Fuel crisis: ଆସନ୍ତା ଦୁଇ ମାସ ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ତେଲ ଓ ଇନ୍ଧନ ରହିଛି। ତେଣୁ ଅଭାବର ଗୁଜବ ଶୁଣି ଛାନିଆ ହୁଅନ୍ତୁ ନାହିଁ। ଗୁରୁବାର ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିର ବାଣୀ ଶୁଣାଇଛନ୍ତ କେନ୍ଦ୍ର ସରକାର। ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଦେଶରେ ଇନ୍ଧନ ସ୍ଥିତି ସ୍ଥିର ରହିଛି ଏବଂ ଏହା ନିୟନ୍ତ୍ରଣା ଧୀନ ରହିଛି। ତେଣୁ ଅଯଥା ଗୁଜବ ଶୁଣି ଛାନିଆ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି।
ଯୋଗାଣରେ କୌଣସି ବ୍ୟବଧାନ ନାହିଁ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ ଆଗାମୀ ୬୦ ଦିନ ପାଇଁ ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ କରାଯାଇଛି। ଗୁରୁବାର (୨୬ ମାର୍ଚ୍ଚ ୨୦୨୬) ପିଆଇବି ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଯୋଗାଣରେ ଯେମିତି କୌଣସି ବ୍ୟବଧାନ ନ ହେବ ଏଥିପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଆଗୁଆ ଆମଦାନୀ ପୂର୍ବରୁ ସ୍ଥିର କରି ସାରିଛନ୍ତି।
ହରମୁଜ ଜଳପଥରେ ଉତ୍ତେଜନା ଲାଗି ରହିଥିବା ସମୟରେ ଭାରତ ଏହାର ଇନ୍ଧନ ଆବଶ୍ୟକତା ପାଇଁ ଆମଦାନୀର ବିକଳ୍ପକୁ ବଢ଼ାଇବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଭାରତ ୪୦ ଅନ୍ୟ ଦେଶରୁ ଅଶୋଧିତ ତୈଳ ଆମଦାନୀ କରିବାକୁ ଉଦ୍ୟମ ଜାରି ରଖିଛି।
ପ୍ରକୃତରେ, ଅନ୍ୟ ଦେଶଗୁଡ଼ିକରୁ ଭାରତ ପାଇଁ ଇନ୍ଧନ ଉପଲବ୍ଧ ରହୁଥିବାରୁ ଯୋଗାଣ ବାଧା ଦୂର କରିବାରେ ଭାରତ ସକ୍ଷମ ହୋଇଛି। ଦେଶବ୍ୟାପୀ ରିଫାଇନାରୀଗୁଡ଼ିକ ୧୦୦ ପ୍ରତିଶତରୁ ଅଧିକ କ୍ଷମତାରେ ଚାଲୁଛନ୍ତି। ଯାହା ଇନ୍ଧନ ପ୍ରବାହକୁ ସ୍ଥିର ରଖିଛି।
ଦୃଢ଼ ସଂରକ୍ଷଣ ଏବଂ ସ୍ଥିର ଯୋଗାଣ
ଭାରତର ମୋଟ ଗଚ୍ଛିତ କ୍ଷମତା ୭୪ ଦିନର । ହେଲେ ବର୍ତ୍ତମାନ ପ୍ରକୃତରେ ୬୦ ଦିନ ପାଇଁ ଇନ୍ଧନ ଗଚ୍ଛିତ ରହିଛି। ଏଥିରେ କ୍ରୁଡ୍ ଅଏଲ୍, ରିଫାଇନ୍ଡ ପ୍ରଡକ୍ଟ ଏବଂ ଭୂତଳ ଗୁମ୍ଫାରେ ଗଚ୍ଛିତ ଥିବା ଷ୍ଟ୍ରାଟେଜିକ ରିଜର୍ଭ ରହିଛି। ପଶ୍ଚିମ ଏସିଆ ସଙ୍କଟକୁ ୨୭ ଦିନ ବିତି ଯାଇଥିଲେ ମଧ୍ୟ ଦେଶରେ ସମସ୍ତ ନାଗରିକଙ୍କ ପାଇଁ ପ୍ରାୟ ଦୁଇ ମାସ ପାଇଁ ନିରନ୍ତର ଇନ୍ଧନ ଯୋଗାଣ ହୋଇପାରିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହା ବାଦ୍ ଅତିରିକ୍ତ ଇନ୍ଧନ କିଣିବାକୁ ପୂର୍ବରୁ ଯୋଜନା କରାଯାଇଥିବାରୁ, ଭାରତ ଆଗାମୀ ମାସଗୁଡ଼ିକ ପାଇଁ ଏସବୁ ସୁରକ୍ଷିତ ରଖିବାକୁ ଯୋଜନା କରୁଛି।
ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର କୌଣସି ସ୍ଥାନରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର ଅଭାବ ନାହିଁ। ସମସ୍ତ ଇନ୍ଧନ ଷ୍ଟେସନ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି ଏବଂ କୌଣସି ଅଭାବ ସ୍ଥିତି ନାହିଁ। ଭାରତ, ବିଶ୍ୱର ସବୁଠାରୁ ବଡ଼ ରିଫାଇନାରୀ ଏବଂ ପେଟ୍ରୋଲିୟମ ଉତ୍ପାଦର ଏକ ପ୍ରମୁଖ ରପ୍ତାନିକାରୀ ଦେଶ ହୋଇଥିବାରୁ, ଏହାର ଏକ ସୁଦୃଢ଼ ଘରୋଇ ଯୋଗାଣ ବ୍ୟବସ୍ଥା ଅଛି। ଅଧିକାରୀମାନେ କହିଛନ୍ତି ଯେ, ଇନ୍ଧନ ପମ୍ପଗୁଡ଼ିକରେ ଦେଖାଯାଉଥିବା ଭିଡ଼ ପ୍ରକୃତ ଅଭାବ ଯୋଗୁ ନୁହେଁ ବରଂ ଭ୍ରାମକ ସୋସିଆଲ ମିଡିଆ କଣ୍ଟେଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଆତଙ୍କ ଯୋଗୁ ହୋଇଛି ବୋଲି ସରକାରୀ ଅଧିକାରୀ କହିଛନ୍ତି।
Also read- ପେଟ୍ରୋଲ୍ ୫, ଡିଜେଲ୍ ୩ ଟଙ୍କା ମହଙ୍ଗା; ତୈଳ ଦର ବଢ଼ାଇଲା Nayara
ଏଲପିଜି ଯୋଗାଣ ମଧ୍ୟ ସୁଦୃଢ଼ ରହିଛି। ଘରୋଇ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି, ବର୍ତ୍ତମାନ ଦୈନିକ ଆବଶ୍ୟକତାର ଅଧାରୁ ଅଧିକ ପୂରଣ କରୁଛି। ଫଳସ୍ୱରୂପ, ଆମଦାନୀର ଆବଶ୍ୟକତା ହ୍ରାସ ପାଇଛି। ଇତିମଧ୍ୟରେ ଆମେରିକା, ରୁଷ ଏବଂ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକରୁ ବଡ଼ ବଡ଼ ଏଲପିଜି ଆମଦାନୀ ପୂର୍ବରୁ ଆରମ୍ଭ ହୋଇସାରିଛି। ତେଲ କମ୍ପାନୀଗୁଡ଼ିକ ସାରା ଦେଶରେ ସୁଗମ ଭାବରେ ସିଲିଣ୍ଡର ଯୋଗାଣ ଜାରି ରଖିଛନ୍ତି, ଏବଂ ଚାହିଦା ଏକ ସଂକ୍ଷିପ୍ତ ବୃଦ୍ଧି ପରେ ସ୍ୱାଭାବିକ ସ୍ତରକୁ ଫେରି ଆସିଛି।




