ନୂଆଦିଲ୍ଲୀ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ବସ୍ତିରେ ଥିବା ୧୦୦୦ରୁ ଅଧିକ ଘର। ବୁଧବାର ଲକ୍ଷ୍ନୌର ବିକାଶନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ବିକାଶନଗରର ବିନାୟକପୁରମ ବସ୍ତିରେ ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଛି ୧୦୦୦ରୁ ଅଧିକ ଝୁପୁଡ଼ି ଘର ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୪ଟା ବେଳେ ହଠାତ ବସ୍ତିରେ ଅଗ୍ନିକାଣ୍ଡ ହୋଇଥିଲା । ଆଉ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ମାତ୍ର କିଛି ସମୟ ଭିତରେ ଏହା ପୂରା ବସ୍ତିକୁ କବଳିତ କରିଥିଲା। ଏପଟେ ଭୟଙ୍କର ଅଗ୍ନିକାଣ୍ଡ ଦେଖି ଜୀବନ ବିକଳରେ ବସ୍ତିବାସିନ୍ଦା ଏଣେତେଣେ ଧାଇଁଥିଲେ ଫଳରେ ଦଳଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।
ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଆହୁରି ମଧ୍ୟ ଅନେକଙ୍କ ପିଲାମାନେ ଅଗ୍ନିକାଣ୍ଡରେ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯିବା ବେଳେ ପୋଲିସ ଲୋକଙ୍କୁ ଅଟକାଇଥିଲା। ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। କିଛି ଲୋକ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏଥିରେ ସିଭିଲ୍ ଡିଫେନ୍ସ ପୋଷ୍ଟ ୱାର୍ଡେନ୍ ରିଷି ଶ୍ରୀବାସ୍ତବଙ୍କ ମୁଣ୍ଡ ଫାଟିଛି। ଆହୁରି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।
ତେବେ କିଛି ସମୟ ପରେ ଡେପୁଟି ସିଏମ୍, ପୋଲିସ ଅଗ୍ନିଶମ ମହାନିର୍ଦ୍ଦେଶକ, ପୋଲିସ କମିଶନର ଏବଂ ଡିଏମଙ୍କ ସମେତ ଅନେକ ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇଥିଲେ ଏବଂ କିଛି ଦୂରରେ ଥିବା ମିନି ଷ୍ଟାଡିୟମକୁ ପଠାଇଥିଲେ। ହେଲେ ସେତେବେଳକୁ ଅଗ୍ନିକାଣ୍ଡରେ ବସ୍ତିରେ ଥିବା ୧୦୦୦ରୁ ଅଧିକ ଝୁପୁଡ଼ି ଘର ଜଳିଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ପ୍ରାୟ ଚାରିଟା ବେଳେ ହଠାତ୍ ସ୍ଥାନୀୟ ମଦ ଦୋକାନ ପାଖରେ ଥିବା କ୍ୟାଣ୍ଟିନରୁ ନିଆଁ ବାହାରିଲା। ଏହା ପରେ ନିଆଁ କ୍ୟାଣ୍ଟିନ ପାଖ ବସ୍ତିର ବିଭିନ୍ନ ଝୁପୁଡ଼ି ଘରକୁ ମାଡ଼ିଯାଇଥିଲା। ଲୋକମାନେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସ୍ଥିତି ସେତେବେଳେ ଆହୁରି ଖରାପ ହୋଇଥିଲା ଯେତେବେଳେ ବସ୍ତିରେ ଲୋକଙ୍କ ଘରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ନିଆଁ ଅଧିକ କରାଳ ରୂପ ନେଇଥିଲା। ତେବେ ପ୍ରାୟ ଦେଢ଼ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା।
Also Read: ସମୁଦ୍ର ମଝିରେ ବଡ଼ ଅଘଟଣ, ଭେସେଲ ଓଲଟି ୨୫୦ ଜଣଙ୍କ ମୃତ୍ୟୁ !
ଲୋକଙ୍କ କହିବା ଅନୁସାରେ, ବସ୍ତିରେ ୧୦୦୦ରୁ ଅଧିକ ଝୁପୁଡ଼ି ଘର ଥିଲା I ସେମାନଙ୍କର ଘରକରଣା ସାମଗ୍ରୀ, ନଗଦ ଟଙ୍କା, ସବୁକିଛି ପୋଡ଼ି ଯାଇଛି I ଅନେକ ସେମାନଙ୍କ ସନ୍ତାନଙ୍କ ବିବାହ ପ୍ରସ୍ତୁତି କରୁଥିଲେ। ସେମାନେ ଘରେ ରଖିଥିବା ଟଙ୍କା ଏବଂ ଅନ୍ୟାନ୍ୟ ବିବାହ ସାମଗ୍ରୀ ସବୁ ପୋଡ଼ି ନଷ୍ଟ ହୋଇଯାଇଛି I ବସ୍ତିରେ ଥିବା କୁକୁଡ଼ା, ଛେଳି, କୁକୁର ଇତ୍ୟାଦି ପ୍ରାୟ ୫୦ ଗୋରୁ ପୋଡ଼ିଯାଇଛି I ଅନେକ ଲୋକ ସେମାନଙ୍କ ଘରକରଣା ସାମଗ୍ରୀ ବାହାର କରିବାକୁ ଚେଷ୍ଟା କରିବା ସମୟରେ ମଧ୍ୟ ପୋଡ଼ି ଯାଇଛନ୍ତି ।
ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି I




