କମିବ ଛୋଟ କାର୍‌ ଓ ବାଇକ୍‌ଗୁଡ଼ିକର ମୂଲ୍ୟ: ୮% ହ୍ରାସ ପାଇବା ସମ୍ଭାବନା

କମିବ-ଛୋଟ-କାର୍‌-ଓ-ବାଇକ୍‌ଗୁଡ଼ିକର-ମୂଲ୍ୟ:-୮%-ହ୍ରାସ-ପାଇବା-ସମ୍ଭାବନା

ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ କଲେ ଆଗକୁ ଛୋଟ କାରଗୁଡ଼ିକର ମୂଲ୍ୟ ହ୍ରାସ ପାଇବ। ଏନେଇ  HSBC(ହଂକଂ ଆଣ୍ଡ ସଂଘାଇ ବ୍ୟାଙ୍କିଙ୍ଗ କର୍ପୋରେସନ) ରିପୋର୍ଟ ପ୍ରକାଶ କରାଇଛି। ରିପୋର୍ଟ ଅନୁଯାୟୀ, ଯଦି ସରକାର ବର୍ତ୍ତମାନର ସାମଗ୍ରୀ ଏବଂ ସେବା ଟିକସ (GST) ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଭାରତରେ ଛୋଟ କାରର ମୂଲ୍ୟ ପ୍ରାୟ ୮ ପ୍ରତିଶତ କମିଯିବ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନର ସ୍ଲାବ୍‌ରେ ଯାତ୍ରୀବାହୀ ଯାନ (PV) ୨୯ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଜିଏସ୍‌ଟି ଲାଗୁଛି। କାରଣ ଯାନର ଆକାର ଏବଂ ଲମ୍ବକୁ ଦେଖି ମାନକ ୨୮ ପ୍ରତିଶତ ଜିଏସଟି ହାର ଉପରେ ଏକ ସେସ୍ ଲାଗୁ କରାଯାଉଛି। ହେଲେ ନୂଆ ବ୍ୟବସ୍ଥାରେ ସରକାର ଛୋଟ କାର ଉପରେ ଟିକସ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ବିଚାର କରିପାରନ୍ତି। 

ଅନ୍ୟପଟେ ବଡ଼ କାର ପାଇଁ, ସେସ୍ ବାତିଲ ସହିତ ୪୦ ପ୍ରତିଶତର ଏକ “ବିଶେଷ ହାର” ପ୍ରଚଳନ କରାଯାଇପାରେ। ଯଦି ଏପରି ହେଲା ତେବେ ଛୋଟ କାରଗୁଡ଼ିକର ମୂଲ୍ୟ ପ୍ରାୟ ୮ ପ୍ରତିଶତ ହ୍ରାସ ପାଇପାରେ, ହେଲେ ବଡ଼ କାରଗୁଡ଼ିକ ୩-୫ ପ୍ରତିଶତ ମଧ୍ୟରେ ଶସ୍ତା ହୋଇପାରେ।

କେବଳ କାର କ୍ଷେତ୍ରରେ ନୁହେଁ, ଟୁହ୍ୱିଲର ମଧ୍ୟ ଶସ୍ତା ହୋଇପାରେ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସମସ୍ତ ଦୁଇଚକିଆ ଯାନ ନିର୍ମାତା ଜିଏସ୍‌ଟି ହ୍ରାସ ଦ୍ୱାରା ଲାଭବାନ ହେବେ। ଫଳରେ ଘରୋଇ କମ୍ପାନୀମାନେ ତୁଳନାତ୍ମକ ଭାବରେ ଅଧିକ ଲାଭ ପାଇବେ। ତେବେ ଏଭଳି ସ୍ଥିତିରେ ସରକାରଙ୍କୁ ଜିଏସ୍‌ଟି ସଂଗ୍ରହ ଉପରେ ୪-୫ ବିଲିୟନ ଡଲାରର ପ୍ରଭାବ ପଡ଼ିପାରେ ବୋଲି ଏଚ୍‌ଏସବିସି ତା’ ରିପୋର୍ଟରେ କହିଛି। 

ରିପୋର୍ଟରେ ସମସ୍ତ ବର୍ଗର କାର ପାଇଁ ଜିଏସ୍‌ଟି ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବାର ଯଦିଓ ସମ୍ଭାବନା କମ୍, ତେବେ ଏନେଇ ଆଲୋଚନା ଜାରି ରହିଛି। ଏପରି ପରିସ୍ଥିତିରେ, ଯାନବାହାନ ଆକାର ଉପରେ ଆଧାରିତ ସେସ୍ ଜାରି ରହିବ। ଏବଂ ସମସ୍ତ କାର ପ୍ରାୟ ୬-୮ ପ୍ରତିଶତ ମୂଲ୍ୟ ଲାଭ ପାଇବେ। କାର ମୂଲ୍ୟରେ ସିଧା ୧୦ ପ୍ରତିଶତ କମିବା ଅର୍ଥ ହେଉଛି ସରକାର ପ୍ରାୟ ୫-୬ ବିଲିୟନ ଆମେରିକୀୟ ଡଲାରର ରାଜସ୍ୱ କ୍ଷତି ବହନ କରିବେ।

Scroll to Top