ମାଇନିଂ କମ୍ପାନି ସହ ରହିଛି ମାଓବାଦୀ ଲିଙ୍କ୍। ଶେଷ ନିଶ୍ବାସ ଗଣୁଥିବା ମାଓ ସଂଗଠନକୁ ଅସ୍ତ୍ର ବଳ ଯୋଗାଉଛନ୍ତି ବେନାମୀ ଖଣି ମାଲିକ। ପଥର କ୍ବାରୀକୁ ଆସୁଥିବା ବିସ୍ଫୋରକ ଯାଉଛି ମାଓ ସଂଗଠନକୁ। ଏଭଳି କିଛି ସାଂଘାତିକ ତଥ୍ୟ ଲାଗିଛି ରାଜ୍ୟ ଗୁଇନ୍ଦା ବିଭାଗ ହାତରେ
ଶକ୍ତିହୀନ ମାଓ ସଂଗଠନକୁ ବଳ ଯୋଗାଉଛନ୍ତି ମାଇନିଂ କମ୍ପାନି। ଅସ୍ତ୍ର ସଂକଟରେ ଜଙ୍ଗଲରୁ ଜଙ୍ଗଲ ଘୂରିବୁଲୁଥିବା ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଛନ୍ତି ଖଣି ମାଫିଆ। ଏଭଳି ଚାଞ୍ଚଲ୍ୟକର ସୁରାକ୍ ଲାଗିଛି ରାଜ୍ୟ ଗୁଇନ୍ଦା ବିଭାଗ ହାତରେ। ଗୋଟିଏ ପରେ ଗୋଟିଏ ସ୍ଥାନରୁ ବେଆଇନ ବିସ୍ଫୋରକ ଜବତ ହେବା ଆଉ ଏହି ସବୁ ବିସ୍ଫୋରକ ସହ ମାଓ ଲିଙ୍କ୍ ମିଳିବା ପରେ ଏ ନେଇ ଏମିତି କିଛି ତଥ୍ୟ ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଂଜୀବ ପଣ୍ଡା। ଗତକାଲି କନ୍ଧମାଳ ପୋଲିସ ଗଞ୍ଜାମ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁର ଏକ ଗୁହାଳ ଘରୁ ୧୦ ଟନ ବିସ୍ଫୋରକ ଜବତ କରିଥିଲା। ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ।
ସବୁଠୁ ବଡ଼ କଥା ହେଉଛି ଗଞ୍ଜାମରୁ ଜବତ ବିସ୍ଫୋରକ ଓ ଗତ ଜୁଲାଇ ୧୭ ତାରିଖରେ କନ୍ଧମାଳ ଗୁମା ଜଙ୍ଗଲରୁ ଜବତ ବିସ୍ଫୋରକ ସାମଗ୍ରୀ ଗୋଟିଏ କମ୍ପାନିର। ଭଲଭାବେ ଦେଖନ୍ତୁ ଜବତ ଏ ଜିଲୋଟିନ୍କୁ। ଆପେକ୍ସ ବୁଷ୍ଟ ବ୍ରାଣ୍ଡ, କଂପାନି ଏପି ଏକ୍ସପ୍ଲୋସିଭ୍ ପ୍ରାଇଭେଟ୍ ଲିମିଟେଡ। ଖାଲି ସେତିକି ନୁହେଁ ବିନା କୌଣସି ଲାଇସେନ୍ସରେ ଏହି ସବୁ ବିସ୍ଫୋରକ ଆନ୍ଧ୍ରପ୍ରଦେଶରୁ ଆଣି ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ ପରେ ସେମାନଙ୍କୁ ପଚରାଉଚରାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବି ଲାଗିଛି ପୋଲିସ୍ ହାତରେ।…
ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଚାଲିଥିବା ଖଣି ଖଦାନ ସହ ପଥର କ୍ବାରୀ ଉପରେ ଗୁଇନ୍ଦା ବିଭାଗର ନଜର। ପୂର୍ବରୁ କେବଳ ମାଓ ଉପଦ୍ରୁତ ଜିଲ୍ଲାର ଖଣି ଖାଦାନରେ ଯାଞ୍ଚ ହେଉଥିଲା। ଗଞ୍ଜାମ ଘଟଣା ପରେ ଏବେ ସାରା ରାଜ୍ୟରେ ଏହି ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ଏଡିଜି ଅପରେସନ୍। ପୂର୍ବରୁ ସୁନ୍ଦରଗଡରେ ଟ୍ରକଭର୍ତ୍ତି ବିସ୍ଫୋରକ ଲୁଟି ନେଇଥିଲେ ନକ୍ସଲ। ଯାହାକୁ ନେଇ ଅପରେସନ ଜୋରଦାର କରାଯାଇ ପରବର୍ତ୍ତୀ ସମୟରେ ଲୁଟ ବିସ୍ପୋରକକୁ ଜବତ କରାଯାଇଥିଲା। ଏହି ମାମଲାରେ ବି ଖଣି ମାଲିକଙ୍କ ସହ ମାଓ ସଂପର୍କର ସୁରାକ ପାଇଥିଲା ରାଜ୍ୟ ପୋଲିସ। ତେଣୁ କ୍ରମାଗତ ଭାବେ ରାଜ୍ୟରେ ଚାଲିଥିବା ଏଭଳି ଗୋଟିକ ପରେ ଗୋଟିଏ ଘଟଣା ମାଇନିଂ କଂପାନି ସହ ମାଓବାଦୀଙ୍କ ଲିଙ୍କ ସନ୍ଦେହକୁ ବଢ଼ାଇ ଦେଇଛି।
Also Read
ତେବେ କାହିଁକି ମାଓବାଦୀଙ୍କ ସହ ସାଲିସ୍ କରୁଛନ୍ତି ମାଇନିଂ କମ୍ପାନି ? ଭୟରେ ନା ଅର୍ଥ ଲୋଭରେ ? ଅପରପକ୍ଷେ ମାର୍ଚ୍ଚ 2026 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲକ୍ଷ୍ୟରେ ଦେଶବ୍ୟାପୀ ମାଓଗଡ଼ରେ ଚାଲିଥିବା ପ୍ରଚଣ୍ଡ ପ୍ରହାରରୁ ଏବେ ଶେଷ ନିଶ୍ବାସ ଗଣୁଛି ମାଓ ସଂଗଠନ। ଏଭଳି ସ୍ଥିତିରେ ରାଜ୍ୟର ନୂଆ ନୂଆ ସ୍ଥାନରେ ଉପସ୍ଥିତି ଜାହିର କରିବା ପାଇଁ କିଛି ବଡ଼ ଅଘଟଣ ଘଟାଇବା ଚକ୍କରରେ ରହିଛି କି ଲାଲବାହିନୀ ? ଯେଉଁଥିପାଇଁ ଖଣି କଂପାନିଙ୍କୁ ହାତ କରି ଚାଲିଛି ବିସ୍ଫୋରକ ମହଜୁଦର ଏ ପ୍ରୟାସ ?




