ଦିଲ୍ଲୀ ଦରିଆଗଞ୍ଜରେ ଭୁଶୁଡିଲା ୩ ମହଲା କୋଠା; ଚାଲିଗଲା ୩ ଜୀବନ, ଚାଲିଛି ଉଦ୍ଧାରକାର୍ଯ୍ୟ
Published By : Prameya-News7 Bureau | August 20, 2025 IST

ନୂଆଦିଲ୍ଲୀ ୨୦।୦୮; ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦରିଆଗଞ୍ଜ ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିଛି। ଏହି କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।
ଅଧିକାରୀ କହିଛନ୍ତି ଯେ ଦିନ ୧୨:୧୪ ସମୟରେ ତିନି ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ଖବର ମିଳିଥିଲା। ଏହା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଚାରୋଟି ଗାଡ଼ି ପଠାଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକଙ୍କ ନାମ ଜୁବୈର, ଗୁଲସାଗର ଏବଂ ତୌଫିକ୍। ତିନି ଜଣ ଶ୍ରମିକ ଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି।
ଘଟଣାଟି ଦରିଆଗଞ୍ଜ ପୋଲିସ ଷ୍ଟେସନ ପଛପଟେ ସଦଭାବନା ପାର୍କ ନିକଟରେ ଘଟିଛି। ଦିଲ୍ଲୀ ପୋଲିସ ଡିସିପି ତିନି ଜଣଙ୍କର ମୃତ୍ୟୁ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଦିଲ୍ଲୀ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଭଗ୍ନାବଶେଷ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ନେଇ ଆଶଙ୍କା ରହିଛି।





