କଣାସ ୨୨।୪: ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ । କାର୍ଯ୍ୟାଳୟରେ ଝୁଲୁଛି ତାଲା । ବୁଲୁଛି ଫ୍ୟାନ । ହେଲେ ଖାଲି ପଡ଼ିଛି ସରକାରୀ ବାବୁଙ୍କ ସିଟ୍ । ସରକାରୀ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକେ ମୁହଁ ଫେରାଇ ଯାଉଥିବା ଅଭିଯୋଗ ହୋଇଛି । କଣାସ ବ୍ଲକ୍ କାର୍ଯ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
ଅତ୍ୟଧିକ ଖରା ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ ଚାଲୁରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ସକାଳ ୭ଟା ସମୟରେ ଅଫିସ ଖୋଲାଯାଇ ୧ଟା ସମୟରେ ବନ୍ଦ ହେବା କଥା । କିନ୍ତୁ କଣାସ ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସରକାରଙ୍କ ଏହି ନିୟମକୁ ଖୋଦ୍ ସରକାରୀ ଅଧିକାରୀ ମାନୁନାହାନ୍ତି ବୋଲି ଅଭିଯୋଗ ହେଉଛି ।
ଅନ୍ୟପଟେ ସରକାରୀ ନିର୍ଦ୍ଦେଶ ପରେ ସବୁ ଅଫିସରେ ବାୟୋମେଟ୍ରିକ୍ ବ୍ୟବସ୍ଥା ହୋଇଛି । ନିୟମିତ ବାୟୋମେଟ୍ରିକ୍ ମେସିନ କ୍ୟାମେରା ଅବା ଫିଙ୍ଗରପ୍ରିଣ୍ଟ ଦେଇ ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । କିନ୍ତୁ ପୁରୀ ଜିଲ୍ଲା କଣାସ ବ୍ଲକ ଓ ତହସିଲରେ କାର୍ଯ୍ୟାଳୟ ଭିତରେ ବାୟୋମେଟ୍ରିକ ମେସିନ ଲାଗିଛି । ବାୟୋମେଟ୍ରିକ ମେସିନ ଲାଗିଥିଲେ ମଧ୍ୟ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି । ବ୍ଲକ ଓ ତହସିଲର ବିଭିନ୍ନ ବିଭାଗ କର୍ମଚାରୀ ବ୍ଲକ ପରିସରକୁ ମନଇଚ୍ଛା ପ୍ରବେଶ ଓ ଅପରାହ୍ନରେ ମନଇଚ୍ଛା ପ୍ରସ୍ଥାନ କରୁଛନ୍ତି । ଖାତାରେ ଉପସ୍ଥାନ ପକାଉଛନ୍ତି । ଖାତା ଦେଖି କର୍ମଚାରୀଙ୍କ ଦରମା କରାଯାଉଛି । ଅଧିକାଂଶ କର୍ମଚାରୀ ନିୟମିତ ଅଫିସକୁ ବିଳମ୍ବରେ ଆସୁଥିବାରୁ ସେମାନେ ଜାଣିଶୁଣି ବାୟୋମେଟ୍ରିକ ବ୍ୟବସ୍ଥାକୁ ଝୁଲାଇ ରଖିଥିବା ଅଭିଯୋଗ ହୋଇଛି ।
Also Read:- ଘରେ ପଶି ମହିଳାଙ୍କୁ ପଚାରିଲେ ପ୍ରଶ୍ନ, ମାଗିଲେ ଆଧାର କାର୍ଡ ; ପିଲାଙ୍କ ଗଳାରେ ଛୁରି ଲଗାଇ..
ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟା ନେଇ ଲୋକେ ବ୍ଲକ ଆସୁଥିବା ବେଳେ ବିଭିନ୍ନ କର୍ମଚାରୀ ଅନେକ ସମୟରେ ବିଳମ୍ବରେ ଆସୁଛନ୍ତି । ଅନେକ କର୍ମଚାରୀ ନିଜର ବ୍ୟକ୍ତିଗତ କାମ ସାରି ବ୍ଲକ ଆସୁଛନ୍ତି, ପଚାରିଲେ ବାହାନାରେ କହୁଛନ୍ତି ଫିଲ୍ଡକୁ ଯାଇଥିଲୁ । ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଟଙ୍କା ଖର୍ଚ୍ଚ ହୋଇ ବାୟୋମେଟ୍ରିକ ମେସିନ ଲାଗିଲା । ସମସ୍ତଙ୍କୁ ନିର୍ଦ୍ଦେଶ ରହିଛି କିଛି କର୍ମଚାରୀ ଅଫିସରୁ ବିଳମ୍ବରେ ଯାଉଥିବାରୁ ଆସିବା ବିଳମ୍ବ ହେଉଛି ବୋଲି ଖୋଦ୍ ସ୍ବୀକାର କରୁଛନ୍ତି କଣାସ ତହସିଲଦାର ଓ କଣାସ ବିଡିଓ ।




