IPL 2026: ବରସାପରା ଷ୍ଟାଡିୟମରେ ଜୟସ୍ଵାଲ-ବୈଭବଙ୍କ ରନ ବର୍ଷା, ମୁମ୍ବାଇକୁ ବିଶାଳ ଟାର୍ଗେଟ୍ ଦେଲା RR

ipl-2026:-ବରସାପରା-ଷ୍ଟାଡିୟମରେ-ଜୟସ୍ଵାଲ-ବୈଭବଙ୍କ-ରନ-ବର୍ଷା,-ମୁମ୍ବାଇକୁ-ବିଶାଳ-ଟାର୍ଗେଟ୍-ଦେଲା-rr

MI vs RR IPL 2026: ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଗର୍ଜିଲା ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀ ଙ୍କ ବ୍ୟାଟ୍। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୧୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୫୦ ରନର ବିଶାଳ ସ୍କୋର କରିଛି। ଯଶସ୍ଵୀ ଜୟସ୍ଵାଲ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୧୪ ବଲରୁ ୩୯ ରନ କରିଛନ୍ତି। ମୁମ୍ବାଇକୁ ଜିତିବା ପାଇଁ ଦରକାର ୧୫୧ ରନ। ମୁମ୍ବାଇର ସବୁ ବୋଲରଙ୍କୁ ଧୁଲେଇ କରିଛନ୍ତି ରାଜସ୍ଥାନ ବ୍ୟାଟର।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ଧୂଆଁଧାର ଆରମ୍ଭ ଦେଇଥିଲେ ଦୁଇ ଓପନର ଜୟସ୍ଵାଲ ଓ ସୂର୍ଯ୍ୟବଂଶୀ। ଦୁଇ ବ୍ୟାଟର ପ୍ରଥମ ବଲରୁ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ମୁମ୍ବାଇ ବୋଲରଙ୍କୁ ପ୍ରହାର କରିଥିଲେ। ଏଥିରୁ ବର୍ତ୍ତି ପାରି ନ ଥିଲେ ଦୁନିଆର ସବୁଠୁ ଘାତକ ବୋଲର ଯଶପ୍ରୀତ ବୁମରା। ଦ୍ଵିତୀୟ ଓଭର ବୋଲିଂ କରିଥିବା ବୁମରାଙ୍କ ଓଭରରେ ବୈଭବ ୨ଟି ଛକା ମାରିବା ବେଶ ଉପଭୋଗ୍ୟ ଥିଲା। ଦୁଇ ବ୍ୟାଟର ୫ ଓଭରରେ ୮୦ ରନ ଯୋଡ଼ି ବିଶାଲ ସ୍କୋରର ମୂଳଦୁଆ ପକାଇଥିଲେ।

ବୈଭବ ମାତ୍ର ୧୪ ବଲରୁ ୧ ଚୌକା ଓ ୫ ଛକା ସହ ୩୯ ରନ କରିଥିଲେ। ଧ୍ରୁବ ଜୁରେଲ ୨ ରନ ଏବଂ ଅଧିନାୟକ ରିୟାନ ପରାଗ ୧୦ ବଲରୁ ୨୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ୨୩ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ଜୟସ୍ଵାଲ ଶେଷ ଓଭର ପର୍ଯ୍ୟନ୍ତ ଅପରାଜିତ ନିଜର ଦମଦାର ବ୍ୟାଟିଂ ଜାରି ରଖିଥିଲେ। ସେ ୩୦ ବଲରୁ ୧୦ ଚୌକା ଓ ୪ ଛକା ସହ ୭୭ ରନ କରିଥିଲେ।ରାଜସ୍ଥାନ ୧୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୫୦ ରନ କରିଛି। ବୋଲିଂରେ ସଫଳ ବୋଲର ଭାବେ ମୁମ୍ବାଇର ଆଲାଗଜନଫର ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇର ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

Scroll to Top