କଂଗ୍ରେସକୁ ଫେରିବେ କି ଅମରିନ୍ଦର ସିଂହ? ଭୁପିନ୍ଦର ସିଂହ ହୁଡ୍ଡାଙ୍କ ସଂକେତ ପରେ ରାଜନୈତିକ ହଲଚଲ

କଂଗ୍ରେସକୁ-ଫେରିବେ-କି-ଅମରିନ୍ଦର-ସିଂହ?-ଭୁପିନ୍ଦର-ସିଂହ-ହୁଡ୍ଡାଙ୍କ-ସଂକେତ-ପରେ-ରାଜନୈତିକ-ହଲଚଲ

​​​​​​​ଚଣ୍ଡିଗଡ଼: ସକାଳୁ ବାହାରି ଯାଇଥିବା ଲୋକ ସଞ୍ଜକୁ ଘରକୁ ଫେରେ ଭଳି କଂଗ୍ରେସରୁ ନାରାଜ ହୋଇ ଦିନେ ଦଳ ଛାଡ଼ି ପଳାଇଥିବା ପଞ୍ଜାବର ବରିଷ୍ଠ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ପୁଣିଥରେ କଂଗ୍ରେସକୁ ଫେରି ପାରନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କର ଏକ ମନ୍ତବ୍ୟ ପରେ ଏହି ଆଲୋଚନା ଜୋର ଧରିଛି।

ଭୁପିନ୍ଦର ସିଂହ ହୁଡ୍ଡା ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅମରିନ୍ଦର ସିଂହ ଜଣେ ପୁରୁଣା କଂଗ୍ରେସୀ ଏବଂ ଦଳ ପାଇଁ ତାଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ତବ୍ୟକୁ ଅନେକ ରାଜନୈତିକ ବିଶେଷଜ୍ଞ ୮୪ ବର୍ଷୀୟ ଅମରିନ୍ଦଙ୍କର ‘ଘର ବାହୁଡ଼ା’ ହୋଇପାରେ ବୋଲି ଅନୁମାନ ଲଗାଉଛନ୍ତି। ଯଦିଓ କ୍ୟାପ୍ଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ସହ ଜଡ଼ିତ ଅଛନ୍ତି, ତଥାପି ଏଭଳି ବୟାନ ତାଙ୍କର ପୁରୁଣା ଦଳ ସହ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ବଢ଼ାଇ ଦେଇଛି।

କ୍ୟାପ୍ଟେନଙ୍କ ରାଜନୈତିକ ଯାତ୍ରା:

କ୍ୟାପ୍ଟେନ ଅମରିନ୍ଦର ସିଂହ ଦୀର୍ଘ ବର୍ଷ ଧରି ପଞ୍ଜାବ କଂଗ୍ରେସର ମୁଖ୍ୟ ଚେହେରା ଥିଲେ। ତେବେ ୨୦୨୧ରେ ଦଳୀୟ ଅନ୍ତଃକନ୍ଦଳ କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ କଂଗ୍ରେସ ଛାଡ଼ି ନିଜର ଏକ ସ୍ୱତନ୍ତ୍ର ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଦଳକୁ ବିଜେପି ସହ ମିଶ୍ରଣ କରିଥିଲେ। ତେବେ, ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ତାଙ୍କର ପୁଣି ଥରେ ଦଳ ପରିବର୍ତ୍ତନ କରିବା ନେଇ ଉଠିଥିବା ପ୍ରଶ୍ନ ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ।

ବିଜେପିରେ ଅଣନିଃଶ୍ୱାସୀ ଅମିରନ୍ଦର ? କଂଗ୍ରେସକୁ ପ୍ରଶଂସା

ଦଳୀୟ କନ୍ଦଳ ଯୋଗୁ ୨୦୨୧ ମସିହାରେ ଅମରିନ୍ଦର କଂଗ୍ରେସରୁ ଇସ୍ତଫା ଦେଇ ପ୍ରଥମେ ନିଜେ ଦଳ ଗଢ଼ିଲେ, ଏପରେ ଏହାକୁ ବିଜେପିର ମିଶାଇ ଦେଲେ। ହେଲେ ବିଜେପିରେ ମିଶିବା ପରେ ଅମରିନ୍ଦରଙ୍କ ପରିଚୟ ଯେମିତି ସାଇଲେଣ୍ଟ ହୋଇଯାଇଥିଲେ। ସେ ସମୟ ସମୟରେ ବିଜେପିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏମିତିକି ସେ ଦୁଇ ଦଳ ମଧ୍ୟରେ ତୁଳନା କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତୃତ୍ୱ ନିୟମିତ ଭାବରେ ପଞ୍ଜାବ-ସମ୍ବନ୍ଧୀୟ ପ୍ରସଙ୍ଗରେ ତାଙ୍କର ମତାମତ ଲୋଡ଼ୁଥିଲେ। ହେଲେ ବିଜେପିରେ ନିଷ୍ପତ୍ତି କେନ୍ଦ୍ରରୁ ନିଆଯାଇଛି। ବିଜେପି ନେତାଙ୍କ ସହିତ ତାଙ୍କର କୌଣସି କଣ୍ଟାକ୍ଟ ହେଉ ନାହିଁ ବୋଲି ମଧ୍ୟ ଅମରିନ୍ଦର ଅଭିଯୋଗ କରିଥିଲେ।

Also Read- ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା INDI ମେଣ୍ଟ ବୈଠକରେ ଯୋଗ ଦେବନି DMK, ଜାଣନ୍ତୁ କହିଛି କ’ଣ?

ସେପଟେ ରାହୁଲ ଗାନ୍ଧୀ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା କଥା ସୋସିଆଲ୍ ମିଡିଆରେ ଶେୟାର କରିଥିଲେ ଅମରିନ୍ଦର। ଏବଂ ତାଙ୍କ ଭାଇଙ୍କ ମୃତ୍ୟୁରେ ରାହୁଲ ଦୁଃଖ ପ୍ରକାଶ କରିଥିବା ସେ ପୋଷ୍ଟ କରି ଜଣାଇଥିଲେ। ସେ ଆହୁରି ମଧ୍ୟ ମନ୍ତବ୍ୟ କଂଗ୍ରେସ ଭିତରେ ରାଜନୈତିକ ସଂସ୍କୃତିକୁ ସେ ପ୍ରଶଂସା କରିଥିଲେ। ଏହିସବୁ କାରଣରୁ ଅମରିନ୍ଦର ପୁଣିଥରେ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏହି ଚର୍ଚ୍ଚାକୁ ଆହୁରି ଟିକେ ବଢ଼ାଇ ଦେଇଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ସମେତ କିଛି ବରିଷ୍ଠ ପଞ୍ଜାବ କଂଗ୍ରେସ ନେତାଙ୍କ କଥା। ଯଦି ଅମରିନ୍ଦର ଦଳକୁ ଫେରିବାକୁ ଚାହାଁନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ଯଦି ଅମରିନ୍ଦର ସିଂହ କଂଗ୍ରେସକୁ ଫେରନ୍ତି, ତେବେ ଏହା ପଞ୍ଜାବ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ। ପଞ୍ଜାବ କଂଗ୍ରେସରେ ପୁରୁଣା ଓ ନୂଆ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାରେ କ୍ୟାପ୍ଟେନଙ୍କ ଅଭିଜ୍ଞତା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। ତେବେ ଏହା କେବଳ ଏକ ଚର୍ଚ୍ଚା ନାଁ ଏହା ପଛରେ କୌଣସି ଗୁପ୍ତ ବୁଝାମଣା ଅଛି, ତାହା ସମୟ ହିଁ କହିବ। ହୁଡ୍ଡାଙ୍କ ମନ୍ତବ୍ୟ ବେଶ କିଛି ସମୟ ପାଇଁ ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି। କଂଗ୍ରେସ ଏଭଳି ପ୍ରସଙ୍ଗରେ ସତର୍କତାର ସହ ପାଦ ପକାଉଥିବା ବେଳେ ଅମରିନ୍ଦର ସିଂହ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାନ୍ତି।

Scroll to Top