ଭୁବନେଶ୍ୱର ୧୩।୦୪ : ତାତି ଏକାଥରକେ ୪ରୁ ୬ ଡିଗ୍ରୀ ବଢ଼ିଯିବ। ପ୍ରଚଣ୍ଡ ଖରା ଯୋଗୁ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ। ଆସନ୍ତା ଶୁକ୍ରବାର ଯାଏ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ। ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମଙ୍ଗଳବାର ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗିରରେ ଗ୍ରୀଷ୍ମଲହରୀ ବହିପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ। ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ରେ ୪୫ ଡିଗ୍ରୀ ଛୁଇଁ ଯାଇପାରେ । ଏପ୍ରିଲରେ ଅସହ୍ୟ ହେଲାଣି ଖରା, ସତେ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ଉପକୂଳରୁ ଉପାନ୍ତ ସବୁଠି ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ ଦିନ ଖରାରେ ସିଝିବ ସାରା ଓଡ଼ିଶା। ପଣା ସଂକ୍ରାନ୍ତି ଠାରୁ ବଢ଼ିବ ତାତିର ପ୍ରକୋପ । ହିଟ୍ ଓ୍ବେଭ ଏବଂ ଅଶୁଂଘାତ ଜନିତ ବିପଦରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ଅପିଲ୍ କରାଯାଇଛି।




