ନୂଆଦିଲ୍ଲୀ : ଗତ ଦିନରେ ଆଲାସ୍କାରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଓ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବହୁପ୍ରତୀକ୍ଷିତ ବୈଠକ ପରେ ଏବେ ରୁଷ୍ ଆମେରିକାକୁ ନିଜର ଉଦ୍ଦେଶ୍ୟ କହି ଦେଇଛି। ରୁଷ୍ କହିଛି ଯେ, ଆମେରିକା ଅର୍ଥବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି, ଯାହା ସଂପୂର୍ଣ୍ଣ ଭାବେ ଅନୁଚିତ। ବୁଧବାର ଭାରତରେ ରୁଷୀୟ ମିଶନର ଡେପୁଟୀ ଚିଫ୍ ରୋମନ ବାବୁସ୍କିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେରିକା ରୁଷୀୟ ତୈଳ କିଣିବାକୁ ନେଇ ଭାରତ ଉପରେ ଯେଉଁ ପ୍ରକାରର ଚାପ ପକାଉଛି,ଏହାକୁ ସଠିକ୍ କୁହାଯାଇ ପାରିବ ନାହିଁ। ଅନ୍ୟପଟେ ରୁଷ୍ ହ୍ୱାଇଟ୍ ହାଉସ୍ ସେହି ଦାବିକୁ ମଧ୍ୟ ଖାରଜ କରିଛି, ଯେଉଁଥିରେ ଏହା କୁହାଯାଇ ଥିଲା ଯେ, ଭାରତ ଉପରେ ମୋଟା ଅଙ୍କର ଟାରିଫ୍ (ଶୁଳ୍କ) ଲଗାଇବା କାରଣରୁ ହିଁ ପୁଟିନ ଆମେରିକୀୟ ରାଷ୍ଟ୍ରପତିଙ୍କ କଥାବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇ ଥିଲେ।
ରୁଷ୍ ଏହି ପ୍ରକାରର ଆମେରିକୀୟ ଦାବିକୁ ଗୁଜବ ଉପରେ ଆଧାରିତ ବୋଲି କହିଛି। ବାବୁସ୍କିନ କହିଛନ୍ତି, ଆମେରିକାର ଏହି ପ୍ରକାରର ବିବୃତ୍ତି ଭ୍ରମାତ୍ମକ। ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଉପରେ ଲଗାଯାଇ ଥିବା ଟାରିଫ୍ ଓ ୟୁକ୍ରେନ ଯୁଦ୍ଧକୁ ନେଇ ପୁଟିନଙ୍କର ଟ୍ରମ୍ପଙ୍କ ସହ ସାକ୍ଷାତ୍ ମଧ୍ୟରେ କୌଣସି ସିଧାସଳଖ ସଂପର୍କ ନାହିଁ। କହି ରଖୁଛୁ ଯେ, ଏହା ପୂର୍ବରୁ ହ୍ୱାଇଟ୍ ହାଉସ୍ ଏବଂ ନିଜେ ଟ୍ରମ୍ପ ଦାବି କରିଥିଲେ ଯେ, ଭାରତ ଉପରେ ଲଗାଯାଇ ଥିବା ସେକେଣ୍ଡାରୀ ଟାରିଫ୍ କାରଣରୁ ହିଁ ପୁଟିନ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ଓ ବୈଠକ ପାଇଁ ପ୍ରସ୍ତୁତ ହୋଇ ଥିଲେ।
ଆମେରିକା କହିଛି ଯେ, ଭାରତ ବଡ଼ ସ୍ତରରେ ରୁଷ୍ ସହ ବାଣିଜ୍ୟ କରିଥାଏ ଏବଂ ୟୁକ୍ରେନ ଯୁଦ୍ଧରେ ରୁଷ୍ର ଆର୍ଥିକ ସାହାଯ୍ୟ କରୁଛି। ଏହାକୁ ଆଧାର କରି ଟ୍ରମ୍ପ ଭାରତ ଉପରେ ଜୋରିମନା ଲଗାଇବାକୁ ଘୋଷଣା କରି ମୋଟା ଅଙ୍କର ଟାରିଫ୍ ଲଗାଇ ଦେଇଛି। ହ୍ୱାଇଟ୍ ହାଉସ୍ ଗତ ମଙ୍ଗଳବାର ମଧ୍ୟ ଟିପ୍ପଣୀ କରିଛି ଯେ, ରୁଷ୍ ଉପରେ ଚାପ ପକାଇବା ପାଇଁ ହିଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଉତ୍ପାଦ ଗୁଡ଼ିକ ଉପରେ ଦୁଇଗୁଣା ଟାରିଫ୍ ଲଗାଇବାକୁ ନିଷ୍ପତ୍ତି ନେଇ ଥିଲେ।
ବାବୁସ୍କିନ ଦିଲ୍ଲୀରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା କରି ଆମେରିକାର ଏହି ନୀତି ଗୁଡ଼ିକର ସମାଲୋଚନା କରିଛନ୍ତି। ଆମେରିକା ଭାରତରୁ ରୁଷୀୟ ତୈଳ ଆମଦାନୀ ହ୍ରାସ କରିବାକୁ ଦାବି କରିଛି। ଏହା ଉପରେ ଟିପ୍ପଣୀ କରି, ବାବୁସ୍କିନ କହିଛନ୍ତି , ଗୋଟେପଟେ କାର୍ଯ୍ୟାନୁଷ୍ଠାନ ଅନୁଚିତ ଏବଂ ଏହା ବିଶ୍ୱ ବଜାରକୁ ଅସ୍ଥିର କରିଥାଏ। ସେ କହିଛନ୍ତି ,ରୁଷ୍ ତୈଳର ସବୁଠୁ ବଡ଼ ଉତ୍ପାଦକ ଏବଂ ଭାରତ ସବୁଠୁ ବଡ଼ ଉପଭୋକ୍ତା। କୌଣସି ବି ପ୍ରକାରର ଏକତରଫା କାର୍ଯ୍ୟାନୁଷ୍ଠାନରେ ସପ୍ଲାଇ ଚେନ୍ରେ ଅସନ୍ତୁଳନ ଓ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଥାଏ,ଯେଉଁଥିରେ ବିକାଶଶୀଳ ଦେଶର ଶକ୍ତି ସୁରକ୍ଷା ବିପଦରେ ପଡ଼ିଯାଏ।
ଅନ୍ୟପଟେ ଭାରତ ଓ ରୁଷ୍ ସଂପର୍କ ବିଷୟରେ ଯଦି କହିବା , ତ ସେ କହିଛନ୍ତି ଯେ, ରୁଷ୍ ଓ ଭାରତର ସଂପର୍କ ସ୍ୱାଭାବିକ ଅଟେ। ସେ କହିଛନ୍ତି ଯେ, ଭାରତ ରୁଷ୍ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ। ବାବୁସ୍କିନ କହିଛନ୍ତି ଯେ, ଭାରତ ଓ ରୁଷ୍ ସର୍ବଦା ମୁସ୍କିଲ ସମୟରେ ମଧ୍ୟ ପାର୍ଟନରସିପ୍ ବଜାୟ ରଖିଛନ୍ତି। ସେ କହିଛନ୍ତି ଯେ , ଯଦି ଭାରତୀୟ ଉତ୍ପାଦ ଗୁଡ଼ିକ ଉପରେ କୌଣସି ଦେଶ ଟାରିଫ୍ ଲଗାଉଛି ତ ଏହି ସାମଗ୍ରୀ ଗୁଡ଼ିକ ପାଇଁ ରୁଷ୍ର ବଜାର ସର୍ବଦା ଖୋଲା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଚାପ ସତ୍ତ୍ୱେ ରୁଷ୍ ଭାରତର ଅଶୋଧିତ ତୈଳର ସପ୍ଲାଇ ଜାରି ରଖିବ।




