ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଆନ୍ତର୍ଜାତୀୟ ଆଇନ’ ବିଷୟରେ ନିଜର ବକ୍ତବ୍ୟ ରଖୁଥିଲେ।
‘X’ (ପୂର୍ବର ଟ୍ୱିଟର) ରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଜଣେ ଛାତ୍ରୀ ଛିଡ଼ା ହୋଇ ସିଜେଆଇଙ୍କୁ କହିଥିଲେ ଯେ, “ଏଆଇ ଏବଂ ଗଣତନ୍ତ୍ରକୁ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଲେ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆଇନଗତ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ଭାରତରେ ଏବେ ଅସହମତି ବା ବିରୋଧ ସ୍ୱର (Dissent) ପ୍ରତି ଅସହିଷ୍ଣୁତା ବଢ଼ୁଛି, ଯାହାକି ଆପଣଙ୍କ ନିକଟ ଅତୀତର ବହୁଚର୍ଚ୍ଚିତ ଭାଷଣରୁ ମଧ୍ୟ ପ୍ରତିଫଳିତ ହେଉଛି…”।
ଛାତ୍ରୀ ଜଣକ ନିଜ ପ୍ରଶ୍ନ ପୁରା କରିବା ପୂର୍ବରୁ କାର୍ଯ୍ୟକ୍ରମର ମଡେରେଟର୍ (Moderator) ତାଙ୍କୁ ମଝିରୁ ଅଟକାଇ ଦେଇଥିଲେ। ମଡେରେଟର୍ କ୍ଷମା ମାଗିବା ସହ କହିଥିଲେ ଯେ, ଆଲୋଚନାର ବିଷୟବସ୍ତୁ କେବଳ ‘ଏଆଇ ଓ ଆନ୍ତର୍ଜାତୀୟ ଆଇନ’ ଉପରେ ଆଧାରିତ ଥିବାରୁ ସେ ଏହି ପ୍ରଶ୍ନଟି ନେଇପାରିବେ ନାହିଁ। ଏହାପରେ ସେଠାରେ ଉପସ୍ଥିତ ଅନେକ ଛାତ୍ରଛାତ୍ରୀ ପ୍ରତିବାଦ ଆରମ୍ଭ କରିଦେଇଥିଲେ।
୨. ଭାରତର ପ୍ରତିକ୍ରିୟା ଏବଂ ନିନ୍ଦା
ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ଗୋଟିଏ ସୁସ୍ଥ ଆଲୋଚନାକୁ ଏଭଳି ଭାବେ ବାଧାଦେବା ଆଦୌ ଗ୍ରହଣୀୟ ନୁହେଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଭେଦ ରହିବା ସ୍ୱାଭାବିକ, ମାତ୍ର ତାହାକୁ ଶାଳୀନତା ଏବଂ ସମ୍ମାନଜନକ ଢଙ୍ଗରେ ଉପସ୍ଥାପନ କରାଯିବା ଉଚିତ୍। ଶ୍ରୋତାମାନଙ୍କର ଏଭଳି ଅଶୋଭନୀୟ ଆଚରଣ (Indecorous behavior) ନିନ୍ଦନୀୟ।
୩. ସିଜେଆଇ ସୂର୍ଯ୍ୟକାନ୍ତ ତାଙ୍କ ଭାଷଣରେ କ‘ଣ କହିଥିଲେ?
ପିଟିଆଇ (PTI) ରିପୋର୍ଟ ଅନୁଯାୟୀ, ଏଆଇ ଉପରେ ସିଜେଆଇ କିଛି ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ:
- ପ୍ରଯୁକ୍ତିବିଦ୍ୟା (Technology) ନିଜ ଆଡ଼ୁ ଭଲ ବା ଖରାପ ନୁହେଁ, ବରଂ ସମାଜ ଏହାକୁ କେଉଁ ନୈତିକ ଏବଂ ରାଜନୈତିକ ଢାଞ୍ଚାରେ ବ୍ୟବହାର କରୁଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ।
- ଆଇନର ଦାୟିତ୍ୱ କେବଳ ପ୍ରଯୁକ୍ତିର ଅଗ୍ରଗତିକୁ ବିରୋଧ କରିବା ନୁହେଁ କିମ୍ବା ଆଖି ବୁଜି ତାକୁ ଗ୍ରହଣ କରିନେବା ନୁହେଁ। ବରଂ ଏହି ଜ୍ଞାନକୌଶଳକୁ ମାନବୀୟ ମର୍ଯ୍ୟାଦା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଯୋଡ଼ିବା ଆବଶ୍ୟକ।
- ଏହି ଆଧୁନିକ ଯୁଗରେ ମେସିନ୍ ନୁହେଁ, ବରଂ ନୀତି ନିୟମଗୁଡ଼ିକ ମଣିଷ ହାତରେ ରହିବା ଦରକାର। ଏଥିପାଇଁ ଏଆଇ ବର୍ତ୍ତମାନ ଆନ୍ତର୍ଜାତୀୟ ଆଇନ ପାଇଁ ଏକ ବଡ଼ ପରୀକ୍ଷା ସାଜିଛି।
୪. କ‘ଣ ଥିଲା‘ଅସାରପା‘ (Cockroach)ମନ୍ତବ୍ୟର ବିବାଦ?
ଗତ ମେ ମାସରେ ଏକ ଶୁଣାଣି ସମୟରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ନିର୍ଦ୍ଦିଷ୍ଟ ବର୍ଗର ବେକାର ଯୁବକମାନଙ୍କୁ ‘କାକରୋଚ୍’ (ଅସାରପା) ଏବଂ ‘ପାରାସାଇଟ୍’ (ପରଜୀବୀ) କହିଥିଲେ, ଯାହାକୁ ନେଇ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା ଏବଂ ସୋସିଆଲ ମିଡିଆରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ତେବେ ପରେ ସିଜେଆଇ ସ୍ପଷ୍ଟ କରିଥିଲେ ଯେ, ତାଙ୍କର ଏହି ମନ୍ତବ୍ୟ କୈାଣସି ଯୁବଗୋଷ୍ଠୀଙ୍କ ପାଇଁ ନଥିଲା, ବରଂ କେବଳ ସେହି ଠକମାନଙ୍କ ପାଇଁ ଥିଲା ଯେଉଁମାନେ “ନକଲି ଏବଂ ଜାଲ୍ ଡିଗ୍ରୀ” (Fake and bogus degrees) ଆଣି ଆଇନ ପେସାରେ ପଶିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଏହି ସ୍ପଷ୍ଟୀକରଣ ସତ୍ତ୍ୱେ ଯୁବଗୋଷ୍ଠୀ ଏହାକୁ ଦେଶର ବେକାରୀ ସମସ୍ୟା ଉପରେ ଏକ କଟାକ୍ଷ ବୋଲି ଧରିନେଇ ପ୍ରତିବାଦ ଜାରି ରଖିଛନ୍ତି।




