IPL 2026: ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ, RCBକୁ ବିଶାଳ ଟାର୍ଗେଟ୍ ଦେଲା SRH

ipl-2026:-ଇଶାନ-କିଶନଙ୍କ-ବିସ୍ଫୋରକ-ବ୍ୟାଟିଂ,-rcbକୁ-ବିଶାଳ-ଟାର୍ଗେଟ୍-ଦେଲା-srh

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୬ ଆରମ୍ଭ ହୋଇ ଯାଇଛି। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୨୦୧ ରନ କରିଛି। ଇଶାନ କିଶନ ୮୦ ରନର ଅଧିନାୟକତ୍ଵ ଇନିଂସ ଖେଳିବାରୁ ହାଇଦ୍ରାବାଦ ଏହି ସ୍କୋର କରି ପାରିଛି। ଅନିକେତ ବର୍ମା ୪୩ ରନ ଓ ହେନରିକ କ୍ଲାସେନ ୩୧ ରନ କରିଛନ୍ତି। ବୋଲିଂରେ ଆରସିବି ପକ୍ଷରୁ ଜାକବ ଡଫି ଶାଣିତ ବୋଲିଂ କରି ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ। ଦଳର ଆରମ୍ଭ ନିରାଶଜନକ ଥିଲା। ୨୯ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା ଦଳ। ଅଭିଷେକ ଶର୍ମା ୧୧ ରନ, ଟ୍ରେଭିସ ହେଡ ୭ ରନ ଓ ନୀତିଶ କୁମାର ରେଡ୍ଡୀ ମାତ୍ର ୧ ରନ କରିଥିଲେ। ଏହା ପରେ ଅଧିନାୟକ ଇଶାନ କିଶନ ଓ ହେନରିକ କ୍ଲାସେନ ଇନିଂସ ସମ୍ଭାଳିଥିଲେ। ଇଶାନ ବିଶ୍ଵକପର ଚମତ୍କାର ଫର୍ମକୁ ବଜାୟ ରଖିଥିଲେ। ସେ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଏବଂ କ୍ଲାସେନ ୪ର୍ଥ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ।

କ୍ଲାସେନ ୩୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ସଲିଲ ଅରୋରା ୯ ରନ କରିଥିଲେ। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୩୮ ବଲରୁ ୮ ଚୌକା ଓ ୫ ଛକା ସହ ୮୦ ରନ କରିଥିଲେ। ଏହା ପରେ ହାଇଦ୍ରାବାଦ ଲଗାତାର ଓ୍ଵିକେଟ୍ ହରାଇଥିଲେ। ହେଲେ ନିମ୍ନକ୍ରମରେ ଅନିକେତ ବର୍ମା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୮ ବଲରୁ ୩ ଚୌକା ଓ ୪ ଛକା ସହ ୪୩ ରନ କରିଥିଲେ। ଫଳରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୨୦୧ ରନ କରି ପାରିଛି।

Scroll to Top