ବ୍ରିଜ ଉପରେ ଛିଡ଼ା ହୋଇ ପଟୋ ଉଠାଉଥିଲେ ଦମ୍ପତି, ଦ୍ରୁତ ଗତିରେ ଆସି ମାଡ଼ିଗଲା ମର୍ସିଡିଜ୍

ବ୍ରିଜ-ଉପରେ-ଛିଡ଼ା-ହୋଇ-ପଟୋ-ଉଠାଉଥିଲେ-ଦମ୍ପତି,-ଦ୍ରୁତ-ଗତିରେ-ଆସି-ମାଡ଼ିଗଲା-ମର୍ସିଡିଜ୍

ନୂଆଦିଲ୍ଲୀ: ଲୋକପ୍ରିୟ ସ୍ଥାନ ଦେଖି ଫଟୋ ଉଠାଇବାକୁ ଅଟକିଗଲେ ପତି- ପତ୍ନୀ। ସ୍ବାମୀ କ୍ୟାମେରା ଧରିଥିଲେ ଆଉ ସ୍ତ୍ରୀ ଫଟୋ ପାଇଁ ଦେଉଥିଲେ ପୋଜ୍। ସବୁକିଛି ଠିକ୍ ଚାଲିଥିଲା। ହେଲେ ଖୁସିର ଏହି ପରିବେଶ ନିମିଷକେ ପରିଣତ ହୋଇଯାଇଥିଲା ଦୁଃଖରେ। ଫଟୋ ଉଠାଉଥିବା ବେଳେ, ଯୁବକଙ୍କୁ ଧକ୍କା ଦେଇ ଫେରାର ମାରିଥିଲା ଏକ କାର୍। ଏଥିରେ ତାଙ୍କ ମୃତ୍ୟୁ ହୋଇଛି। ଆଉ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା।

ରବିବାର ହାଇଦ୍ରାବାଦର ପ୍ରସିଦ୍ଧ ଦୁର୍ଗମ ଚେରୁଭୁ ବ୍ରିଜରେ ଘଟିଛି ଏହି ଦୁଃଖଦ ହିଟ୍ ଆଣ୍ଡ୍- ରନ୍ ମାମଲା। ସୂଚନା ଅନୁସାରେ, ୩୨ ବର୍ଷୀୟ ଶ୍ୟାମରାଜ ପତ୍ନୀଙ୍କ ସହିତ ଫଟୋ ଉଠାଇବା ପାଇଁ ସେତୁ ଉପରେ ଅଟକିଥିଲେ । ହେଲେ ଏହି ସମୟରେ ଏକ ଦ୍ରୁତଗାମୀ ମର୍ସିଡିଜ୍ କାର ନିୟନ୍ତ୍ରଣ ହରାଇ ଫୁଟପାଥ୍ ଉପରକୁ ଚଢ଼ିଯାଇ ସେମାନଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ଗୁରତର ଆହତ ହୋଇଥିଲେ ଦମ୍ପତି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସନ୍ଧ୍ୟାରେ ଶ୍ୟାମରାଜଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Also Read: ୧୦୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରିବାହୀ ବସ୍, ୧୬ ଜଣଙ୍କ ଚାଲିଗଲା ଜୀବନ

ପୋଲିସର ସୂଚନା ଅନୁସାରେ, ମର୍ସିଡିଜ୍ ଡ୍ରାଇଭର ଗାଡ଼ିଟିକୁ ଛାଡ଼ି ଘଟଣାସ୍ଥଳରୁ ପଳାଇଯାଇଛି। କାରଟି ବେଙ୍ଗାଲୁରୁସ୍ଥିତ ଏକ କମ୍ପାନି କ୍ୱାଣ୍ଟମ୍ ମିନେରାଲ୍ସ ଆଣ୍ଡ୍ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ ନାଁରେ ପଞ୍ଜିକୃତ। ତେବେ ଦୁର୍ଘଟଣା ସମୟରେ କିଏ ଗାଡ଼ି ଚଳାଉଥିଲେ ତାହା ଚିହ୍ନଟ କରିବାକୁ ତଦନ୍ତ ଚାଲିଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭର ଅତ୍ୟଧିକ ଦ୍ରୁତ ଗତିରେ ଏବଂ ଅସାବଧାନତାବଶତଃ ଗାଡି ଚାଳନା କରୁଥିଲା। ଫଳରେ ଗାଡିଟି ଫୁଟପାଥରେ ଚଢ଼ିଯାଇଥିଲା। ଘଟଣା ପରେ ଗାଡି ଏବଂ ଏହାର ଗତିବିଧି ସିସିଟିଭି ଫୁଟେଜରେ କଏଦ ହୋଇଛି। କିନ୍ତୁ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ ଏବଂ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଅବହେଳା ଏବଂ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ମୃତ୍ୟୁ ଘଟାଇବା ପାଇଁ ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

Scroll to Top