ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନେ ୩-୪ଟି ଗାଡ଼ିରେ ଆସି ମୋର ରେକି କରିଥିଲେ। ମୋ ଗାଡ଼ିକୁ ଅନୁସରଣ କରାଯାଇଥିଲା। ଏଲଭିଶ ଯାଦବ ଏବଂ ତାଙ୍କ ସାଙ୍ଗମାନେ ଦୁଇଟି ଏସୟୁଭି ଗାଡ଼ିରେ ରାତି ପ୍ରାୟ ୧:୩୦ ସମୟରେ ମୋ ସୋସାଇଟିରେ ପ୍ରବେଶ କରିଥିଲେ ଏବଂ ନକଲି ନାମ ବ୍ୟବହାର କରି ସୋସାଇଟିର ପାର୍କିଂରେ ଗାଡ଼ି ଘୂରାଇଥିଲେ। ପ୍ରାୟ ୧୦ ମିନିଟ ସୋସାଇଟିରେ ଗାଡ଼ି ଘୂରାଇବା ପରେ ସେମାନେ ସୋସାଇଟିରୁ ବାହାରି ଯାଇଥିଲେ।
ୟୁଟ୍ୟୁବର ଏଲଭିଶ ଯାଦବଙ୍କ ବିରୁଦ୍ଧରେ ଗାଜିଆବାଦ ନ୍ୟାୟାଳୟ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜିଆବାଦର ଅପର ସିଭିଲ ଜଜ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀଙ୍କ ଏନଜିଓ ପିପୁଲ ଫର ଆନିମାଲ୍ସ (PFA) ର ସୌରଭ ଗୁପ୍ତାଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି। PFA ମ୍ୟାନେଜର ସୌରଭ ଗୁପ୍ତା ଏଲଭିଶ ଯାଦବ ଏବଂ ତାଙ୍କ ସାଙ୍ଗମାନଙ୍କ ଉପରେ ରେକି କରିବାର ଅଭିଯୋଗ ଲଗାଇଛନ୍ତି। ସୌରଭ ଗୁପ୍ତା କହିଛନ୍ତି ଯେ ଏଲଭିଶ ଯାଦବ ଏବଂ ତାଙ୍କ ଲୋକମାନଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଅଛି। ସୌରଭ ଗୁପ୍ତା ପୂର୍ବରୁ ନୋଏଡାର ଥାନା ୪୯ରେ ଏଲଭିଶ ଯାଦବ ଏବଂ ସାପୁଆମାନଙ୍କ ବିରୁଦ୍ଧରେ ବିଷ ତସ୍କରୀ ଏବଂ ପାର୍ଟିରେ ନିଶା ବ୍ୟବହାର କରିବାର ଗୁରୁତର ଅଭିଯୋଗରେ ମାମଲା ରୁଜୁ କରିଥିଲେ। ବର୍ତ୍ତମାନ ଏଲଭିଶ ଯାଦବ ଜାମିନରେ ବାହାରେ ଅଛନ୍ତି।
ଅଭିଯୋଗକାରୀ ସୌରଭ ଗୁପ୍ତା କହିଛନ୍ତି ଯେ ମାମଲା ରୁଜୁ ହେବା ପରେ ଏଲଭିଶ ଯାଦବ ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ସୋସିଆଲ ମିଡିଆରେ ଧମକ ଦେଉଛନ୍ତି। ଏହି କାରଣରୁ ସେ କିଛି ମାସ ପୂର୍ବେ ନିଜର ଫେସବୁକ ଆକାଉଣ୍ଟ ବନ୍ଦ କରି ଦେଇଥିଲେ। ଅଭିଯୁକ୍ତ ଏଲଭିଶ ଯାଦବ ଏକ ଭିଡିଓ ଜାରି କରି ତାଙ୍କୁ ଘରୁ ଉଠାଇ ନେଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଏହାର ଲିଖିତ ଅଭିଯୋଗ ସୌରଭ ଗୁପ୍ତା ଗାଜିଆବାଦର ନନ୍ଦଗ୍ରାମ ଥାନା ପୋଲିସକୁ ଦେଇଥିଲେ, କିନ୍ତୁ ପୋଲିସ କୌଣସି ଏତଲା ରୁଜୁ କରି ନଥିଲା।
Also Read
ସୌରଭ ଗୁପ୍ତା ତାଙ୍କ ଅଭିଯୋଗରେ ପୋଲିସକୁ କହିଥିଲେ ଯେ ୨୦୨୪ ମେ ମାସରେ ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନେ ୩-୪ଟି ଗାଡ଼ିରେ ଆସି ମୋର ରେକି କରିଥିଲେ। ମୋ ଗାଡ଼ିକୁ ଅନୁସରଣ କରାଯାଇଥିଲା। ଏଲଭିଶ ଯାଦବ ଏବଂ ତାଙ୍କ ସାଙ୍ଗମାନେ ଦୁଇଟି ଏସୟୁଭି ଗାଡ଼ିରେ ରାତି ପ୍ରାୟ ୧:୩୦ ସମୟରେ ମୋ ସୋସାଇଟିରେ ପ୍ରବେଶ କରିଥିଲେ ଏବଂ ନକଲି ନାମ ବ୍ୟବହାର କରି ସୋସାଇଟିର ପାର୍କିଂରେ ଗାଡ଼ି ଘୂରାଇଥିଲେ। ପ୍ରାୟ ୧୦ ମିନିଟ ସୋସାଇଟିରେ ଗାଡ଼ି ଘୂରାଇବା ପରେ ସେମାନେ ସୋସାଇଟିରୁ ବାହାରି ଯାଇଥିଲେ। ସୌରଭ ଗୁପ୍ତାଙ୍କ ସନ୍ଦେହ ଅଛି ଯେ ସୋସାଇଟିରେ ରହୁଥିବା କାହାର ପରିଚୟକୁ ଆଧାର କରି ଏହି ଲୋକମାନେ ସୋସାଇଟି ଭିତରକୁ ପ୍ରବେଶ କରିଥିଲେ।
ଏହା ପୂର୍ବରୁ ସୋସାଇଟି ବାହାରେ ରାଜନଗର ଏକ୍ସଟେନସନ ନିକଟରେ ସେମାନେ ଅନୁଭବ କରିଥିଲେ ଯେ ତାଙ୍କ ଗାଡ଼ିର ପିଛା କରାଯାଉଛି। ପରଦିନ ସୋସାଇଟିର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ସନ୍ଦେହ ସତ୍ୟ ପ୍ରମାଣିତ ହୋଇଥିଲା। ଏଲଭିଶ ଯାଦବ ଏବଂ ତାଙ୍କ ଲୋକମାନେ ସୋସାଇଟି ଭିତରେ ମଧ୍ୟ ଲୁଚି ରହି ତାଙ୍କ ରେକି କରୁଥିଲେ। ଏହି ଅଭିଯୋଗ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ତେଣୁ ସୌରଭ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ତା’ପରେ ନ୍ୟାୟାଳୟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏଲଭିଶ ଯାଦବ ଜଣେ ପ୍ରସିଦ୍ଧ ଯୁଟ୍ୟୁବର ଏବଂ ସୋସିଆଲ ମିଡିଆ ପର୍ସନାଲିଟି । ସିଏ ବିଗ ବସ୍ ଓଟିଟି ୨ର ବିଜେତା ମଧ୍ୟ ରହିଛନ୍ତି। ଏଲଭିସ ସାଧାରଣତଃ ସର୍ବଦା ଖବରରେ ରହିଥାନ୍ତି। ଗତ ରବିବାର ସକାଳେ ଦୁର୍ବୃତ୍ତମାନେ ଏଲଭିଶଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରେ ଏକାଧିକ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣର ସିସିଟିଭି ଫୁଟେଜ ପୋଲିସକୁ ମିଳିଛି ଏବଂ ତଦନ୍ତ ଚାଲିଛି। ଏଲଭିସଙ୍କ ଘର ଉପରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ ଏବଂ ମୁହଁରେ ଗାମୁଛା ବାନ୍ଧି ପହଞ୍ଚିଥିଲେ। ଗୁଳି ଚଳାଇବାର କିଛି ସେକେଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ୨୭ ବର୍ଷୀୟ ଏଲଭିଶ ଯାଦବ ଜଣେ ପ୍ରସିଦ୍ଧ ଯୁଟ୍ୟୁବର । ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରାୟ ୧୫.୭ ମିଲିୟନ ଫଲୋଅର୍ସ ଅଛନ୍ତି।
ଏଲଭିଶ ରୋଷ୍ଟ ଭିଡିଓ, ପ୍ୟାରୋଡି ଭିଡିଓ ଏବଂ ମଜାଳିଆ ଭିଡିଓ ଆଦି ନିଜ ଚ୍ୟାନେଲରେ ପୋଷ୍ଟ କରିଥାନ୍ତି। କୁଶା କପିଲାଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ଏବଂ ଧ୍ରୁବ ରାଠୀଙ୍କ ସହ ବିବାଦ ହେତୁ ମଧ୍ୟ ଏଲଭିଶ ଖବରରେ ରହିଥିଲେ। କିନ୍ତୁ ବିଗ ବସ୍ ଓଟିଟି ୨ ଜିତିବା ପରେ ଏଲଭିଶଙ୍କ ଲୋକପ୍ରିୟତା ବହୁଗୁଣ ବୃଦ୍ଧି ପାଇଛି।ଏଲଭିସଙ୍କୁ ବଡ଼ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ମଧ୍ୟରେ ଗଣାଯାଏ। ଏଲଭିସ ରୋଡିଜ୍ ଡବଲ କ୍ରସରେ ଗ୍ୟାଙ୍ଗ ଲିଡର ଭାବେ ମଧ୍ୟ ଦେଖାଦେଇଛନ୍ତି। ପ୍ଲେଗ୍ରାଉଣ୍ଡ ସିଜନ ୪ରେ ମଧ୍ୟ ଏଲଭିଶ ଅଂଶଗ୍ରହଣ କରିଥିଲେ ଏବଂ ସେ ହାସ୍ୟ ଶୋ’ରେ ପ୍ରତିଯୋଗୀ ଭାବେ ମଧ୍ୟ ଦେଖାଯାଇଛନ୍ତି। କିନ୍ତୁ ଏହି ଲୋକପ୍ରିୟତା ସତ୍ତ୍ୱେ ଏଲଭିଶଙ୍କ ନାଁ ପ୍ରାୟତଃ ବିବାଦରେ ମଧ୍ୟ ଘେରି ରହିଛି। ସାପର ବିଷ ତସ୍କରୀ ମାମଲାରେ ମଧ୍ୟ ଏଲଭିଶ ଯାଦବଙ୍କ ନାଁ ଅଭିଯୁକ୍ତମାନଙ୍କ ମଧ୍ୟରେ ସାମିଲ ଥିଲା।




