Lockdown Situation: ଉପୁଜିଲା ଲକଡାଉନ ଭଳି ସ୍ଥିତି, ସୁରଟରୁ ଘରମୁହାଁ ହେଲେ ହଜାର ହଜାର ଓଡ଼ିଆ ପ୍ରବାସୀ

lockdown-situation:-ଉପୁଜିଲା-ଲକଡାଉନ-ଭଳି-ସ୍ଥିତି,-ସୁରଟରୁ-ଘରମୁହାଁ-ହେଲେ-ହଜାର-ହଜାର-ଓଡ଼ିଆ-ପ୍ରବାସୀ

ଭୁବନେଶ୍ଵର: ଗୁଜରାଟର ସୁଟର ସହର। ହୀରା ଓ କପଡ଼ା କାରଖାନ ଓ ବ୍ୟବସାୟ ପାଇଁ ପ୍ରସିଦ୍ଧ। ରୋଜଗାର ପାଇଁ ସୁରଟ ହେଉଛି ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ପ୍ରମୁଖ ଗନ୍ତବ୍ୟସ୍ଥଳ। ବିଭିନ୍ନ କ୍ଷେତ୍ରରେ କାମ ପାଇଁ ଲକ୍ଷ ଲକ୍ଷ ଲୋକ ଏଠାକୁ ଧାଇଁ ଆସିଥାନ୍ତି। ଏମାନଙ୍କ ଦୈନିକ ଆୟ ୩୦୦ ଟଙ୍କାରୁ ୭୦୦ ଟଙ୍କା ମଧ୍ୟରେ ରହିଥାଏ। ହେଲେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କାରଣରୁ ଗ୍ୟାସ୍ ସିଲିଣ୍ଡର ସଙ୍କଟ ସୁରଟରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ପାଇଁ ଲକଡାଉନ ପରି ସ୍ଥିତି ଉତ୍ପନ କରିଛି। ଗ୍ୟାସ୍ ଓ ଭୋଜନର ଆକାଶଛୁଆଁ ଦର ପୂରା କରିବା ପାଇଁ ବର୍ତ୍ତମାନ ସେମାନେ ଅସମର୍ଥ। ଏହି କାରଣରୁ ହଜାର ହଜାର ପ୍ରବାସୀ ଶ୍ରମିକ ସହର ଛାଡ଼ି ନିଜ ଗାଁ ମୁହାଁ ହୋଇଛନ୍ତି।

କ’ଣ କହୁଛନ୍ତି ପ୍ରବାସୀ ଶ୍ରମିକ ?

ଗଞ୍ଜାମର ବୁଗୁଡ଼ା ନିବାସୀ ୩୬ ବର୍ଷୀୟ ସୁଦର୍ଶନ ମହାକୁଡ଼ଙ୍କ ଅନୁସାରେ ସେ ଗତ ବର୍ଷ ନଭେମ୍ବରରେ ସୁରଟ ଆସିଥିଲେ। ମାତ୍ର ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି କାରଣରୁ ଏଲପିଜିର ବଢୁଥିବା ଦାମ ତାଙ୍କୁ ଘରକୁ ଫେରିବାକୁ ବାଧ୍ୟ କରୁଛି। ସିଲିଣ୍ଡରର ଘୋର ଅଭାବ ସହ ଯେଉଁ ସିଲିଣ୍ଡର ମିଳୁଛି ତାର ଦାମ ଅହେତୁକ ଅଧିକ ରହିଛି। ତେଣୁ ସେ ଗାଁକୁ ଫେରିବା ପାଇଁ ବିଚାର କରୁଛନ୍ତି। ସୁଦର୍ଶନ ପାଓ୍ଵାର ଲୁମ କ୍ଷେତ୍ରରେ କାମ କରନ୍ତି।

Also Read: ମାନିଲେ ସରକାର, ଯୁଦ୍ଧ ଯୋଗୁ ଦୁର୍ବଳ ହୋଇଛି ଅର୍ଥନୀତି, ବଢ଼ିପାରେ ଦରଦାମ

ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନା ବେଳେ ସୁଦର୍ଶନ କହିଛନ୍ତି, ଗତ ତିନି ସପ୍ତାହ ଧରି ରୋଷେଇ ପାଇଁ ଗ୍ୟାସର ବନ୍ଦୋବସ୍ତ କରିବା ଆମ ପାଇଁ ବହୁତ ମୁସ୍କିଲ ହୋଇଗଲାଣି। କାରଣ ଅଧିକାଂଶ ଶ୍ରମିକଙ୍କ ପାଖରେ ନିୟମିତ ଏଲପିଜି କନେକ୍ସନ ନାହିଁ। ଏଥିପାଇଁ ସେ କଳାବଜାରରୁ ୫ କିଲୋଗ୍ରାମର ଏଲପିଜି କିଣିଥାନ୍ତି। ହେଲେ ବର୍ତ୍ତମାନ ଏକ କେଜି ଗ୍ୟାସ୍ ୫୦୦ ଟଙ୍କାରେ ବିକ୍ରି ହେଉଛି। ପୁଣି ତାହା ବହୁତ କଷ୍ଟରେ ମିଳୁଛି।

ହେଲେ ସୁଦର୍ଶନ ଏମିତି ସମସ୍ୟା ଭୋଗିବାରେ ଏକ ମାତ୍ର ବ୍ୟକ୍ତି ନୁହନ୍ତି, ତାଙ୍କ ପରି ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କର ସେହି ସମାନ କାହାଣୀ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସୁରଟରେ ରହୁଥିବା ଶତାଧିକ ପ୍ରବାସୀ ଶ୍ରମିକମାନେ ଏବେ ଓଡ଼ିଶା ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ଅଧିକାଂଶ ଶ୍ରମିକ କପଡ଼ା ମିଲ୍ ଓ ପାଓ୍ଵାର ଲୁମ୍ ଉଦ୍ୟୋଗରେ କାମ କରୁଛନ୍ତି।

Also Read: ଯୁଦ୍ଧ ମଧ୍ୟରେ ବି ପଡ଼ିନାହିଁ ପ୍ରଭାବ, ଜାଣନ୍ତୁ କେଉଁଠୁ ଆସୁଛି PNG ?

ମନେ ପକାଇ ଦେଲା କରୋନା ସ୍ଥିତି

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏମିତି ସ୍ଥିତି କରୋନା ଲକଡାଉନ ସମୟରେ ଦେଖିବାକୁ ମିଳିଥିଲା। ମହାମାରୀ କରୋନା ପ୍ରକୋପର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶରେ ଲକଡାଉନ ଲାଗୁ କରିଥିଲେ। ଫଳରେ ସୁରଟରେ ରହୁଥିବା ଲକ୍ଷାଧିକ ସଂଖ୍ୟାରେ ଓଡ଼ିଆ ପ୍ରବାସୀ ଘରକୁ ଫେରିଥିଲେ। ଲକଡାଉନ ସାଧାରଣ ଲୋକ ଏବଂ ଖଟିଖିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ସେହି ସମୟର ବିକଳ ଚିତ୍ର ମନରୁ ନ ଲିଭୁଣୁ ଏବେ ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇଛି।

Scroll to Top