‘କକ୍ରୋଚ୍ ଜନତା ପାର୍ଟି’ ବିକ୍ଷୋଭ ବିରୋଧୀ ଆବେଦନ, ଜରୁରୀ ଶୁଣାଣି ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ
Cockroach Janta Party: ଏହି ବିକ୍ଷୋଭ ପ୍ରଦର୍ଶନକୁ ରୋକିବା କିମ୍ବା ନିୟନ୍ତ୍ରଣ କରିବା ପାଇଁ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
Published By: Tapas – Prameya-News7 Bureau | June 05, 2026 05:45 PM
NEWS7
ନୂଆଦିଲ୍ଲୀ: Cockroach Janta Party ପକ୍ଷରୁ ଜୁନ ୬ (ଶନିବାର)ରେ ନୂଆଦିଲ୍ଲୀର ଜନ୍ତର ମନ୍ତର ମୈଦାନରେ ଆନ୍ଦୋଳନ ହେବାକୁ ଯାଉଛି । ଏନେଇ ସିଜେପି ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ଲୋକପ୍ରିୟତା ପରେ, କକ୍ରୋଚ ଜନତା ପାର୍ଟି ମୈଦାନକୁ ଓହ୍ଲାଇବ ବୋଲି କୁହାଯାଉଛି । ଏହା ସହ ଆସନ୍ତାକାଲି ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିପାରନ୍ତି । ସେପଟେ ଆନ୍ଦୋଳନ ପାଇଁ ସିଜେପିକୁ ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମିଳିନାହିଁ । କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ଏହି ବିକ୍ଷୋଭ ପ୍ରଦର୍ଶନକୁ ରୋକିବା କିମ୍ବା ନିୟନ୍ତ୍ରଣ କରିବା ପାଇଁ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ପରୀକ୍ଷା ପରିଚାଳନାରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ତ୍ରୁଟି ଅଭିଯୋଗରେ କକ୍ରୋଚ୍ ଜନତା ପାର୍ଟି ଜୁନ୍ ୬ ତାରିଖରେ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଡାକରା ଦେଇଛି। ଏହି ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ ନିଜ ସମର୍ଥକ ଏବଂ ଛାତ୍ରଛାତ୍ରୀମାନଙ୍କୁ ବହୁ ସଂଖ୍ୟାରେ ଏହି ବିକ୍ଷୋଭରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଏହା ସହିତ ଜୁନ୍ ୬ ତାରିଖରେ ସମର୍ଥକମାନଙ୍କୁ ବିମାନବନ୍ଦରରେ ମଧ୍ୟ ଏକତ୍ରୀତ ହେବାକୁ କୁହାଯାଇଛି। ଜୁନ୍ ୩ ତାରିଖରେ ସିଜେପି ନିଜର ୩ ଜଣ ମୁଖପାତ୍ରଙ୍କୁ ସାମ୍ନାକୁ ଆଣିଥିଲା । ସୌରଭ ଦାସ, ବିଜେତା ଦହିଆ ଏବଂ ଆଶୁତୋଷ ରାଙ୍କା ସାମ୍ବାଦିକ ସମ୍ମିଳନୀ ଜରିଆରେ ଜୁନ ୬ରେ ହେବାକୁ ଥିବା ଆନ୍ଦୋଳନ ସଂପର୍କରେ ସୂଚନା ଦେଇଥିଲେ ।
କୋର୍ଟରେ କ’ଣ ହେଲା ?
‘ସେଭ୍ ଇଣ୍ଡିଆ ଫାଉଣ୍ଡେସନ’ (Save India Foundation) ନାମକ ଏକ ସଂସ୍ଥା ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଅବକାଶକାଳୀନ ପୀଠ (Vacation Bench) ଜଷ୍ଟିସ୍ ସୌରଭ ବାନାର୍ଜୀ ଏବଂ ଜଷ୍ଟିସ୍ ଅମିତ ଶର୍ମାଙ୍କ ସମ୍ମୁଖରେ ଏହି ମାମଲା ଉପସ୍ଥାପନ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏହାର ଜରୁରୀ ଶୁଣାଣି ପାଇଁ ଓକିଲ ଅନୁରୋଧ କରିଥିଲେ। କିନ୍ତୁ ମାମଲାର ଗୁରୁତ୍ୱକୁ ଦେଖି ଖଣ୍ଡପୀଠ ଏହାକୁ ଜରୁରୀ ତାଲିକାଭୁକ୍ତ (Urgent Listing) କରିବାକୁ ମନା କରିଦେଇଛନ୍ତି।
ଆବେଦନକାରୀଙ୍କ ଦାବି
ଆବେଦନକାରୀ ସଂସ୍ଥା ନିଜ ପିଟିସନରେ ଦିଲ୍ଲୀର ସୁରକ୍ଷା ଓ ଜନଜୀବନକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ପ୍ରକାଶ କରିଥିଲା । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI Airport), ମେଟ୍ରୋ ଷ୍ଟେସନ ଏବଂ ପ୍ରମୁଖ ଜାତୀୟ ରାଜପଥ ପ୍ରବେଶ ପଥଗୁଡ଼ିକରେ ତୁରନ୍ତ ସୁରକ୍ଷାକର୍ମୀ ମୁତୟନ ସହ ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଥିଲା ସଂସ୍ଥା । ସେହିଭଳି ବିକ୍ଷୋଭ ଯୋଗୁଁ ଯେପରି ମେଡିକାଲ/ହସ୍ପିଟାଲ, ରେଳ ଷ୍ଟେସନ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଭଳି ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆନ୍ଦୋଳନକାରୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ପିଆଇଏଲ୍ରେ ଦର୍ଶାଇଥିଲା ‘ସେଭ୍ ଇଣ୍ଡିଆ ଫାଉଣ୍ଡେସନ’ ।
ଷଡ଼ଯନ୍ତ୍ର ଅଭିଯୋଗ
ଏହି ଜନସ୍ୱାର୍ଥ ମାମଲାରେ କକ୍ରୋଚ୍ ଜନତା ପାର୍ଟି ଉପରେ ସଂଗୀନ ଅଭିଯୋଗ ଆଣିଛି ଆବେଦନକାରୀ ସଂସ୍ଥା । ଯୁବପିଢ଼ିଙ୍କ ଦ୍ୱାରା ପରିଚାଳିତ ଏହି ସୋସିଆଲ ମିଡିଆ ଆନ୍ଦୋଳନକୁ ନେଇ କୁହାଯାଇଛି ଯେ, ଏହା ବିଦେଶୀ ସର୍ଭର ବ୍ୟବହାର କରି ଭାରତୀୟ ସଂସ୍ଥାଗୁଡ଼ିକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ତେଣୁ ଜୁନ୍ ୬ର ଏହି ଆନ୍ଦୋଳନର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯାଉ, ଯାହାଦ୍ୱାରା ବିଦେଶରୁ ବସି ଦେଶର ସୁରକ୍ଷା ବ୍ୟବସ୍ଥାକୁ ବିପନ୍ନ କରୁଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇପାରିବ। ତେବେ ହାଇକୋର୍ଟ ଏହି ମାମଲାର ଜରୁରୀ ଶୁଣାଣି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।




