ବିଧାନସଭାରେ ବିଜେପି ବିଧାୟକଙ୍କ ବ୍ଲାଙ୍କ ଫାୟାରିଂ ପ୍ରସଙ୍ଗ ଉଠାଇବେ ବିରୋଧୀ, ବାବୁ ସିଂ କହିଲେ- ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି

ବିଧାନସଭାରେ-ବିଜେପି-ବିଧାୟକଙ୍କ-ବ୍ଲାଙ୍କ-ଫାୟାରିଂ-ପ୍ରସଙ୍ଗ-ଉଠାଇବେ-ବିରୋଧୀ,-ବାବୁ-ସିଂ-କହିଲେ-ଆଇନର-ଉର୍ଦ୍ଧ୍ବରେ-କେହି-ନୁହନ୍ତି

ଭୁବନେଶ୍ବର ୨୯।୩: ବିଜେପି ବିଧାୟକଙ୍କ ବ୍ଲାଙ୍କ ଫାୟାରିଂ ଓ ଖଣ୍ଡାବୁଲାକୁ ନେଇ ରାଜ୍ୟ ରାଜନୀତି ଜୋର । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା । ଏହି ଘଟଣାକୁ ନେଇ ବର୍ଷିଲା ବିଜେଡି । ବିଧାୟକଙ୍କ ସର୍ବସଧାରଣରେ ଗୁଳି ଫୁଟାଇବା ଘଟଣାକୁ ବିଧାନସଭାରେ ଉଠାଇବ ବିଜେଡି । ଏହା ଏକ ନିନ୍ଦନୀୟ ଘଟଣା । ସର୍ବସାଧାରଣରେ ଆକାଶକୁ ଗୁଳି ମାରିବା ଠିକ୍ ନୁହେଁ । ନିଜର ଆତ୍ମ ସୁରକ୍ଷା ପାଇଁ ବନ୍ଧୁକ ଦିଆଯାଇଥାଏ । ବ୍ଲାଙ୍କ ଫାୟାରିଂ ପରେ ଜଣେ ପିଏସଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ? ସରକାରୀ ଦଳର ବିଧାୟକ ବୋଲି ତାଙ୍କୁ ସୁରକ୍ଷା ଦେଉଛନ୍ତି ସରକାର । ଭୁଲ୍ ସବୁବେଳେ ଭୁଲ୍ । ଜନ ପ୍ରତିନିଧି ଯଦି ଏପରି କରିବେ, ତାଙ୍କଠାରୁ ଲୋକ କ’ଣ ଶିଖିବେ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ । ବିଜେପି ସରକାର ଆସିଲା ପରେ ତାଙ୍କ ନେତାଙ୍କ ଭାବଭଙ୍ଗୀ ବଦଳିଛି । ନିଜକୁ କ୍ଷମାତାଶାଳୀ ଦେଖେଇ ହେବାକୁ ପ୍ରୟାସ କରୁଛନ୍ତି । ରାଜ୍ୟର ଶାନ୍ତି ଶୃଙ୍ଖଳା ଭାଙ୍ଗୁଛନ୍ତି । ଏହା ଫଳରେ ସାଧାରଣ ଲୋକ ମଧ୍ୟ କଥା କଥାରେ ବନ୍ଧୁକ ଫୁଟାଉଛନ୍ତି । ଝାରସୁଗୁଡା ବିଧାୟକ ମଧ୍ୟ ଖଣ୍ଡା ବୁଲାଉଛନ୍ତି । ଏହା ଠିକ୍ ନୁହେଁ । ଧର୍ମ-ଧର୍ମ ଭିତରେ ଲଢ଼େଇ କରିବାକୁ ଚେଷ୍ଟା କରୁଛନ୍ତି । ଏ କଥାକୁ ଆମେ ବିଧାନସଭାରେ ଉଠାଇବୁ ବୋଲି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ।

ସେହିଭଳି କଂଗ୍ରେସ କହିଛି, ବିଜେପି ବିଧାୟକ ମାନେ ଆଇନକୁ ଫୁ କରିଦେଇଛନ୍ତି । ଟିଟିଲାଗଡ଼ର ବିଧାୟକ ନବୀନ ଜୈନ PSOଠୁ ବନ୍ଧୁକ ଆଣି ଗୁଳି ଫୁଟାଇଛନ୍ତି । ୱାଶିଂମେସିନ୍ ସରକାର ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିହିଂସା ପରାୟଣ ହେଇଯାଉଛି । ବିଧାୟକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ କାହିଁକି ନବୀନ ଜୈନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ? PSOକୁ ନିଲମ୍ବନ କାହିଁକି କରାଗଲା ? ସାଂସଦ ସମ୍ବିତ ପାତ୍ର ବି ଖଣ୍ଡା ବୁଲାଇ ଥିଲେ । ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ନବୀନ ଜୈନଙ୍କ ଉପରେ ସରକାର ଆକ୍ସନ ନ ନେଲେ କଂଗ୍ରେସ ଗଣତାନ୍ତ୍ରିକ ଉପାୟରେ ଯାହା କରିବା କଥା କରିବ ବୋଲି ପ୍ରେସମିଟ୍‌ରେ କଂଗ୍ରେସ ଉପ ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର କହିଛନ୍ତି ।

Also Read:- Mann Ki Baat: ସମ୍ବଲପୁରର ସଫଳ ମହିଳା ମାଛ ଚାଷୀ, ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ବିଧାୟକ ଭଗବାନ ନୁହନ୍ତି, ବିଧାୟକ ହେଉଛନ୍ତି ରାଜ୍ୟର ଲୋକ । ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଧାୟକ ହୋଇଛନ୍ତି । ଆମେ ଯେଉଁଠି ଭୁଲ୍ କରିବୁ ନିଶ୍ଚିତ ଦଣ୍ଡ ପାଇବୁ । ବିରୋଧୀ ଦଳ ହେଉ ଅବା ଶାସକ ଦଳ ହେଉ ଯେଉଁ ଦଳର ବିଧାୟକ ହୁଅନ୍ତୁ ନା କାହିଁକି । ବିଧାନସଭା ଚାଲିଲେ ଏ ପ୍ରସଙ୍ଗ ଉଠାଇବେ ? ବିଧାୟକ, ମନ୍ତ୍ରୀ ଅବା ଯିଏ ବି ହୁଅନ୍ତୁ ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି । ବିଧାନସଭା ଚାଲିଲେ ଏକଥା ଚର୍ଚ୍ଚା ଆଲୋଚନା ହୋଇପାରିବ । କିନ୍ତୁ ବିଧାନସଭା ନ ଚାଲିଲେ ଏ କଥା କେମିତି ଆଲୋଚନା ହୋଇପାରିବ ବୋଲି ବାବୁ ସିଂ କହିଛନ୍ତି ।

Scroll to Top