ଭୁବନେଶ୍ୱର ୧୭।୦୪ : କର୍କଟ ବିଶ୍ବର ସବୁଠାରୁ ମାରାତ୍ମକ ରୋଗମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରତିବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବା ସହ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଗତ କିଛି ବର୍ଷ ଧରି ମୁଣ୍ଡ ଏବଂ ବେକ କର୍କଟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ବିଶେଷକରି ଭାରତରେ ଏହି ପ୍ରକାର କର୍କଟ ରୋଗ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ମୁଖ, ଗଳା, ସ୍ୱରପେଟି, ନାକ ଭିତର ଭାଗ ଓ ଲାଳ ଗ୍ରନ୍ଥିରେ ହେଉଥିବା କର୍କଟ ଭାରତରେ ଅଧିକ ମାତ୍ରାରେ ବଢିଛି। ଏହା ଅନେକ ସମୟରେ ପ୍ରତିରୋଧଯୋଗ୍ୟ ହେଲେ ମଧ୍ୟ, ସଚେତନତାର ଅଭାବ ଏବଂ ବିଳମ୍ବିତ ଚିକିତ୍ସା ଯୋଗୁଁ ଅଧିକାଂଶ ରୋଗୀଙ୍କ ଠାରେ ଏହାର ଚିକିତ୍ସା ଜଟିଳ ହୋଇପଡୁଛି।
‘ହେଜ୍ ଆଣ୍ଡ ନେକ୍ କ୍ୟାନସର’ ସଚେତନତା ମାସ ପାଳନ ଅବସରରେ “ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର” ପକ୍ଷରୁ ଏକ ବିଶେଷ କ୍ୟାନସର ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା I ସମାଜରେ ପ୍ରତିରୋଧମୂଳକ ସ୍ବାସ୍ଥ୍ୟ ସଚେତନତା ବଢ଼ାଇବା, କ୍ୟାନସରର କାରକ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ସୁସ୍ଥ ଜୀବନଶୈଳୀ ଅନୁସରଣ ପାଇଁ ପ୍ରେରିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
ଭାରତରେ ତମାଖୁ ସେବନ (ଧୂମପାନ କିମ୍ବା ଚୋବାଇବା), ଗୁଟଖା, ପାନମସଲା, ଖଇନି, ସୁପାରୀ ଭଳି ପଦାର୍ଥ ଦୈନିକ ଜୀବନର ଅଂଶ ହୋଇପଡ଼ିଥିବାରୁ ଏହାକୁ ଛାଡ଼ିବା କଷ୍ଟକର ହେଉଛି, ଯାହା ଏହି କର୍କଟର ପ୍ରମୁଖ କାରଣ ପାଲଟିଛି । ମଦ୍ୟପାନ ସହ ତମାଖୁ ସେବନ ଏହାକୁ ଅଧିକ ବିପଦପୂର୍ଣ କରୁଛି । ଏହାସହ ହ୍ୟୁମାନ ପାପିଲୋମା ଭାଇରସ ମଧ୍ଯ କିଛି ପ୍ରକାର କର୍କଟର କାରଣ ଭାବେ ଚିହ୍ନଟ ହେଉଛି। । ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ରର ‘ହେଡ୍ ଆଣ୍ଡ ନେକ୍’ ବିଭାଗର ବିଶେଷଜ୍ଞମାନଙ୍କ ମତାନୁସାରେ, ପ୍ରାରମ୍ଭିକ ଚିହ୍ନଟ ଓ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗକୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ । ଏହି କର୍କଟର ଆରମ୍ଭିକ ଲକ୍ଷଣ ସହଜରେ ଦେଖାଯାଏ। ମୁଖର ଘା ଠିକ୍ ନହେବା, ସ୍ୱର କର୍କଶ ହେବା, ଖାଇବାରେ ଅସୁବିଧା, ଗଳାରେ ଗଣ୍ଠି ହେବା ଓ ମୁଖରେ ଲାଲ୍ କିମ୍ଵା ଧଳା ଦାଗ ଦେଖାଯିବାକୁ କେବେ ମଧ୍ଯ ଅଣଦେଖା କରିବା ଉଚିତ୍ ନୁହେଁ ।
ସଚେତନତାର ଅଭାବ ଓ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅଭାବରୁ ଅଧିକାଂଶ ରୋଗୀ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସଠିକ୍ ସମୟରେ ଏହି କର୍କଟ ଚିହ୍ନଟ ହେଲେ ସଫଳତାର ସହ ଚିକିତ୍ସା କରାଯାଇପାରିବ । ଏହାସହ ତମାଖୁ ଓ ମଦ୍ୟପାନ କରୁଥିବା ଲୋକମାନେ ନିୟମିତ ମୁଖ ପରୀକ୍ଷା କରାଇବାର ବିଶେଷ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି । ନିୟମିତ ଭାବେ ମୁଖ ପରୀକ୍ଷା କରାଇବା ଦ୍ବାରା, କ୍ୟାନସର ହେବା ପୂର୍ବରୁ ଥିବା ଆରମ୍ଭିକ ଲକ୍ଷଣକୁ ଚିହ୍ନଟ କରାଯାଇ ସଠିକ୍ ସମୟରେ ଚିକିତ୍ସା ହୋଇପାରିବ । ଏହି ରୋଗକୁ ଆରମ୍ଭରେ ଚିହ୍ନଟ କରି ଠିକ୍ ସମୟରେ ଚିକିତ୍ସା ପାଇଁ ପଠାଇବାରେ ପ୍ରାଥମିକ ଡାକ୍ତର ଓ ଦନ୍ତଚିକିତ୍ସକମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଛି।
ପ୍ରତିରୋଧ ହେଉଛି ସବୁଠାରୁ ସର୍ବୋତ୍ତମ ଉପାୟ I ଦୈନନ୍ଦିନ ଜୀବନରେ ତମାଖୁ ଓ ସୁପାରୀ ସେବନ ବନ୍ଦ କରିବା ସହ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା ଆବଶ୍ୟକ । ବର୍ତମାନ ଏହି ଭଳି କର୍କଟରୁ ଯୁବପିଢ଼ିଙ୍କୁ ଏଚ୍.ପି.ଭି ବିରୋଧୀ ଟିକା ଅତିରିକ୍ତ ସୁରକ୍ଷା ଦେବ । ଏହା ସହିତ ବାୟୁ ପ୍ରଦୂଷଣ ଭଳି ପରିବେଶୀୟ କାରକ ଉପରେ ମଧ୍ଯ ଧ୍ୟାନ ଦେବା ଆବଶ୍ୟକ, କାରଣ ଏହା ପୂର୍ବରୁ ଥିବା କ୍ୟାନ୍ସର ସୃଷ୍ଟିକାରକ ଉପାଦାନ ସହ ମିଶି କ୍ୟାନ୍ସରକୁ ଅଧିକ ବଢ଼ାଇପାରେ । ଏହି ସଚେତନତା ମାସର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା, ପ୍ରାରମ୍ଭିକ ଚିହ୍ନଟ କରିବା ଏବଂ ଏହି ରୋଗରୁ ସୁରକ୍ଷା ଦେବା । ଏହି କାର୍ଯ୍ୟକ୍ରମ ଅବସରରେ ସାର୍ବଜନୀନ ଶିକ୍ଷାକୁ ସୁଦୃଢ଼ କରିବା, ସୁସ୍ଥ ଜୀବନଶୈଳୀ ଏବଂ ପ୍ରାରମ୍ଭିକ ସ୍କ୍ରିନିଙ୍କୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଆବଶ୍ୟକ।
ସମସ୍ତଙ୍କ ଏକତ୍ର ପ୍ରୟାସରେ ଆମେ ଏହି କର୍କଟର ପ୍ରଭାବ କମାଇପାରିବା ବୋଲି ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ରର ହେଡ୍ ଆଣ୍ଡ ନେକ୍ ବିଭାଗର ବିଶେଷଜ୍ଞମାନେ କହିଛନ୍ତି I ଆଧୁନିକ ଚିକିତ୍ସା ପ୍ରଣାଳୀରେ ସର୍ଜରୀ, ରେଡିଏସନ୍ ଓ ଇମ୍ୟୁନୋଥେରାପି ସହିତ ବହୁ ଉନ୍ନତ ପଦ୍ଧତି ଉପଲବ୍ଧ ଅଛି। ଏହା ପାଇଁ ଏକ ମଲ୍ଟିଡିସିପ୍ଲିନାରୀ ଟିମ୍ ଆବଶ୍ୟକ, ଯାହା ରୋଗୀଙ୍କ ଜୀବନକୁ ଉନ୍ନତ କରିବାରେ ସହାୟକ ହୁଏ । ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ଶଙ୍କରା କର୍କଟ କେନ୍ଦ୍ରର ହେଡ୍ ଆଣ୍ଡ ନେକ୍ ବିଭାଗର ଡ.ଘନଶ୍ୟାମ ମଣ୍ଡଳ, ଡ. ନୀଳମଣି ମହାନ୍ତି, ଡ.ବୈଭବ ସିଂହ, ଡ.ରାଇସା ପ୍ରିୟଦର୍ଶିନୀ ଆଦି ଉପସ୍ଥିତ ରହିଥିଲେ ।




