ଛିଣ୍ଡିବ କି ବୋର୍ଡ- ନିଗମ ଅଙ୍କ ? ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତିଙ୍କ ଡ଼େରା

ଛିଣ୍ଡିବ-କି-ବୋର୍ଡ-ନିଗମ-ଅଙ୍କ-?-ଦିଲ୍ଲୀରେ-ରାଜ୍ୟ-ବିଜେପି-ସଭାପତିଙ୍କ-ଡ଼େରା

ଭୁବନେଶ୍ୱର ୧୮।୦୮ : ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ଗସ୍ତ ଅବସରରେ ରାଜ୍ୟ ବିଜେପି ସଭାପତି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଭେଟିପାରନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦଙ୍କ ସହିତ ଆଲୋଚନା କରିପାରନ୍ତି । ଏହାସହିତ ରାଜ୍ୟରେ ଖାଲିପଡିଥିବା କମିଟି, ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତି ନେଇ ମଧ୍ୟ ଆଲୋଚନା ହୋଇପାରେ । 

ସେହିପରି ଅନ୍ୟପଟେ ମଙ୍ଗଳବାର ଦିଲ୍ଲୀରେ ଏନଡିଏ ସାଂସଦଙ୍କ ବୈଠକ ହେବ। ରାଜ୍ୟ କମିଟି ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ହୋଇପାରେ। ନିକଟରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓଡ଼ିଶା ଗସ୍ତରେ ଆସି ଫେରିଛନ୍ତି। ତେଣୁ କିଛି ବଡ଼ ଧରଣର ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। 

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ତ୍ତମାନ ରାଜ୍ୟ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଦଳ ପାଇଁ ବର୍ଷ ବର୍ଷ  ଧରି ନିଷ୍ଠାର ସହ କାମ କରିଥିବା ନେତାମାନେ ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଗୋଡ଼ ଟେକି ବସିଛନ୍ତି । କିଏ ସ୍ଥାନ ପାଇବ ସେ ନେଇ ଛକାପଞ୍ଝା ଲାଗିିଛି। ବିଜେପି ହାଇକମାଣ୍ଡ ସରକାର ସଂଗଠନ ମଧ୍ୟରେ ପୂର୍ଣ୍ଣ ସମନ୍ୱୟ ଉପରେ ଜୋର୍‌ ଦେଉଥିବାରୁ ମୋହନ-ମନମୋହନ ନିକଟରେ ଦିଲ୍ଲୀ ଯାଇ ଏ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳୁଛି । ଆଶାୟୀମାନେ ବ୍ୟଗ୍ରତାର ସହ ନିଗମ-ବୋର୍ଡ ନିଯୁକ୍ତିକୁ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ଗସ୍ତରୁ ଫେରି ମନମୋହନଙ୍କ ବୟାନ ଆଶାୟୀମାନଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ୨୦ ତାରିଖ ପରେ ଏ ସମ୍ପର୍କରେ ଘୋଷଣା ହୋଇପାରେ ବୋଲି ମନମୋହନ କହିଥିବାରୁ ଆଜିର ଦିଲ୍ଲୀ ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

Scroll to Top