Census 2027: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା : ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

census-2027:-ତାତି-ଓ-ଦୁର୍ଘଟଣାକୁ-ନେଇ-ବଢ଼ିଲା-ଚିନ୍ତା-:-ଜନଗଣନା-କର୍ମଚାରୀଙ୍କ-ସୁରକ୍ଷା-ପାଇଁ-ରାଜ୍ୟ-ସରକାରଙ୍କ-କଡ଼ା-ନିର୍ଦ୍ଦେଶ

ଭୁବନେଶ୍ବର ୨୨।୪: ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ’ ୧୫ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକ ଚିନ୍ତା ବଢ଼ାଇଛି । ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀଙ୍କ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଥିବା ବେଳେ ବାଲେଶ୍ୱରରୁ ଦୁର୍ଘଟଣା ଓ ହିଟ୍ଷ୍ଟ୍ରୋକ୍ (ଅଂଶୁଘାତ) ସମ୍ବନ୍ଧୀୟ ତିନୋଟି ମାମଲା ଏବଂ ରାଉରକେଲାରୁ ଗୋଟିଏ ଦୁର୍ଘଟଣାଜନିତ ଖବର ମିଳିଛି ।

Also Read:- ଦ୍ରୁତ ଗତି ମହାବିପତ୍ତି, ଭାରସାମ୍ୟ ହରାଇ ବସ୍ ତଳକୁ ପଶିଗଲା ବାଇକ୍

ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି । ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହା ଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ । ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Scroll to Top