ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ, କ୍ଷେତ୍ର ପରିଦର୍ଶନ ରିପୋର୍ଟ ଅନ୍ତର୍ଭୁକ୍ତ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ
ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି । ୨ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି । ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି ।
Published By: Ruby – Prameya-News7 Bureau | April 11, 2026 02:28 PM
NEWS7
ନୂଆଦିଲ୍ଲୀ ୧୧।୪: ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ । ଅଗଷ୍ଟ ୨୦୨୫ରୁ ଏବେ ପର୍ଯ୍ୟନ୍ତ ଟେକ୍ନିକାଲ ଟିମ୍ର ୧୩ ଥର ବୈଠକ ହୋଇ ସାରିଛି । ମହାନଦୀରେ ଏବେ ଯାଏ କେତେ ଜଳ ପ୍ରବାହିତ ହୋଇଛି ତାର ହାରାହାରି ବାହାର କରାଯାଇଛି । ଡେଲ୍ଟା ଏବଂ ଅନ୍ୟ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ରାଶିକୁ ହିସାବ କରିଛନ୍ତି ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ । ଏହି ଡାଟାକୁ ଏହି ଟ୍ରିବ୍ୟୁନାଲରେ ପ୍ରସ୍ତୁତ କରାଯାଇଛି ।
ମହାନଦୀକୁ ନେଇ ହୋଇଥିବା ସମାଧାନର ଅନେକ ସମସ୍ୟାର ସମାଧାନ ନେଇ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ ସ୍ତରୀୟ ବୈଠକ ଆପୋଷ ବୁଝାମଣା ନେଇ ଆଲୋଚନା ସଫଳତାର ସହ ଆଗକୁ ବଢ଼ିଛି ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ମହାନଦୀ ମାମଲାର ଆପୋଷ ସମାଧାନ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବାକୁ ଜୋର୍ ଦେଇଛନ୍ତି । ଇବ୍ ଏବଂ ତେଲ ନଦୀରେ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବଟି ସିଡବ୍ଲୁସିରେ ବିଚାରାଧିନ ରହିଛି ତାକୁ କିପରି ସମାଧାନ କରାଯିବ ସେ ନେଇ ସିଡବ୍ଲୁସିକୁ ନିର୍ଦ୍ଦେଶ ଦେବାକୁ ଏଜି ଜୋର୍ ଦେଇଥିଲେ ।
Also Read:- ବାପାଙ୍କୁ ମେଡିକାଲରେ ଆଡମିଟ୍ କଲେ, ସେହି ଆମ୍ବୁଲାନ୍ସରେ ଫେରୁଥିଲେ ହେଲେ ପହଞ୍ଚି ପାରିଲେନି ଘରେ
ଏଜିଙ୍କ କହିବା ଅନୁଯାୟୀ ଓଡ଼ିଶା ସ୍ୱାର୍ଥକୁ ଅଗ୍ରାଧିକାର ମହାନଦୀର ଜଳକୁ ଓଡ଼ିଶା ପାଇଁ କିପରି ସୁବିନିଯୋଗ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଏପ୍ରିଲ ୨୦ରେ ପରବର୍ତ୍ତୀ ଶୁଣାଣି ହେବ ।




