ମସ୍କୋ ୨୧।୮: ଭାରତକୁ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନକୁ ପଞ୍ଚମ ପିଢୀର ଯୁଦ୍ଧବିମାନ ଭଳି ଶକ୍ତିଶାଳୀ କରିବାକୁ ଋଷିଆ ଅଫର ଦେଇଛି। ଏ ନେଇ ଋଷିଆ କହିଛି ଯେ ସେ ଭାରତୀୟ ଯୁଦ୍ଧ ବିମାନରେ ନୂଆ ‘ହୃଦୟ’ ଲଗାଇବାକୁ ପ୍ରସ୍ତୁତ। ଏସୟୁ- ୩୦ ଏମକେଆଇ ଯୁଦ୍ଧ ବିମାନ ଏବେ ଭାରତୀୟ ବାୟୁସେନାର ମେରୁଦଣ୍ଡ ପାଲଟିଛି। ଗତ ଅପରେସନ ସିନ୍ଦୂର କାଳରେ ପାକିସ୍ତାନ ଉପରେ ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଏସୟୁ-୩୦ଏମକେଆଇ ଯୁଦ୍ଧ ବିମାନରୁ ଫାୟାର କରିଥିଲା।
ଏବେ ଋଷିଆ ଏସୟୁ-୩୦ ଏମକେଆଇ ଯୁଦ୍ଧବିମାନରେ ନୂଆ ଇଞ୍ଜିନ ଲଗାଇବା ପାଇଁ ଭାରତକୁ ଅଫର ଦେଉଛି। ଋଷୀୟ ସମ୍ବାଦସରବରାହ ସଂସ୍ଥା ‘ସ୍ପୁଟନିକ୍’ କହିଛି ଯେ ଯଦି ଏଥି ପାଇଁ ଭାରତ ରାଜି ହୁଏ ଭାରତରେ ଏହାର ଇଞ୍ଜିନ ନିର୍ମାଣ ପାଇଁ ଋଷିଆ ମଧ୍ୟ ପ୍ରସ୍ତୁତ। ସ୍ପୁଟିନକ ଅନୁସାରେ ଏସୟୁ-୩୦ଏମକେଆଇର ଥରେ ଅପଗ୍ରେଡେସନ ହେଲେ ସୁଖୋଇ-୩୦ ନେକ୍ସଟ ଜେନେରେସନ ଫାଇଟର ଜେଟରେ ପରିଣତ ହେବ, ଯାହା ପଞ୍ଚମ ପିଢୀର ଫାଇଟର ଜେଟ୍ ଙ୍କୁ ଟକ୍କର ଦେବାକୁ ସକ୍ଷମ ହେବ।
ସ୍ପୁଟନିକ ରିପୋର୍ଟରେ ଅଫର ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ଏଥିରେ ଭାରତକୁ ଋଷିଆ ଯେଉଁ ଫାଇଟର ଜେଟ୍ ଇଞ୍ଜିନର ଅଫର ଦେଉଛି ତାହା ମେକ-ଇନ-ଇଣ୍ଡିଆ ମୁତାବକ ହେବ। ନୂଆ ଇଞ୍ଜିନ ନୂଆ ଟେକ୍ନୋଲଜିର ହେବ ଓ ଏହାର ନିର୍ମାଣ ଭାରତରେ ହିଁ ହେବ। ଅର୍ଥାତ ଭାରତ ଯଦି ଋଷିଆର ଅଫରକୁ ସ୍ୱୀକାର କରେ ତେବେ ଭାରତରେ ନା କେବଳ ଫାଇଟର ଜେଟ୍ ଇଞ୍ଜିନର ନିର୍ମାଣ ଆରମ୍ଭ ହେବ ବରଂ ଭାରତୀୟ ବାୟୁସେନାରେ ଏବେ ଥିବା ସୁଖୋଇ-୩୦ ବିମାନଗୁଡିକର ଅପଗ୍ରେଡେସନ ମଧ୍ୟ ବେଶ୍ ତୀବ୍ର ହେବ।
ଉଲ୍ଲେଖଯୋଗ୍ୟ ଯେ ଋଷିଆର ଲାଇସେନ୍ସ ଟେକ୍ନୋଲଜି ଟ୍ରାନ୍ସଫରରେ ଭାରତ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନର ନିର୍ମାଣ କରୁଛି। ହେଲେ ଏଥି ପାଇଁ କିଛି କ୍ରିଟିକାଲ କମ୍ପୋନେଣ୍ଟ ଏବେବି ଋଷିଆରୁ ଆମଦାନୀ ହେଉଛି। ଭାରତୀୟ ବାୟୁସେନାରେ ଏବେ ୨୬୦ରୁ ଅଧିକ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ରହିଛି। ଭାରତ ଏହାକୁ ୧୯୯୦ ଦଶକରେ ଋଷିଆରୁ କିଣିଥିଲା। ଏହା ପରଠାରୁ ଏହି ବିମାନର ଲଗାତାର ଅପଗ୍ରେଡେସନ ହେଉଛି। ଭାରତ ଯାହାବି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି ଏହାକୁ ଏସୟୁ-୩୦ଏମକେଆଇ ବିମାନରେ ଇଣ୍ଟିଗ୍ରେଟ କରୁଛି। ଏଥିରେ ଋଷିଆ ଏବେ ଯେଉଁ ଅଫର ଦେଉଛି ସେଥିରେ ଏହି ଯୁଦ୍ଧ ବିମାନଗୁଡିକରେ ନୂଆ ଇଞ୍ଜିନ ଲଗାଇବାକୁ ଚାହୁଁଛି। ହେଲେ ଏବେ ଏହି ବିମାନଗୁଡିକରେ ଏଏଲ-୩୧ଏଫପି ଇଞ୍ଜିନ ଉପଯୋଗ ହେଉଛି।
ସ୍ପୁଟନିକ ରିପୋର୍ଟ ଅନୁସାରେ ନୂଆ ଅଫରରେ ଏସୟୁ-୩୦ଏମକେଆଇ ଫାଇଟର ଜେଟ୍ ରେ ପୁରୁଣା ଇଞ୍ଜିନକୁ ବଦଳେଇ ନେକ୍ସଟ ଜେନେରେସନ ଇଞ୍ଜିନ ଲଗାଯିବ। ଏଥିରେ ଫାଇଟର ଜେଟ୍ ର ଅଧିକ ଶକ୍ତି ପାଇଁ ଅଧିକ ଥ୍ରଷ୍ଟ, ଦୀର୍ଘ ଦୂରତାରେ ଆକ୍ରମଣ କରିବା ଲାଗି ଅଧିକ ରେଞ୍ଜର କ୍ଷମତା ଆସିଯିବ। ଏହା ଛଡା ନୂଆ ଇଞ୍ଜିନ ଫାଇଟର ଜେଟ୍ କୁ ଉନ୍ନତ ଫ୍ୟୁଲ ଇଫିସିଏନ୍ସି ସାଙ୍ଗକୁ ଉଚ୍ଚସ୍ତରର ମ୍ୟାନ୍ୟୁଭେରେବିଲିଟି ପ୍ରଦାନ କରିବ। ଦାବି କରାଯାଉଛି ଏହାର ସିଧା ପ୍ରଭାବ ଏହା ହେବ ଯେ ଭାରତୀୟ ସୁଖୋଇ ଷ୍ଟିଲଥ ଫାଇଟର ଓ ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ ବିପକ୍ଷରେ ଦମଦାର ପ୍ରଦର୍ଶନ କରିପାରିବ।
ଋଷିଆର ଏହି ଅଫର ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ସହିତ ଭାରତର ବିବାଦ ବେଶ୍ ବଢି ଯାଇଛି। ରିପୋର୍ଟ ଅନୁସାରେ ଭାରତର ତେଜସ ଯୁଦ୍ଧବିମାନ ନିମନ୍ତେ ଇଞ୍ଜିନ ଡେଲିଭରୀକୁ ଆମେରିକା ହୁଏତ ରୋକି ଦେଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ନିକଟରେ ହୋଇଥିବା ଯୁଦ୍ଧ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ବାୟୁସେନାକୁ ସବୁ ପରିସ୍ଥିତିରେ ମଜଭୁତ ରଖିବା ଜରୁରି। ଏଣୁ ଏସୟୁ-୩୦ଏମକେଆଇକୁ ନୂଆ ଇଞ୍ଜିନ ମିଳିଲେ ଭାରତର ବାୟୁଶକ୍ତି ସନ୍ତୁଳନ ବଦଳିପାରିବ। କାରଣ ବିମାନ ପ୍ରଥମରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଜାଇଲ ଯୁକ୍ତ ହୋଇସାରିଛି।




