ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଆସାମରେ ରାଜନୀତି ସରଗରମ । ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ଏହାରି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣି ଥରେ କଂଗ୍ରେସ ଦଳକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ ନେତାମାନଙ୍କୁ ପୁନର୍ଜନ୍ମ ନେବାକୁ ପଡିବ। ବରିଷ୍ଠ କଂଗ୍ରେସ ନେତା ଗୌରବ ଗୋଗୋଇ ତାଙ୍କୁ ଗିରଫ କରିବାକୁ ଆହ୍ୱାନ ଦେବା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଗୌରବ ଗୋଗୋଇଙ୍କ ଉପରେ ବର୍ଷିଲେ
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଗୌରବ ଗୋଗୋଇଙ୍କୁ ଟାର୍ଗେଟ କରି କହିଛନ୍ତି, ‘ରାହୁଲ ଗାନ୍ଧୀ ହେଉଛନ୍ତି ‘ପପୁ’, ଏହି ନାଁରେ ସେ ସାରା ଦେଶରେ ଜଣାଶୁଣା। ଗୌରବ ଗୋଗୋଇ ‘ଛୋଟ ପପୁ’। ଯଦି ଏହି ଲୋକମାନେ ହିମନ୍ତ ବିଶ୍ୱଶର୍ମାଙ୍କୁ ଜେଲ ପଠାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଆଉ ଗୋଟିଏ ଜନ୍ମ ନେବାକୁ ପଡିବ । ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ବି ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିବ । ଏହି ଜନ୍ମରେ, ସେମାନେ ମୋତେ ପରାସ୍ତ କରିପାରିବେନି କିମ୍ବା ଜେଲ ପଠାଇ ପାରିବେ ନାହିଁ। ସାତ ଜନ୍ମ ପରେ ହୁଏତ ସେମାନେ ହିମନ୍ତ ବିଶ୍ବଶର୍ମା ସହ ଲାଗିପାରନ୍ତି ।’
VIDEO | Sribhumi: Assam CM Himanta Biswa Sarma on Congress MPs Rahul Gandhi and Gaurav Gogoi says, “Rahul Gandhi is ‘Pappu’ and Gaurav Gogoi is considered a ‘chhota Pappu’. Those who say they will arrest Himanta Biswa Sarma, Indira Gandhi, Rajiv Gandhi and Rahul Gandhi would have… pic.twitter.com/o5AirF7BSA
— Press Trust of India (@PTI_News) April 4, 2026
ରାହୁଲ ଆଣିଥିଲେ ସଙ୍ଗୀନ ଅଭିଯୋଗ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମରେ ଅନେକ ରାଲି ଏବଂ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ବିରୁଦ୍ଧରେ ଗମ୍ଭୀର ଦୁର୍ନୀତି ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ହିମନ୍ତ ବିଶ୍ବଶର୍ମା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ଏକ ଲ୍ୟାଣ୍ଡ ଏଟିଏମ୍ ଚଲାଇବା ପାଇଁ ଏକାଠି କାମ କରୁଛନ୍ତି । ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଜମି ବଡ଼ ବଡ଼ କମ୍ପାନୀଗୁଡ଼ିକୁ ଦେଉଛନ୍ତି। ସେ ଘୋଷଣା କରିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ହିମନ୍ତ ବିଶ୍ବଶର୍ମାଙ୍କୁ ଜେଲ ପଠାଯିବ । ମୋଦୀ ଏବଂ ଶାହ ମଧ୍ୟ ତାଙ୍କୁ ରକ୍ଷା କରିପାରିବେ ନାହିଁ ବୋଲି କହିଥିଲେ ରାହୁଲ ।
ହିମନ୍ତ ବିଶ୍ୱଶର୍ମାଙ୍କ ପାଲଟା ଜବାବ
ହିମନ୍ତ ବିଶ୍ବଶର୍ମା ପାଲଟା ଜବାବ ଦେଇ କହିଛନ୍ତି ଯେ, ରାହୁଲ ନିଜେ ନ୍ୟାସନାଲ ହେରାଲ୍ଡ ମାମଲା ଭଳି ଅନେକ ମାମଲାରେ ଜାମିନରେ ଅଛନ୍ତି । ତଥାପି ସେ ଅନ୍ୟମାନଙ୍କୁ ଜେଲ ପଠାଇବା କଥା କହୁଛନ୍ତି। ସେ କହିଛନ୍ତି, ‘କଂଗ୍ରେସରେ ଥିବା ସମୟରେ ମୁଁ ଦଳର ସେବା କରିଥିଲି । ତା’ପରେ ବିଜେପିରେ ଯୋଗ ଦେଇଥିଲି। ସେଥିପାଇଁ ରାହୁଲ ମୋତେ ଦେଶଦ୍ରୋହୀ ବୋଲି କହୁଛନ୍ତି। କିନ୍ତୁ ନିର୍ବାଚନ ପାଖେଇ ଆସିଲେ ରାଜନୀତି ଏବଂ ବୟାନବାଜି ସାଧାରଣ କଥା।’
Also Read: CCTV Cameras Banned: କାହିଁକି ସରକାରୀ କୋଠାରେ ଏବେ ବି ଲାଗିଛି ଚୀନ୍ ସିସିଟିଭି ? ସରକାରଙ୍କୁ ରାହୁଲଙ୍କ ପ୍ରଶ୍ନ
ଆସାମ ନିର୍ବାଚନ କେବେ ?
ଆସାମ ବିଧାନସଭା ନିର୍ବାଚନ-୨୦୨୬ ଏପ୍ରିଲ ୯ରେ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ସମସ୍ତ ୧୨୬ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମେ’ ୪ରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।




