ଦେଶରେ ନିର୍ବାଚନ ଇତିହାସରେ ବଡ଼ ଘଟଣା, ପୋଣ୍ଡା ଉପନିର୍ବାଚନରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ

ଦେଶରେ-ନିର୍ବାଚନ-ଇତିହାସରେ-ବଡ଼-ଘଟଣା,-ପୋଣ୍ଡା-ଉପନିର୍ବାଚନରେ-ରୋକ-ଲଗାଇଲେ-ବମ୍ବେ-ହାଇକୋର୍ଟ
  • ୪ ମେ ୨୦୨୬ ଭୋଟଗଣନା ତାରିଖରୁ ୧୪ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବିଧାୟକଙ୍କ କାର୍ଯ୍ୟକାଳ ମାତ୍ର ୯ ମାସର
  • ନୂଆ ବିଧାୟକ ସର୍ବନିମ୍ନ ୧ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିବେନି, ଯାହା ଏହି ପ୍ରାବଧାନର ଉଲ୍ଲଂଘନ
  • କୌଣସି ଆସନରେ ବିଧାୟକଙ୍କ ଶେଷ କାର୍ଯ୍ୟକାଳ ୧ ବର୍ଷରୁ ବି କମ ସମୟ ରହୁଥାଏ, ସେଠାରେ ଉପନିର୍ବାଚନ କରାଇବା ବାଧ୍ୟତାମୂଳକ ନୁହେଁ

ପାଣାଜୀ: ଗୋଆ ରାଜନୀତିରେ ଏକ ବଡ଼ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବମ୍ବେ ହାଇକୋର୍ଟ ପୋଣ୍ଡା ବିଧାନସଭା ଉପନିର୍ବାଚନ ଉପରେ ରୋକ ଲଗାଇ ଇତିହାସ ରଚିଛନ୍ତି। ଦେଶରେ କୌଣସି ନିର୍ବାଚନକୁ କୋର୍ଟଙ୍କ ଆଦେଶରେ ରୋକାଯିବାର ଓ ଏହାବି ଭୋଟ ଗ୍ରହଣର ଠିକ୍ ପୂର୍ବରୁ ପ୍ରଥମ ଘଟଣା। ଏଣୁ ଏହି ମାମଲା ଏବେ ଅଭୂତପୂର୍ବ ହୋଇଯାଇଛି। ପୋଣ୍ଡା ଉପନିର୍ବାଚନ ରଦ୍ଦ ହେବା ଘଟଣାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଆମଲାଗି ଏହା ଏକ ଝଟକା ଓ ଚମକାଇବା ଭଳି ଖବର।

ଏହି ମାମଲା ନିର୍ବାଚନ ଆୟୋଗଙ୍କ ସେହି ଅଧିସୂଚନା ସମ୍ପର୍କିତ ଯେଉଁଥିରେ ପୋଣ୍ଡା ଆସନ ନିମନ୍ତେ ଉପନିର୍ବାଚନ କରାଯାଉଥିଲା। କୋର୍ଟ ଏହି ଅଧିସୂଚନାକୁ ନିର୍ବାଚନ କମିଶନଙ୍କ ‘ମନଇଛା କାରବାର’ ଓ ଏହା ଆଇନ ପ୍ରାବଧାନର ବିପରୀତ ଏଣୁ ଏହା ଉପରେ ତୁରନ୍ତ ରୋକ ଲଗାଇବା ଜରୁରି ବୋଲି କହିଛନ୍ତି। କୋର୍ଟ ଲୋକପ୍ରତିନିଧି ଅଧିନିୟମର ଧାରା ୧୫ଏ(ଏ)ର ଉଦାହରଣ ଦେଇ କହିଛନ୍ତି ଯେ ଯଦି କୌଣସି ଆସନରେ ବିଧାୟକଙ୍କ ଶେଷ କାର୍ଯ୍ୟକାଳ ୧ ବର୍ଷରୁ ବି କମ ସମୟ ରହୁଥାଏ, ସେଠାରେ ଉପନିର୍ବାଚନ କରାଇବା ବାଧ୍ୟତାମୂଳକ ନୁହେଁ। କୋର୍ଟ କହିଛନ୍ତି ଯେ ପୋଣ୍ଡା କ୍ଷେତ୍ରରେ ଏହି ନିୟମ ଲାଗୁ ହେଉଛି।

#WATCH | Panaji | On Ponda by-election cancellation, Goa CM Pramod Sawant says, “Our election has been cancelled. It was a setback and shocking news for us also after the completion of the whole process. It would have been better if the Election Commission had taken a decision… pic.twitter.com/1YzvynAHPY

— ANI (@ANI) April 9, 2026

ମାମଲାର ଶୁଣାଣିରେ କୋର୍ଟ ଦେଖିବାକୁ ପାଇଛନ୍ତି ଯେ ୪ ମେ ୨୦୨୬ ଭୋଟଗଣନା ତାରିଖରୁ ୧୪ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବିଧାୟକଙ୍କ କାର୍ଯ୍ୟକାଳ ମାତ୍ର ୯ ମାସର। ଏଣୁ ନୂଆ ବିଧାୟକ ସର୍ବନିମ୍ନ ୧ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିବେନି, ଯାହା ଏହି ପ୍ରାବଧାନର ଉଲ୍ଲଂଘନ ଏହି ଆଧାରରେ କୋର୍ଟ ନିର୍ବାଚନ ପ୍ରକ୍ରିୟା ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ନିର୍ବାଚନ ଆୟୋଗ ତର୍କ ଦେଇଥିଲେ ଯେ ନିର୍ବାଚନ ପ୍ରକ୍ରିଆ ଆରମ୍ଭ ହୋଇସାରିଛି। ଡାକ ଭୋଟ ପଡିସାରିଲାଣି ଓ ଭୋଟ ଗ୍ରହଣ ପାଇଁ ପୁରା ଶାସନ କଳ ପ୍ରସ୍ତୁତ। ଏହା ସହିତ ଆୟୋଗ ବିଧାୟକଙ୍କ ବଳକା କାର୍ଯ୍ୟକାଳର ପୃଥକ ବ୍ୟାଖ୍ୟା କରିଥିଲେ। ତେବେ କୋର୍ଟ ନିର୍ବାଚନ ଆୟୋଗଙ୍କ ସମସ୍ତ ତର୍କ ଅଗ୍ରାହ୍ୟ କରିଦେଇଛନ୍ତି ଓ କହିଛନ୍ତି ଏହା ଆଇନର ସ୍ପଷ୍ଟ ବ୍ୟାଖ୍ୟା, ଏଥିରେ କୌଣସି ଭ୍ରମ ନାହିଁ।

ଏହି ଉପନିର୍ବାଚନକୁ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରିତମ ହରମଲକର ଏବଂ ଓକିଲ ଅଙ୍କିତା କାମତ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆବେଦନକାରୀ ଏହି ନିର୍ବାଚନକୁ ଆଇନ ବିରୋଧୀ ବୋଲି କହିଥିଲେ। କାରଣ ନିର୍ବାଚିତ ବିଧାୟକ ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରିବେ ନାହିଁ। ହାଇକୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସଙ୍ଗରେ ପୂର୍ବ ରାୟ ମଧ୍ୟ ଏକାଭଳି। ଏଣୁ ମାମଲାକୁ ବଡ଼ ପୀଠକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ। ତେବେ କୋର୍ଟଙ୍କ ଏହି ରାୟ ନା କେବଳ ଗୋଆ ବରଂ ପୁରା ଦେଶର ନିର୍ବାଚନୀ ଢାଞ୍ଚା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ବୋଲି ଏବେ ବିବେଚନା କରାଯାଉଛି।

Scroll to Top