Vinod Kambli ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ, ବ୍ରେନ କ୍ଲଟ ଯୋଗୁ ବଢିଲା ଷ୍ଟ୍ରୋକ୍ ବିପଦ

vinod-kambli-ସ୍ୱାସ୍ଥ୍ୟାବସ୍ଥା-ଉଦବେଗଜନକ,-ବ୍ରେନ-କ୍ଲଟ-ଯୋଗୁ-ବଢିଲା-ଷ୍ଟ୍ରୋକ୍-ବିପଦ

ଠାଣେ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ପୁଣିଥରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ଜୀବନର କଠିନ ସମୟକୁ ନେଇ ଚର୍ଚ୍ଚାରେ। ୧୯୯୦ ଦଶକରେ ଭାରତୀୟ କ୍ରିକେଟର ସବୁଠୁ ପ୍ରତିଭାଶାଳୀ ବ୍ୟାଟସମ୍ୟାନ୍ ଙ୍କ ମଧ୍ୟରେ ଗଣ୍ୟ ହେଉଥିବା କାମ୍ବଲୀ ତାଙ୍କ କ୍ୟାରିୟରରେ ଦେଶ ପାଇଁ ୧୭ ଟେଷ୍ଟ ଓ ୧୦୪ ୱାନଡେ ମ୍ୟାଚ୍ ଖେଳିଛନ୍ତି। ହେଲେ ସମୟ ସହିତ ଫିଟନେସ୍ ଓ ଫର୍ମ କାୟମ ରଖିବା ସଂଘର୍ଷରେ ତାଙ୍କ କ୍ୟାରିୟର ଧିରେ ଧିରେ ଅଟକି ଯାଇଥିଲା।

ତାଜା ରିପୋର୍ଟ ଅନୁସାରେ କାମ୍ବଲୀଙ୍କୁ ଡିସେମ୍ବର ୨୦୨୪ରେ ଠାଣେର ଆକୃତି ହସ୍ପିଟାଲରେ ୟୁରିନ ଇନଫେକ୍ସନ ଓ ମାଂସପେସୀ ଟାଣି ହେବା ଯୋଗୁ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଲଗାତାର ବିଗିଡିବାରେ ଲାଗିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ବଢାଇ ଦେଇଛି। ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ ସୂତ୍ରରୁ ଦାବି କରାଯାଉଛି ଯେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ(କ୍ଲଟ)ବାନ୍ଧିଛି, ଯାହାକୁ ହଟାଯାଇ ପାରିବନି । ଏଣୁ ତାଙ୍କ ଲାଗି ବ୍ରେନ ଷ୍ଟ୍ରୋକ୍ ବିପଦ ବଢି ଯାଇଛି।

ରିପୋର୍ଟରେ ଏହା ବି କୁହାଯାଇଛି ଯେ କାମ୍ବଲୀଙ୍କ ସ୍ମରଣ ଶକ୍ତି ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ହେଲେ ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେଭଳି ହ୍ରାସ ହୋଇ ନାହିଁ। ହେଲେ ଅନେକବାର ତାଙ୍କୁ କୌଣସି କଥା ମନେ ରଖିବାକୁ କଷ୍ଟ ହେଉଛି। ତାଙ୍କ ବନ୍ଧୁ ମାର୍କସ କୁଟୋଙ୍କ ଅନୁସାରେ କେତେକ ପୂର୍ବତନ କ୍ରିକେଟର ମିଳିତ ଏକ ହ୍ୱାଟସ୍ ଆପ୍ ଗ୍ରୁପ ତିଆରି କରିଛନ୍ତି। ଏହି ଗ୍ରୁପ ମାଧ୍ୟମରେ କାମ୍ବଲୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ଓ ତାଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ଲାଗି ସହଯୋଗ ଦିଆଯାଉଛି।

ତେବେ ଚିକିତ୍ସକଙ୍କ ଅନୁସାରେ ବିନୋଦ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି, ଯାହା ଆଗକୁ ବ୍ରେନ ଷ୍ଟ୍ରୋକ୍ ଭଳି ବିପଦଜନକ ପରିସ୍ଥିତିରେ ପକାଇ ପାରେ। କୁହାଯାଉଛି ସେ ମଦ ଛାଡି ଦେଇଛନ୍ତି। ହେଲେ ତାଙ୍କ ଜୀବନ ଶୈଳୀ ଓ ପୁରୁଣା ଅଭ୍ୟାସ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। କାମ୍ବଲୀଙ୍କୁ ନେଇ ପୂର୍ବତନ କ୍ରିକେଟ ଜଗତ ମଧ୍ୟ ସକ୍ରିୟ ଅଛି। ଭାରତର ୧୯୮୩ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ କପିଲ ଦେବ ଓ ଅନ୍ୟ ଖେଳାଳିମାନେ ତାଙ୍କ ପୁନର୍ବାସ (ରିହାବିଲେସନ) ଚିକିତ୍ସାରେ ସହାୟତା ନିମନ୍ତେ ହାତ ବଢାଇଥିଲେ। ଏପରିକି ତାଙ୍କୁ ଏକ ସ୍ୱତନ୍ତ୍ର ରିହାବିଲେସନ ସେଣ୍ଟରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇ ଦେବାକୁ ଯୋଜନା ମଧ୍ୟ କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିନଥିଲା।

Scroll to Top