ବଦଳିଯିବ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ ! କ୍ୟାବିନେଟରେ ସାମିଲ ହେବେ ନୂଆ ମୁହଁ…ଏହି ସବୁ ନାଁକୁ ନେଇ ବେଶି ଚର୍ଚ୍ଚା

ବଦଳିଯିବ-ମୋଦୀଙ୍କ-ମନ୍ତ୍ରୀ-ମଣ୍ଡଳ-!-କ୍ୟାବିନେଟରେ-ସାମିଲ-ହେବେ-ନୂଆ-ମୁହଁ…ଏହି-ସବୁ-ନାଁକୁ-ନେଇ-ବେଶି-ଚର୍ଚ୍ଚା

ନୂଆଦିଲ୍ଲୀ, ୦୫/୦୬ :ବଦଳିବ ଟିମ୍ । ବଦଳିବ ଚେହେରା । ସାମିଲ ହେବେ ନୁଆ ମୁହଁ । କଟିବ କିଛି ମନ୍ତ୍ରୀଙ୍କ ପତ୍ତା । ନରେନ୍ଦ୍ର ମୋଦୀଙ୍କ ୩.୦ କାର୍ଯ୍ୟକାଳରେ ଏବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର୍ ଧରିଛି । ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ସହ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇପାରେ । ଯାହା ରାଜ୍ୟସଭା ନିର୍ବାଚନ ଗଣିତରୁ ଅନୁମାନ କରାଯାଇପାରେ ।

ଜୁନ ୧୮ରେ ବିଭିନ୍ନ ରାଜ୍ୟର ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୧୧ଟି ସିଟ୍ ପାଇଁ ମତଦାନ ହେବ । ସବୁଠୁ ବଡ କଥା ହେଉଛି ଯେ, ଏହି ସବୁ ଆସନ ପାଇଁ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀ ରବନିତ୍ ସିଂ ବିଟ୍ଟୁ ଏବଂ ଜର୍ଜ କୁରିଆନଙ୍କ ନାଁ ଘୋଷଣା କରାଯାଇ ନାହିଁ । ଉଭୟ ରାଜ୍ୟସଭାରୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ସେମାନଙ୍କ କାର୍ଯ୍ୟକାଳ ଖୁବ୍ ଶୀଘ୍ର ସରିବାକୁ ଯାଉଛି । ଆଶା କରାଯାଉଥିଲା ଯେ ସେମାନେ ପୁନଃ ନିର୍ବାଚିତ ହେବେ । ହେଲେ ବିଜେପି ସରପ୍ରାଇଜ୍ କରିଛି ।

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଏକମାତ୍ର ଖ୍ରୀଷ୍ଟିଆନ ଭାବେ ମନ୍ତ୍ରୀ ଥିଲେ କୁରିଆନ୍ । ସେ ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇଥିଲେ । ସେହିପରି ବିଟ୍ଟୁ ରାଜସ୍ଥାନରୁ ପ୍ରାର୍ଥୀ ହୋଇଥିଲେ । ଏଥର ସେମାନଙ୍କ ନାଁ ନଥିବାରୁ ସେମାନଙ୍କ ମନ୍ତ୍ରୀ ପଦ ଯିବା ନେଇ ସମ୍ଭାବନା ଦେଖାଗଲାଣି ।

ଚର୍ଚ୍ଚା ହେଉଛି ଯେ, ମୋଦୀ ନିଜର କ୍ୟାବିନେଟ୍ ଏବଂ ମନ୍ତ୍ରୀ ମଣ୍ଡଳରେ ବଡ ପରିବର୍ତ୍ତନ କରିପାରନ୍ତି । କିଛି ମାସ ମଧ୍ୟରେ ବିହାର, ପଶ୍ଚିମବଙ୍ଗ ଭଳି ବଡ ରାଜ୍ୟର ନିର୍ବାଚନ ଶେଷ ହୋଇଛି । ଏଥିରେ ବିଜେପି ସଫଳତା ପାଇଛି । ପ୍ରଥମ ଥର ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିଛି । ବିହାରରେ ବି ପ୍ରଥମ ଥର ବିଜେପିର ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ସଫଳତା କାରଣରୁ ଏହି ଦୁଇ ରାଜ୍ୟର କିଛି ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିପାରେ । ତଥାପି ନୀତିନ ନବୀନଙ୍କ ନାଁ ଆଗରେ ରହିଛି । ସେ ଏବେ ବିଜେପିର ସଭାପତି ଅଛନ୍ତି । ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେଇପାରେ ବୋଲି ଶୁଣାଯାଉଛି । ଏହା ବ୍ୟତୀତ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡି ବିହାରରେ ବିଜେପିକୁ ଏହି ପଦ ଦେଇଛନ୍ତି । ତେଣୁ ନୀତିଶଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦ ମିଳିପାରେ । ସେ ବି ମନ୍ତ୍ରୀ ରେସରେ ଆଗରେ ଅଛନ୍ତି ।

ଏହାଛଡା ଆଗାମୀ ଦିନରେ ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ନିର୍ବାଚନ ହେବ । ପଞ୍ଜାବ ଏବେ ଆପ୍ ର ଗଡ । ବିଜେପି ଏଠାରେ ନିଜର ସ୍ଥିତି ସୁଧାରିବାକୁ ଚାହୁଁଛି । ପଞ୍ଜାବ ବିଧାନସଭାରୁ ରାଜ୍ୟସଭା ଯାଇଥିବା ଅନେକ ସାଂସଦ ଏବେ ବିଜେପିରେ ମିଶିଛନ୍ତି । ଯେଉଁମାନଙ୍କ ମଧ୍ୟରେ ରାଘବ ଚଡ୍ଡା ରହିଛନ୍ତି । ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେଇପାରେ । ଏହାଦ୍ୱାରା ପଞ୍ଜାବକୁ ଫୋକସ୍ କରାଯାଇପାରିବ । ରାଘବଙ୍କୁ କିଛି ବଡ ପୋର୍ଟଫୋଲିଓ ମିଳିପାରେ । ଆଉ କିଛି ଜାଗାରେ ବିଜେପିକୁ ଆସିଥିବା ଅନ୍ୟ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବା ଚର୍ଚ୍ଚାକୁ ଏଡାଇ ହେବ ନାହିଁ ।

ଆହୁରି ମଧ୍ୟ ଓଡିଶା ଭାଗରେ ଅତିରିକ୍ତ ମନ୍ତ୍ରୀ ପଦ ପଡିପାରେ । କୁହାଯାଉଛି ଯେ, ଉପକୂଳରୁ ଜଣେ ଦୁଇ ଥରର ସାଂସଦ ମନ୍ତ୍ରୀ ହୋଇପାରନ୍ତି । ତାଙ୍କ ସମେତ ନୂଆକରି ସାଂସଦ ହୋଇଥିବା ଜଣେ ଜାତୀୟ ସ୍ତରର ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ । ସେହିପରି ଅନ୍ୟ କିଛି ନାଁ ବି ଚର୍ଚ୍ଚାରେ ରହିଛି ।

Also Read :-Annamalai Resignation: ବିଜେପି ଛାଡିଲେ ଆନ୍ନାମଲାଇ, ଇସ୍ତଫା ଗ୍ରହଣ କଲେ ନୀତିନ ନବୀନ

ମୋଦୀ ୩.୦କୁ ଦୁଇ ବର୍ଷ ପୁରିଲାଣି । ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି । ସରକାର ଗୁଡାଏ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । କିଛି ବିବାଦ ବି ଆସିଛି । ଅନ୍ତର୍ଜାତୀୟ ସ୍ତରରେ ଇରାନ ଆମେରିକା ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ଏସବୁକୁ ଦେଖି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳର ବିସ୍ତାର ତଥା ବଦଳ ନେଇ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିବା ସମ୍ଭାବନା ଅଧିକ । ଏହାଦ୍ୱାରା ଦଳକୁ ଅଧିକ ମଜବୁତ କରାଯାଇପାରିବ । ଆଗାମୀ ଦିନରେ ନିର୍ବାଚନ ଥିବା ରାଜ୍ୟ ଗୁଡିକ ବି ଫାଇଦା ପାଇବେ । ଏହାଦ୍ୱାରା ଜନତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୂରତା କମିବ ଏବଂ ଉତ୍ତମ ସମ୍ପର୍କ ବଢିବ ।

ତେବେ ମନ୍ତ୍ରୀ ମଣ୍ଡଳ କେବେ ସଂପ୍ରସାରଣ ହେବ କିମ୍ବା ବଦଳିବ ସେନେଇ କୌଣସି ବିଧିବଦ୍ଧ ତାରିଖ କେହି କହି ନାହାଁନ୍ତି । କିନ୍ତୁ ଚଳିତ ବର୍ଷ ହିଁ ଅଦଳବଦଳ ହେବା ନେଇ ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି । ଏବେ କେବଳ ଚର୍ଚ୍ଚା ଚାଲିଛି । ବାସ୍ତବ ଚିତ୍ର କଣ ତାହା ଜାଣିବାକୁ କେବଳ ସମୟକୁ ଅପେକ୍ଷା କରିବାକୁ ପଡିବ ।

Scroll to Top