Supreme Court Dismisses WFI’s Petition: ଆଇନଗତ ଲଢ଼େଇରେ ବିଜୟୀ ହେବା ପରେ ମଧ୍ୟ କ୍ରୀଡ଼ା ମୈଦାନରେ ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଛି। ଏସିଆନ ଗେମ୍ସ ପାଇଁ ଆୟୋଜିତ ଚୟନ ପ୍ରକ୍ରିୟାର ସେମିଫାଇନାଲ ମ୍ୟାଚରେ ଭିନେଶ ପରାଜିତ ହୋଇଛନ୍ତି।
Published By: Tapas – Prameya-News7 Bureau | June 04, 2026 05:45 PM
NEWS7
ନୂଆଦିଲ୍ଲୀ: ଏସିଆନ ଗେମ୍ସର ଚୟନ ପ୍ରକ୍ରିୟା ବା ଟ୍ରାଏଲ୍ସରେ ଭାଗ ନେବା ପରେ ମହିଳା ରେସଲର ଭିନେଶ ଫୋଗାଟ୍ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଏହି ସୂଚନା ମିଳିବା ପରେ ସୁପ୍ରିମକୋର୍ଟ ଗୁରୁବାର ଭାରତୀୟ କୁସ୍ତି ସଂଘ (WFI) ପକ୍ଷରୁ ଦାୟର ହୋଇଥିବା ଆପତ୍ତି ଆବେଦନର ଶୁଣାଣିକୁ ଆଗକୁ ବଢ଼ାଇବାର ଆବଶ୍ୟକତା ନଥିବା କହି ଖାରଜ କରିଦେଇଛନ୍ତି। WFIକୁ ସୁପ୍ରିମକୋର୍ଟରେ ଏକ ବଡ଼ ଝଟକା ଲାଗିଛି। ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ବିରୋଧରେ ସଂଘ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାବଳୀକୁ ଦୃଷ୍ଟିରେ ରଖି ଏହି ଆବେଦନର ଏବେ କୌଣସି ପ୍ରାସଙ୍ଗିକତା ନାହିଁ ଏବଂ ଏହା ନିଷ୍କ୍ରିୟ ହୋଇଯାଇଛି। ହାଇକୋର୍ଟଙ୍କ ସିଦ୍ଧାନ୍ତ ଏବଂ ଟିପ୍ପଣୀକୁ ଦୋହରାଇବା ପାଇଁ ସୁପ୍ରିମକୋର୍ଟ ବାଧ୍ୟ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଷ୍ଟିସ ପି.ଏସ. ନରସିଂହ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ ।
ଏହି ମାମଲାର ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ଏବଂ ଭିନେଶଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦେଇଥିଲେ। ଜଷ୍ଟିସ ପି.ଏସ. ନରସିଂହ ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଭିନେଶଙ୍କୁ ନୋଟିସ ଜାରି କରି ଜବାବ ମାଗିଥିଲେ। ଦିଲ୍ଲୀ ହାଇକୋର୍ଟ ମେ’ ୨୨ ତାରିଖରେ ଏସିଆନ ଗେମ୍ସ ଟ୍ରାଏଲ୍ସରେ ବିନେଶ ଫୋଗାଟ ସାମିଲ ହେବା ପାଇଁ ମଞ୍ଜୁରୀ ଦେଇଥିଲେ। କୋର୍ଟ କହିଥିଲେ ଯେ, ମାତୃତ୍ୱ ଅବକାଶ (Maternity leave) ପରେ ଫେରୁଥିବା ଭିନେଶଙ୍କ ଭଳି ଜଣେ ପ୍ରତିଷ୍ଠିତ (Iconic) ଖେଳାଳିଙ୍କୁ ବାଦ୍ ଦେବାର ଅଧିକାର WFI ର ଚୟନ ନୀତିରେ ନାହିଁ।
କ’ଣ କହିଥିଲେ ହାଇକୋର୍ଟ ?
ମେ’ ୩୦-୩୧ ରେ ହୋଇଥିବା ଚୟନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ WFIକୁ କରିବାକୁ ହେବ । ଏପରିକି ଏହି ପ୍ରକ୍ରିୟା ସମୟରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ (SAI) ଏବଂ ଇଣ୍ଡିଆନ ଓଲିମ୍ପିକ ଆସୋସିଏସନ (IOA) ର ଜଣେ ଜଣେ ସ୍ୱାଧୀନ ପର୍ଯ୍ୟବେକ୍ଷକ (Independent Observer) ଉପସ୍ଥିତ ରହିବେ।ଏହା ସହ ଭିନେଶଙ୍କୁ ନୋଟିସ ପଠାଇବାକୁ ନେଇ କୋର୍ଟ କୁସ୍ତି ମହାସଂଘକୁ ଭର୍ତ୍ସନା ମଧ୍ୟ କରିଥିଲେ।
ଏସିଆନ ଗେମ୍ସ ଟ୍ରାଏଲ୍ସରୁ ଭିନେଶ ବାଦ୍
ଆଇନଗତ ଲଢ଼େଇରେ ବିଜୟୀ ହେବା ପରେ ମଧ୍ୟ କ୍ରୀଡ଼ା ମୈଦାନରେ ଭିନେଶଙ୍କୁ ନିରାଶ ହେବାକୁ ପଡ଼ିଛି। ଏସିଆନ ଗେମ୍ସ ପାଇଁ ଆୟୋଜିତ ଚୟନ ପ୍ରକ୍ରିୟାର ସେମିଫାଇନାଲ ମ୍ୟାଚରେ ଭିନେଶ ପରାଜିତ ହୋଇଛନ୍ତି। ମହିଳା ୫୩ କିଲୋଗ୍ରାମ ବର୍ଗର ଏକ ରୋମାଞ୍ଚକର ମୁକାବିଲାରେ ଯୁବ କୁସ୍ତିଯୋଦ୍ଧା ମୀନାକ୍ଷୀ ଗୋୟଲ୍ ଭିନେଶଙ୍କୁ ୬-୪ ବ୍ୟବଧାନରେ ପରାସ୍ତ କରିଥିଲେ । ଏହି ପରାଜୟ ସହିତ ଭିନେଶ ଫୋଗାଟ୍ଙ୍କର ୨୦୨ ୬ ଏସିଆନ ଗେମ୍ସରେ ସ୍ଥାନ ପାଇବା ଏବଂ କମବ୍ୟାକ୍ କରିବାର ସ୍ୱପ୍ନ ଧୂଳିସାତ ହୋଇଯାଇଛି। ତେବେ ଖେଳ ପଡ଼ିଆରେ ସେ ହାରିଯାଇଥିବାରୁ, ସୁପ୍ରିମକୋର୍ଟରେ WFI ଦ୍ୱାରା ଦାଖଲ ହୋଇଥିବା ଆବେଦନର ମଧ୍ୟ ଆଉ କୌଣସି ଅର୍ଥ ନାହିଁ।




